ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତି ବୈଠକ : ସୁରକ୍ଷା ବଳୟରେ ରହିବେ ଖେଳାଳି

ଭୁବନେଶ୍ୱର : ଭୁବନେଶ୍ୱରରେ ବିଶ୍ୱକପ୍‌ ହକି ବେଳେ ସୁରକ୍ଷା ବନ୍ଦୋବସ୍ତ ନେଇ ଆଜି  କମିସନରେଟ୍‌ ପୁଲିସର ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଶେଷକରି ବିଶ୍ୱକପ୍‌ ସମୟରେ ଖେଳାଳି, କଳିଙ୍ଗ ଷ୍ଟାଡିୟମ ଓ ହୋଟେଲରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ବୈଠକରେ ହକି ଇଣ୍ଡିଆ  କର୍ତୃପକ୍ଷ, କମିସନରେଟ୍‌ ପୁଲିସ, ବିମାନବନ୍ଦର କର୍ତୃପକ୍ଷ, ସିଆଇଏସ୍‌ଏଫ୍‌ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଆୟୋଜକ ଭାରତ ସମେତ ୮ଟି ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ମୋଟ ୨୨ଟି ମ୍ୟାଚ୍‌ ଖେଳାଯିବ। ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରଠାରୁ ହୋଟେଲଠୁ ନେଇ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ସବୁଠି ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ।

ସେହିପରି କସମଗ୍ର କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖାପାଖ ଅଞ୍ଚଳକୁ ସିସି କ୍ୟାମେରା ଲେନ୍ସରେ ଅର୍ନ୍ତଭୁକ୍ତ କରିବାକୁ ମିସନରେଟ ପୁଲିସ ପକ୍ଷରୁ କ୍ରୀଡ଼ା ବିଭାଗକୁ କୁହାଯାଇଛି। ଏହି ସିସି କ୍ୟାମେରାକୁ  ଭୁବନେଶ୍ୱର ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସଂଯୋଗ କରାଯିବ। ପୁଲିସ ଏହି କଣ୍ଟ୍ରୋଲ ରୁମ୍‌ରୁ କଳିଙ୍ଗ ଷ୍ଟାଡିୟମ ଉପରେ ତୀକ୍ଷ୍‌ଣ ନଜର ରଖିବ। ଏହାଛଡ଼ା  ଷ୍ଟାଡିୟମ ନିକଟରେଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ ଖୋଲିବ। ଜଣେ ଏଡିସିପି ର‍୍ୟାଙ୍କର ଅଧିକାରୀ ଏହି କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହିବେ। ସେହିପରି ପଡ଼ିଆ ଭିତରକୁ ପାଣି ବୋତଲ, ପାଣି ପାଉଚ୍‌ ଆଦି ଛଡ଼ାଯିବ ନାହିଁ। ଏହାଛଡ଼ା ପଡ଼ିଆ ଚାରିପଟେ ବିଭିନ୍ନ ସ୍ଥାନରେ ଦର୍ଶକମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ କ୍ରୀଡ଼ା ବିଭାଗ କର୍ତୃପକ୍ଷଙ୍କୁ କୁହାଯାଇଛି।  ପାର୍କିଂ ସ୍ଥଳରେ ଉଜ୍ଜ୍ୱଳ ଲାଇଟ୍‌ ବ୍ୟବସ୍ଥା କରିବା ସହିତ କାର୍‌ ଓ ବାଇକ୍‌ ପାର୍କିଂ ଅଲଗା ଅଲଗା କରିବାକୁ କୁହାଯାଇଛି। ଯେମତି ପ୍ରବେଶପଥରେ ଭିଡ଼ ନ ରହିବ ସେଥିପାଇଁ କଳିଙ୍ଗ ଷ୍ଟାଡିୟମର ପ୍ରବେଶ ପଥରେ ବ୍ୟାରିକେଡ୍‌ କରାଯିବ। ଖେଳ ଚାଲିଥିବା ସମୟରେ ଅଗ୍ନିଶମ  କର୍ମଚାରୀମାନେ ମଧ୍ୟ ମୁତୟନ ହେବେ।

ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦର କର୍ତୃପକ୍ଷ, ସିଆଇଏସ୍‌ଏଫ୍‌, ହୋଟେଲ ଓ ଖେଳ ପଡ଼ିଆରେ ସେମାନଙ୍କ ସୁରକ୍ଷା ନେଇ ବୈଠକରେ ଆଲୋଚନା କରାଯାଇଥିଲା।  ପଡ଼ିଆ ନିକଟରେ କ୍ୟୁଏଟି, ଷ୍ଟ୍ରାଇକିଂ ଫୋର୍ସ, ଟ୍ରାଫିକ ପୁଲିସ ବ୍ୟାପକ ପରିମାଣର ମୁତୟନ ହେବେ।  ଏହି ବୈଠକରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ,  ଡିସିପି ସତ୍ୟବ୍ରତ ଭୋଇ, ହକି ଇଣ୍ଡିଆ କର୍ତୃପକ୍ଷ, ସିଆଇଏସ୍‌ଏଫ୍‌ର ଅଧିକାରୀ ଓ ବିମାନବନ୍ଦର କର୍ତୃପକ୍ଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର