ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେନି ସେବାୟତ ପ୍ରତିନିଧି

ପୁରୁଣା ଭୁବନେଶ୍ୱର: ଆସନ୍ତା ମାର୍ଚ ୧୧ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ ତଥା ଜାଗରଯାତ୍ରା। ଏନେଇ ଆଜି ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବିଡିଏ କାର୍ଯ୍ୟାଳୟ‌‌‌ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଏଥିରେ ତିନି ପ୍ରମୁଖ ନିଯୋଗର ପ୍ରତିନିଧି ଯୋଗ ନଦେବା ଘଟଣା ଆଜି ଆଲୋଚ୍ୟ ବିଷୟ ହୋଇଛି।

ଜାଗର ଯାତ୍ରାରେ ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା, ମନ୍ଦିର ଚାରିପଟ ସଫେଇ, ସବୁ ଛକରେ ପିଇବା ପାଣି ବ୍ୟବସ୍ଥା କରାଯିବା ସହ ମନ୍ଦିରକୁ ସାଜସଜ୍ଜା କରିବା, ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମରାମତି, ମଇଳା ସଫେଇ ଓ ଡ୍ରେନ୍‌ରେ ସ୍ଲାବ୍‌ ପକାଇବା, ଯାତ୍ରାର ପୂର୍ବ ଓ ପରଦିନ ଯଥେଷ୍ଟ ଅଧିକ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ନେଇ ବୈଠକରେ ଆଲେଚାନା କରାଯାଇଥିଲା। ସେହିପରି ଗତବର୍ଷ ପରି ଚଳିତବର୍ଷ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ବୈଠକରେ କୌଣସି ସେବାୟତ ପ୍ରତିନିଧି ଯୋଗ ଦେଇନଥିବାରୁ ବୈଠକ ଅଳ୍ପ ସମୟ‌ ମଧ୍ୟରେ ସରି ଯାଇଥିଲା। ମନ୍ଦିର କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବିଏମ୍‌ସି ଅତିରିକ୍ତ କମିସନର୍‌ ଅବନୀକାନ୍ତ ପଟ୍ଟନାୟକ, ଡେପୁଟି କମିସନର୍ କମଲଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

‌‌ତେବେ ବୈଠକରେ ଯୋଗ ନ ଦେବାର କାରଣ ସଂପର୍କ‌‌ରେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ପତି କହିଛନ୍ତି, ବୈଠକ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳ ଡାକିବା କଥା। ଏହାକୁ ବିଏମ୍‌ସି କମିସନର କିପରି ଡାକିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ସେବାୟତଙ୍କ ବେବନ୍ଦୋବସ୍ଥ ଜମିଗୁଡ଼ିକ ସେବାୟତଙ୍କ ନାମରୁ କଟି ଲିଙ୍ଗରାଜଙ୍କ ନାମରେ କରାଯାଉଛି। ହାଣ୍ଡିଭଙ୍ଗା ଯାତର ସମାଧାନ ମଧ୍ୟ ହୋଇନଥିବାରୁ ବୈଠକରେ କୌଣସି ସେବାୟତ ପ୍ରତିନିଧି ଯୋଗ ଦେଇନାହାନ୍ତି ବୋଲି ସେ କହିଛନ୍ତି। ବଡ଼ୁ ନିଯୋଗର ସମ୍ପାଦକ କମଳା ବଡ଼ୁ ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ବ୍ୟକ୍ତିଗତ କାମ ଯୋଗୁଁ ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ କୁମାର ସମର୍ଥା ଯାଇ ପାରିଲେ ନ‌ାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର