ଦୁର୍ଗାପୂଜା ପ୍ରସ୍ତୁତି, ବାଜିଲା ପାର୍ବଣ ବିଗୁଲ୍‌

ଭୁବନେଶ୍ବର: କଟକଣା ମଧ୍ୟରେ ଶାରଦୀୟ ପାର୍ବଣର ବିଗୁଲ୍‌ ବାଜିଛି। ମହାମାୟାଙ୍କ ଜନ୍ମୋତ୍ସବରେ ମା’ଙ୍କ ପାଇଁ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ଦୁର୍ଗାପୂଜା ପ୍ରସ୍ତୁତି। କୁଆଖାଇ ନଦୀପଠାରେ ଆଜି ମଧ୍ୟାହ୍ନ ମଧ୍ୟରେ ୨୬ଟି ଦୁର୍ଗାପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଥିଲା। ଦୟାନଦୀ ପଠାରେ ମଧ୍ୟ କିଛି ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ କରାଯାଇଥିଲା। ମାତ୍ର ପ୍ରତିବର୍ଷ ଭଳି ଏଥର ଆଉ ଘଣ୍ଟ, ଶଙ୍ଖ, ବାଜା ଓ ତୁରୀର ମାଙ୍ଗଳିକ ଧ୍ବନିରେ ନଦୀ ଘାଟ ଉଚ୍ଛୁଳି ନଥିଲା। ହାତଗଣତି ଲୋକଙ୍କ ଗହଣରେ ଏହି ମୃତ୍ତିକା ଆନୟନ ପର୍ବ ସୀମିତ ରହିଥିଲା। ରାଜଧାନୀର ପୂଜା କମିଟିମାନେ ନଦୀଘାଟରୁ ମାଟି ଆଣି ପୂଜାର୍ଚ୍ଚନା କରିଥିଲେ। ପରେ ଏହି ମାଟି ସହରର ଦେବ ପୀଠ ପରିକ୍ରମା କରି ପୂଜା ମଣ୍ଡପମାନଙ୍କରେ ପହଞ୍ଚିଛି।

ସହିଦନଗର ଦୁର୍ଗାପୂଜା ସମିତି, ନୟାପଲ୍ଲୀ ଦୁର୍ଗାପୂଜା ସମିତି, ଡୁମୁଡୁମା, ପାଇକରାପୁର, ଚନ୍ଦ୍ରଶେଖରପୁର, କଳାରାହାଙ୍ଗ ଭଳି ବିଭିନ୍ନ ପୂଜା କମିଟିମାନେ ମୃତ୍ତିକା ଆନୟନ ପର୍ବରେ ସାମିଲ୍‌ ହୋଇ ପାର୍ବଣ ପାଇଁ ପ୍ରସ୍ତୁତି ନେଇ ବାର୍ତା ଦେଉଥିଲେ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ରାତି ମଧ୍ୟଭାଗରେ ‌ଦେବକୀଙ୍କ ଗର୍ଭରୁ କୃଷ୍ଣ ଜନ୍ମ ହୋଇଥିବା ବେଳେ ଯଶୋଦାଙ୍କ କୋଳରେ ଅମ୍ବିକା ଜନ୍ମ ହୋଇଥିଲେ। ଶ୍ରୀମଦ୍‌ ଭାଗବତ ଆଧାରରେ ମହାମାୟାଙ୍କ ଜନ୍ମ ମୁହୂର୍ତକୁ ଆଧାର କରି ଆଜି ମା’ଙ୍କ ପାଇଁ ମାଟି ଅନୁକୂଳ ପର୍ବ ଆୟୋଜିତ ହୋଇଥିଲା। ପୌରାଣିକ ଧାରାରେ ଆଜି ଏହି ମହାପାର୍ବଣର ଆଦ୍ୟ ପର୍ବର ଶୁଭାରମ୍ଭ ହୋଇଛି। ମାଙ୍ଗଳିକ ଧ୍ବନି ସହ ଏହି ପୂଜା ପାଇଁ ଜାଗ୍ରତ ହେବାକୁ ବାର୍ତା ମିଳିଛି। ସମିତିର ସମସ୍ତ ସଦସ୍ୟ ହାତରେ ସଂକଳ୍ପର ସୂତା ବାନ୍ଧି ନିଷ୍ଠାରେ ରହି ମା’ଙ୍କ ଶାରଦୀୟ ପୂଜାକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ସଂକଳ୍ପ ନେଇଛନ୍ତି। କୁଆଖାଇ ନଦୀଘାଟଠୁ ନେଇ ଦୟା ନଦୀଘାଟରେ ଏହି ଆଦ୍ୟ ପର୍ବକୁ ନେଇ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବିଶେଷକରି ବିଭିନ୍ନ ପୂଜା କମିଟି ପକ୍ଷରୁ ମୃଣ୍ମୟୀ ମୂର୍ତି ପାଇଁ ମାଟି ନେବାର ଦୃଶ୍ୟ ଦେଖିବାକୁ ନଦୀଘାଟ ଓ ଓଭରବ୍ରିଜ୍‌ ଉପରେ ଲୋକେ ଅଟକି ଯାଉଥିଲେ। ପୂର୍ବାହ୍ନରୁ ଅପରାହ୍‌ଣ ପର୍ଯ୍ୟନ୍ତ ରାଜଧାନୀ ଓ ଉପକଣ୍ଠରୁ ବହୁ ପୂଜା କମିଟି ମାଟି ଅନୁକୂଳ କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର