ଝଲମଲ ରାଜଧାନୀ

ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ରାଜଧାନୀ ଝଲସିଲାଣି। ପୂରା ଭୁବନେଶ୍ବରକୁ ରଙ୍ଗିନ ଆଲୋକରେ ସଜେଇ ଦିଆଯାଇଛି। ପାର୍କରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁ ନୂଆ ରୂପ ପାଇଛି। ଚିକିମିକିଆ ରାଜଧାନୀ ଏବେ ରାଜଧାନୀବାସୀଙ୍କୁ କିଛି କ୍ଷଣ ପାଇଁ ରାସ୍ତାରେ ଅଟକାଇ ରଖୁଛି। ହକି ବିଶ୍ବକପ୍ ସମୟରେ ରାଜଧାନୀକୁ ଆସିବାକୁ ଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ଯେମିତି କିଛି କ୍ଷଣ ପାଇଁ ଗୋଟିଏ ସ୍ଥାନରେ ଅଟକି ରହିବେ, ପାର୍କ ହେଉ କି ସ୍ମାର୍ଟ ଜନପଥ, ମନ୍ଦିର ହେଉ କି ଐତିହ୍ୟ କୀର୍ତ୍ତିରାଜି ସବୁଠି ମନୋରଞ୍ଜନ ପାଇଁ ଯେପରି ସବୁ ପ୍ରକାରର ଖୋରାକ୍ ମିଳିବ ଏହାକୁ ନଜରରେ ରଖି ରାଜଧାନୀ ସଜେଇ ହୋଇଛି। ରାଜଧାନୀରେ ଲାଗିଥିବା ରଙ୍ଗିନ୍ ଆଲୋକ ଏବଂ ସାଜସଜ୍ଜା ପ୍ୟାରିସ୍‌ ଓ ସିଙ୍ଗାପୁର ଭଳି ସହରକୁ ପଛରେ ପକାଇବାକୁ ପ୍ରସ୍ତୁତ ହେଲାଣି।

ଚାଲିବାକୁ ସବୁଜ, ସାଇକେଲ୍‌ ପାଇଁ ଲାଲ୍‌ ଟ୍ରାକ୍

ରାସ୍ତାରେ କେବଳ ଯାନବାହନ ଚଳାଚଳ ପାଇଁ ବ୍ୟବସ୍ଥା ରହିବନି। ପଥଚାରୀ ଓ ସାଇକେଲ୍‌ ଚାଳକ ବି ଯେପରି ସହଜରେ ଓ ନିରାପଦ ଭାବେ ଯାତାୟାତ କରିପାରିବେ ସେଥିପାଇଁ ସ୍ବତନ୍ତ୍ର ଟ୍ରାକ୍ ପ୍ରସ୍ତୁତ ହୋଇଛି। ଫୁଟପାଥ୍‌କୁ ସବୁଜ ରଙ୍ଗ ଦିଆଯାଇଥିବାବେଳେ ସାଇକେଲ୍‌ ଆରୋହୀଙ୍କ ପାଇଁ ଲାଲ୍‌ ରଙ୍ଗର କରିଡର୍‌ କରାଯାଇଛି। ସାଇକେଲ ଚଳାଇବାରେ ଯେପରି ଅସୁବିଧା ନହେବ ସେଥିପାଇଁ ଗାଡ଼ି ଚାଳକମାନେ ନିୟମ ମାନିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହାସହ ସମସ୍ତ ଫୁଟପାଥ୍ କେବଳ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏହା ଯେପରି ଜବରଦଖଲ ନହେବ ସେଥିପାଇଁ ୮ଟି ସ୍କ୍ବାଡ୍ ଗଠନ କରାଯାଇଛି।

୬ ପାର୍କରେ ସ୍ବତନ୍ତ୍ର ସାଜସଜ୍ଜା

ହକି ବିଶ୍ବକପ୍ ପୂର୍ବରୁ ରାଜଧାନୀର ୭ଟି ପାର୍କକୁ ସ୍ବତନ୍ତ୍ର ଭାବେ ସଜା ଯାଇଛି। ଏଥିରେ ଆଇଜି ପାର୍କ, ଫରେଷ୍ଟ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ମହାତ୍ମା ଗାନ୍ଧୀ ପାର୍କ, ଖାରବେଳ ପାର୍କ ଏବଂ ମଧୁସୂଦନ ପାର୍କକୁ ସ୍ବତନ୍ତ୍ର ଭାବେ ସଜା ଯାଇଛି। ବିଡିଏ ପକ୍ଷରୁ ଏହି ପାର୍କଗୁଡ଼ିକୁ ନୂଆ ରୂପ ଦିଆଯିବା ସହ ଆଲୋକୀକରଣ କରାଯାଇଛି। ଆଜି ଆଇଜି ପାର୍କରେ ନବୀକରଣ ହୋଇଥିବା ଫାଉଣ୍ଟେନ୍‌କୁ ପରୀକ୍ଷାମୂଳକ ଭାବେ ଚଲାଯାଇଛି।

ଏଲ୍ଇଡି ଆଲୋକରେ ଓଭରବ୍ରିଜ୍

ଜୟବେଦବ ବିହାର, ଆଚାର୍ଯ୍ୟ ବିହାର ଓ ବାଣୀ ବିହାର ଓଭରବ୍ରିଜ୍‌ର ତଳ ପାର୍ଶ୍ବରେ ଆକର୍ଷଣୀୟ ଥ୍ରିଡି ଚିତ୍ର ଅଙ୍କା ଯାଇଥିବାବେଳେ ଏହି ତିନିଟି ଓଭରବ୍ରିଜ୍‌ର ବାଡ଼କୁ ଏଲ୍ଇଡି ଆଲୋକରେ ସଜାଯାଇଛି। ବିଭିନ୍ନ ରଙ୍ଗବେରଙ୍ଗରେ ଆଲୋକରେ ଏହା ଝଲସୁଛି। ତ୍ରିରଙ୍ଗାର ତିିନି ରଙ୍ଗ କେତେବେଳେ ଝଲସୁଛି ତ କେତେବେଳେ ସପ୍ତରଙ୍ଗରେ ପୂରା ବ୍ରିଜ୍ ଆଖି ଝଲସାଇ ଦେଉଛି। ରାସ୍ତା ଉପରେ ଇନ୍ଦ୍ରଧନୁ ଖସିପଡ଼ିଥିବା ହୃଦ୍‌ବୋଧ ହେଉଛି। ଯିଏ ଦେଖୁଛି, କ୍ଷଣେ ଅଟକିଯାଇ ସେଲ୍‌ଫି ନେଉଛି। ଏପରିକି ଅଧରାତିରେ ଏହି ଦୃଶ୍ୟକୁ ଦେଖିବା ପାଇଁ ଅନେକ ଘୂରି ବୁଲୁଛନ୍ତି।

୧୭ ମନ୍ଦିର ହେଉଛି ଆଲୋକୀକରଣ

ପୁରୁଣା ଭୁବନେଶ୍ବରରେ ସକାଳ ବେଳା ଐତିହ୍ୟ ପଦଯାତ୍ରା ହେଉଥିବାବେଳେ ସଂଧ୍ୟାରେ ଯେପରି ପର୍ଯ୍ୟଟକମାନେ ମନ୍ଦିରମାଳିନୀ ସହର ଓ ଏକାମ୍ର କ୍ଷେତ୍ର ବୁଲିପାରିବେ ସେଥିପାଇଁ ୧୭ଟି ମନ୍ଦିରକୁ ଆଲୋକୀକରଣ କରାଯାଇଛି। ଏଥିରେ ଅନନ୍ତ ବାସୁଦେବ ମନ୍ଦିର, ମାର୍କଣ୍ଡେଶ୍ବର ମନ୍ଦିର, ଶାରୀ ମନ୍ଦିର, ବଇତାଳ ମନ୍ଦିର, ଭବାନୀ ଶଙ୍କର ମନ୍ଦିର, ଚିତ୍ରକାରିଣୀ ମନ୍ଦିର, ଡାକରା ବିଭୀଷଣେଶ୍ବର ମନ୍ଦିର, ସ୍ବର୍ଣ୍ଣ ଜଳେଶ୍ବର ମନ୍ଦିର, ବକ୍ରେଶ୍ବର ମନ୍ଦିର, ଦେବୀ ପାଦହରା ମନ୍ଦିର, ନବ‌େକଶ୍ବର, ପାପନାଶିନୀ ଓ ମୈତ୍ରେଶ୍ବର ମନ୍ଦିର, ଐଶାନେଶ୍ବର ମନ୍ଦିର, ମର୍କତେଶ୍ବର ମନ୍ଦିର, ଦ୍ବାରଭସାଣି ମନ୍ଦିର, ମୋହିନୀ ମନ୍ଦିର ଏବଂ ଯମେଶ୍ବର ମନ୍ଦିର ଅଛି। ଏବେ ୧୦ଟି ମନ୍ଦିରର ଆଲୋକୀକରଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଦୁଇ ଦିନ ଭିତରେ ବାକି ୭ ମନ୍ଦିରର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ। ଏସେଲ୍ ମାଇନିଙ୍ଗ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ରୁଙ୍ଗଟା ମାଇନ୍‌ସ, ଏସ୍‌.ଏନ୍ ମହାନ୍ତି ଗ୍ରୁପ୍ ଏବଂ ଏମ୍‌ଜିଏମ୍‌ ଗ୍ରୁପ୍ ସିଏସ୍‌ଆର୍ ଅନୁଦାନରେ ରାଜଧାନୀରେ ଆଲୋକୀକରଣ କାର୍ଯ୍ୟ କରୁଛନ୍ତି। ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ଏହି କମ୍ପାନିଗୁଡ଼ିକ ଏହାର ରକ୍ଷଣାବେକ୍ଷଣ କରିବେ ବୋଲି ଜଣାପଡ଼ିଛି।

ଅନ୍ୟତମ ଆକର୍ଷଣ ୩୦ଫୁଟ ଉଚ୍ଚର ବିଶ୍ବକପ୍ ଟ୍ରଫି

ଉଦ୍‌ଘାଟନୀ ଉତ୍ସବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବାକୁ ଯାଉଛି ହକି ବିଶ୍ବକପ୍‌ ଟ୍ରଫିର ପ୍ରତିକୃତି। ୩୦ ଫୁଟ ଉଚ୍ଚର ଏହି ପ୍ରତିକୃତି ପଡ଼ିଆ ସାରା ପରିକ୍ରମା କରିବା ପାଇଁ ବ୍ୟବସ୍ଥା କରାଯାଉଛି। ରିମୋଟ୍‌ ଦ୍ବାରା ନିୟନ୍ତ୍ରଣ କରାଯାଇ ଏହାକୁ ପଡ଼ିଆ ସାରା ବୁଲାଯିବ। ଏହାର ପରିକ୍ରମାରେ ସମସ୍ୟା ଉପୁଜିଲେ ଏହାକୁ ପଡ଼ିଆ‌ର ଗୋଟିଏ କୋଣରେ ସ୍ଥାପନ କରିବାକୁ ଯୋଜନା ଅଛି। ମୁମ୍ବାଇ ଫିଲ୍ମ ସିଟିରେ ଅଧିକାଂଶ ଫିଲ୍ମର ସେଟ୍‌ ତିଆରି କରୁଥିବା ଏକ ନାମକରା ସଂସ୍ଥା ଏହି ସେଟ୍‌କୁ ପ୍ରସ୍ତୁତ କରୁଛି। ଏ ସବୁ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ୫ ଦିନ ଧରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ପ୍ରସ୍ତୁତି ଚାଲିଥିବା ବେଳେ ଆଉ ତିନିଦିନ ମଧ୍ୟରେ ମଞ୍ଚ ପ୍ରସ୍ତୁତି ଶେଷ ହେବ ବୋଲି ଆୟୋଜକ କହିଛନ୍ତି।

ସମ୍ବନ୍ଧିତ ଖବର