ଭୁବନେଶ୍ବର : ବିଏମ୍ସି ଅଞ୍ଚଳରେ ବୁଥ୍କୁ ନେଇ ରହିଥିବା ଅଭିଯୋଗ ଉପରେ ବିଚାର ଚାଲିଛି। ପ୍ରସ୍ତାବ ଦାଖଲ ଅବଧି ଶେଷ ହେବା ପରେ ଏଡିଏମ୍ଙ୍କ କାର୍ଯ୍ୟାଳୟରେ ଅଭିଯୋଗଗୁଡ଼ିକ ଉପରେ ବିଚାର ହେବା ସହ ତାଲିକା ପ୍ରସ୍ତୁତ ହେଉଛି। ଆଜି ଏହି ତାଲିକା ପ୍ରସ୍ତୁତ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯିବା ପାଇଁ ଯୋଜନା ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୋହର ବାଜି ସାରିବା ପରେ ଆସନ୍ତା ୨୪ତାରିଖ ଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗଦାଗଦା ଅଭିଯୋଗ ଥିବାରୁ ଏଡିଏମ୍ଙ୍କ କାର୍ଯ୍ୟାଳୟରେ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ କସରତ ଚାଲିଥିବା ଜଣାପଡ଼ିଛି।
ବିଏମ୍ସିର ବରିଷ୍ଠ ଅଧିକାରୀ, ଭୋଟର୍ ଲିଷ୍ଟ ପ୍ରସ୍ତୁତ କରିଥିବା ବିଏଲ୍ଓ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ୯ଟି ଦଳ ଏହି ତାଲିକା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବିଏମ୍ସିର ୪୦ରୁ ଊର୍ଦ୍ଧ୍ବ ୱାର୍ଡରୁ ଅଭିଯୋଗ ଆସିଛି। ଭୋଟର୍ମାନଙ୍କ ନାମ ଅନ୍ୟ ୱାର୍ଡକୁ ଚାଲିଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। କେତେକ ଭୋଟର୍ଙ୍କ ନାମ ଚିଠା ତାଲିକାରେ ବିଲକୁଲ ନଥିବା ମଧ୍ୟ ଅଭିଯୋଗ ହୋଇଛି। ୨୦୨୨ ଜାନୁଆରି ୧ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଭୋଟର୍ ତାଲିକାରେ ସାମିଲ ହୋଇନଥିବା ଭୋଟର୍ଙ୍କୁ ଏହି ତାଲିକାରେ ଯୋଗ କରିବା ବ୍ୟବସ୍ଥା ନଥିବାରୁ ସେମାନେ ପ୍ରକ୍ରିୟାରୁ ବାଦ୍ ପଡ଼ିବାକୁ ଯାଉଥିବା ନିଶ୍ଚିତ ହୋଇଛି। ତେବେ କେତେକ ଭୋଟର୍ ୨୦୨୨ ଜାନୁଆରି ସୁଦ୍ଧା ପ୍ରକାଶିତ ତାଲିକାରେ ଥାଇ ମଧ୍ୟ ଚିଠା ତାଲିକାରୁ ବାଦ୍ ପଡ଼ିଥିବା ପରିଲକ୍ଷିତ ହୋଇଛି। ତାଲିକା ମେଳ କରାଇବା ବେଳେ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ସେମାନଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଉଛି। ଉଲ୍ଲେଖଯୋଗ୍ୟ, ଚିଠା ତାଲିକାରେ ୭ ଲକ୍ଷ ୨୭ ହଜାର ୪୫୬ ଜଣ ଭୋଟର୍ ରହିଛନ୍ତି। ନୂଆ ଭୋଟର ଯୋଗ ହେବା ବ୍ୟବସ୍ଥା ନଥିବାରୁ ଚୂଡ଼ାନ୍ତ ତାଲିକାରେ ଭୋଟର ସଂଖ୍ୟା ପରିବର୍ତ୍ତନ ନ ହେବା ସ୍ପଷ୍ଟ ହୋଇଛି।