ଭୁବନେଶ୍ବର: ଝାରପଡ଼ା ଦୁର୍ଗାପୂଜାମଣ୍ଡପରେ ଦୁର୍ଗାପୂଜା ପାଳନରେ କଟକଣା ଓ ୧୪ ବର୍ଷର ଝାରପଡ଼ା ଦୁର୍ଗାପୂଜା କମିଟି ଦୁଇଭାଗ ହେବା ପରେ କମିଟିରୁ ଅଲଗା ହୋଇଥିବା ଝାରପଡ଼ା ଗାଁର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଭିନ୍ନ ଭାବେ ନୂଆ କରି ଆଉ ଆଉ ଏକ ‘ଝାରପଡ଼ା ଦୁର୍ଗାପୂଜା ସମିତି’ ଗଠନ କରିଛନ୍ତି। ନବଗଠିତ ଏହି ସମିତି ପକ୍ଷରୁ ଝାରପଡ଼ା ମେଳଣ ପଡ଼ିଆରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ମୃ୍ଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇଛି। ଗାଁ ଲୋକେ ବିଧିପୂର୍ବକ ପୂଜାର୍ଚ୍ଚନା କରି ଆଜି କୁଆଖାଇ ନଦୀରୁ ମାଟି ଅନୁକୂଳ କରିଛନ୍ତି। ଅନୁକୂଳ ମାଟି ଝାରପଡ଼ା ଦୁର୍ଗାପୂଜା ମଣ୍ଡପଠାରେ ଥିବା ମା’ଙ୍କ ପୀଠ ଓ ଝାରପଡ଼ା ଗ୍ରାମଦେବୀ ମା’ ଡାଳଖାଇଙ୍କ ପାଖକୁ ଶୋଭାଯାତ୍ରା ସହକାରେ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଅନୁକୂଳ ମାଟିକୁ ମେଳଣ ପଡ଼ିଆର ମୂର୍ତ୍ତ ନିର୍ମାଣ ସ୍ଥଳକୁ ନିଆଯାଇଛି। ଶନିବାରଠାରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି।
ନବଗଠିତ ସମିତିର ସଭାପତି ପ୍ରଭାତ ମାର୍ଥା, ସାଧାରଣ ସଂପାଦକ ପ୍ରକାଶ କୁମାର ସାମନ୍ତରାୟ କହିଛନ୍ତି, ଝାରପଡ଼ା ଗାଁ ଲୋକେ ୨୦୧୧ ମସିହାରେ ଝାରପଡ଼ା ଦୁର୍ଗାପୂଜା କମିଟି ଗଠନ କରିଥିଲେ। ସେ ସମୟରେ ଜଗନ୍ନାଥ ପ୍ରଧାନ କମିଟିର ସଂପାଦକ ଥିଲେ। ରାଜନୀତିକୁ ଆସିବା ପରେ ସେ ୨୦୧୪ ମସିହାରେ ସଂପାଦକ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ସଦସ୍ୟ ରହିଥିଲେ। ପରେ ହଠାତ୍ ଜାଣିବାକୁ ପାଇଥିଲୁ କି ୧୭୬ଜଣ ସଦସ୍ୟଙ୍କୁ ବିନା କାରଣରେ କମିଟିରୁ ବାହାର କରି ଦିଆଯାଇଥିଲା। ଏହାକୁ ନେଇ ଖୋଳତାଡ଼ ଓ ବିବାଦ ପରେ କଥା ଏଡିଏମ୍ଙ୍କ ପାଖରେ ପହଞ୍ଚିଥିଲା। ଏଡିଏମ୍ଙ୍କ ହସ୍ତକ୍ଷେପ ପରେ ବି ବିବାଦର ସମାଧାନ ହୋଇନଥିଲା। ପୂର୍ବରୁ ବିବାଦ କାରଣରୁ ଝାରପଡ଼ା ଦୁର୍ଗାପୂଜାମଣ୍ଡପ ପଡ଼ିଆରେ ଭାରତୀୟ ନ୍ୟାୟ ସଂହିତା ୧୬୩ ଧାରା ଜାରି କରାଯାଇଛି ଓ ଏହା ଅଦ୍ୟାବଧି ବଳବତ୍ତର ରହିଛି। ଏଣୁ କେହି ପୂଜାମଣ୍ଡପ ପଡ଼ିଆକୁ ପ୍ରବେଶ କରି ପାରୁନାହାନ୍ତି। ବିପକ୍ଷ ଗୋଷ୍ଠୀ ଏହି କଟକଣା ହଟାଇବା ସପକ୍ଷରେ ହାଇକୋର୍ଟକୁ ଯାଇଥିଲେ। ହାଇକୋର୍ଟ ଝାରପଡ଼ା ଦୁର୍ଗାପୂଜାମଣ୍ଡପକୁ ଛାଡ଼ି ଅନ୍ୟ ଜାଗାରେ ଅନୁମତି ନେଇ ପୂଜା କରିବାକୁ କହିଛନ୍ତି। ଝାରପଡ଼ା ଗାଁର ଦୁର୍ଗାପୂଜା କେବେ ବନ୍ଦ ହୋଇନି କି ହେବନି।
ଏଣୁ ଆମେ ନୂଆ ସମିତି ଗଠନ କରିବା ପରେ ମେଳଣପଡ଼ିଆରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ। ମା’ଙ୍କ ମୂର୍ତ୍ତି ନିର୍ମାଣ ପୂର୍ବରୁ ଆଜି ମାଟି ଅନୁକୂଳ ହୋଇଛି। ପୂର୍ବ ନିଷ୍ପତ୍ତିକ୍ରମେ ଆଜି ସକାଳେ ଝାରପଡ଼ା ଗାଁ ଲୋକେ ରାମମନ୍ଦିରଠାରେ ଏକାଠି ହୋଇଥିଲେ। ସେଠାରୁ କୁଆଖାଇକୁ ମାଟି ଉଠାଇବା ପାଇଁ ଯାଇଥିଲେ। କୁଆଖାଇ ନଦୀରୁ ମାଟି ଆସିବା ପରେ ଗ୍ରାମଦେବୀ ମା’ ଡାଳଖାଇଙ୍କ ପାଖକୁ ଯାଇଥିଲା ଓ ସେଠାରେ ପୂଜାର୍ଚ୍ଚନା ହୋଇଥିଲା। ପରେ କୋର୍ଟଙ୍କ ଆଦେଶ ଅନୁସାରେ ୩ଜଣ ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ମା’ଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ ପୀଠରୁ ଆଜ୍ଞାମାଳ ଆସିବା ପରେ ମେଳଣ ପଡ଼ିଆକୁ ଶୋଭାଯାତ୍ରା ସହକାରେ ମାଟି ନିଆଯାଇଥିଲା। ସାଧାରଣ ସଂପାଦକ ଶ୍ରୀ ସାମନ୍ତରାୟ କହିଛନ୍ତି, ନୂଆ ସମିତି ହୋଇଥିଲେ ବି ଝାରପଡ଼ା ଦୁର୍ଗାପୂଜା ପଡ଼ିଆରେ ଯେଉଁଭଳି ପୂଜା ହେଉଥିଲା, ଆମେ ଯଥାସମ୍ଭବ ସେଭଳି ପୂଜା ଆୟୋଜନର ଲକ୍ଷ୍ୟ ରଖିଛୁ। ସମୟ ଓ ଅର୍ଥ ସମସ୍ୟା କାରଣରୁ ଏଥର ବଙ୍ଗାଳୀ କାରିଗର ଆଣିପାରୁନୁ। କଟକ ବଙ୍ଗାଳୀସାହିରୁ କାରିଗର ଆସି ମୂର୍ତ୍ତି ନିର୍ମାଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/30/adgdagdda-2025-08-30-04-20-29.jpg)