ଅଂଶୁଘାତ ମୁକାବିଲା ପ୍ରସ୍ତୁତି: ଦହି, ଲସି ବାଣ୍ଟିବ ବିଏମ୍‌ସି, ଟ୍ରେନିଂ ନେବେ ‘ମୋ ବସ୍‌’ କର୍ମଚାରୀ

ଟ୍ରାଫିକ୍‌ କର୍ମଚାରୀଙ୍କୁ ‘କୁଲ୍‌ ଜ୍ୟାକେଟ୍‌’, ପ୍ଲାନ୍‌ ଅନୁମୋଦନ ବେଳେ ବୃକ୍ଷରୋପଣ ବାଧ୍ୟତାମୂଳକ

ଭୁବନେଶ୍ବର: ଆସନ୍ତା ଗ୍ରୀଷ୍ମଋତୁରେ ପ୍ରବଳ ଖରା ହେବାର ସମ୍ଭାବନା ରହିଛି। ଏଣୁ ଅଂଶୁଘାତର ଆଶଙ୍କା ଥିବାରୁ ବିଏମ୍‌ସି ମୁକାବିଲା ପାଇଁ ପ୍ରସ୍ତୁତି କରିଛି। ଏପ୍ରିଲ ୧ ତାରିଖ ଠାରୁ ଭୁବନେଶ୍ବରର ୧୩୬ ଜାଗାରେ ଜଳଛତ୍ର ଖୋଲାଯିବ। ଆବଶ୍ୟକ ପଡ଼ିଲେ ଏହାର ସଂଖ୍ୟା ମଧ୍ୟ ବଢ଼ାଯାଇ ପାରେ। ଏଥିରୁ ଶହେଟିରେ ପ୍ରଥମ ଥର ପାଇଁ ଦହି ଓ ଲସି ବଣ୍ଟାଯିବାକୁ ଯୋଜନା ହୋଇଛି। ବେଦାନ୍ତ ସହାୟତାରେ ଏଭଳି ଏକ ବ୍ୟବସ୍ଥା ହେବାକୁ ଯାଉଥିବା ସୂଚନା ଦେଇଛି ବିଏମ୍‌ସି। ଅଂଶୁଘାତ ମୁକାବିଲା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବା ସହ ଜାଗା ଚିହ୍ନଟ ହୋଇଛି।

ଏହା ଛଡ଼ା ଅଂଶୁଘାତର ଶିକାର ହେଉଥିବା ଲୋକକୁ ଉଦ୍ଧାର କରିବାକୁ ପ୍ରଥମ ଥର ପାଇଁ ମୋ ବସ୍‌ କର୍ମଚାରୀଙ୍କୁ ସାମିଲ କରାଯାଇଛି। ସହରର ପ୍ରାୟ ସମସ୍ତ ଅଞ୍ଚଳରେ ମୋ ବସ୍‌ ଚାଲୁଥିବାରୁ ରାସ୍ତା ଘାଟରେ ନଜର ରଖିବା ସେମାନଙ୍କ ପାଇଁ ସୁବିଧା ହେବ। କେହି ଯଦି ଅଂଶୁଘାତର ଶିକାର ହୋଇଥିବ ତେବେ ସେମାନେ ତୁରନ୍ତ ଉଦ୍ଧାର କରି ମେଡିକାଲ ପଠାଇବା ସହ ଘଟଣାସ୍ଥଳରେ ଆଶୁ ଚିକିତ୍ସା ପ୍ରଦାନ କରିବେ। ଏ ବାବଦରେ ସେମାନଙ୍କୁ ଖୁବ୍‌ଶୀଘ୍ର ପ୍ରଶିକ୍ଷଣ ଦିଆଯିବ। ଏଥିରେ ପାଖାପାଖି ୫ଶହ କର୍ମଚାରୀ ସାମିଲ ହେବାକୁ ଯୋଜନା କରାଯାଇଛି।

ସେହିଭଳି ବିଏମ୍‌ସିର ପ୍ରତ୍ୟେକ ମେଡିକାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ଖୋଲିବ। ସେଥିରେ ବେଡ୍‌ ସହ ଅନ୍ୟାନ୍ୟ ଚିକିତ୍ସା ଉପକରଣ ରହିବ। ଏହାକୁ ଶୀତତାପ ନିୟନ୍ତ୍ରିତ କରାଯିବ। ରୋଗୀଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ସେଠାରେ ଭର୍ତ୍ତି କରାଯିବ। କେବଳ ଅଂଶୁଘାତ ରୋଗୀଙ୍କ ପାଇଁ ଏହା ସଂରକ୍ଷିତ ରହିବ।

ଖରାରେ ଛିଡ଼ା ହୋଇ ଟ୍ରାଫିକ୍‌ ପୁଲିସ ଟ୍ରାଫିକ୍‌ ପରିଚାଳନା କରୁଥିବାରୁ ସେମାନଙ୍କୁ ପ୍ରାଥମିକତା ଦିଆଯାଇଛି। ଡ୍ୟୁଟିରେ ରହୁଥିବା‌ କର୍ମଚାରୀଙ୍କୁ କୁଲ୍‌ ଜ୍ୟାକେଟ୍‌ ଦିଆଯିବାକୁ ସ୍ଥିର କରାଯାଇଛି। କେତେ କର୍ମଚାରୀ ପ୍ରତ୍ୟହ ରାସ୍ତା ଉପରେ ଛିଡ଼ା ହୋଇ ଡ୍ୟୁଟି କରୁଛନ୍ତି ସେ ନେଇ କମିସନରେଟ୍‌ ପୁଲିସ ଠାରୁ ତଥ୍ୟ ଆସିବା ପରେ ଏହି ଜ୍ୟାକେଟ୍‌ ବ୍ୟବସ୍ଥା କରାଯିବ। ଏହା ଛଡ଼ା ଏହି ସବୁ ପୋଷ୍ଟରେ ବ୍ୟାପକ ଜଳଛତ୍ର ବ୍ୟବସ୍ଥା କରାଯିବ।
ତେବେ ସହରରୁ ତାପମାତ୍ରା କମାଇବା ପାଇଁ ନୂଆ ଯୋଜନା ହେବାକୁ ଯାଉଛି।

ସହରରେ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ଲାନ୍‌ ଅନୁମୋଦନ ବେଳେ ବୃକ୍ଷରୋପଣ ଓ ଖୋଲା ସ୍ଥାନ ଛାଡ଼ିବା ଉପରେ କଟକଣା ହେବାକୁ ଯାଉଛି। ଏଥିରେ ଉଭୟ ବିଡିଏ ଓ ବିଏମ୍‌ସି ସାମିଲ ହେବେ। ପ୍ଲାନ୍‌ ଅନୁମୋଦନ ବେଳେ ଜମି ଆଧାରରେ ବୃକ୍ଷରୋପଣ ଓ ଖୋଲା ସ୍ଥାନ ଛାଡ଼ିବା ପାଇଁ ବାଧ୍ୟତାମୂଳକ କରାଯିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର