ସମନ୍ବୟ ବୈଠକରେ ମହାଶିବରାତ୍ରି ପ୍ରସ୍ତୁତି: ଆଡ଼କାଠରୁ ଦର୍ଶନ

ମହନ ମଣ୍ଡପରେ ପୂଜା , ସନ୍ଦିଗ୍ଧଙ୍କ କରୋନା ପରୀକ୍ଷା

ପୁରୁଣା ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖରେ ପଡ଼ୁଛି ମହାଶିବରାତ୍ରି ବା ପବିତ୍ର ଜାଗର। ପ୍ରଥା ଓ ପରମ୍ପରା ଅନୁସାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଆଡ଼ମ୍ବରରେ ପାଳିତ ହେବ ଏହି ପ୍ରସିଦ୍ଧ ପର୍ବ। ତେଣୁ ଆଜି ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କରୋନା କଟକଣା, ଟ୍ରାଫିକ୍‌ ପରିଚାଳନା, ବିଏମ୍‌ସି, ଆର୍‌ଏଣ୍ଡ୍‌ବି, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନଶୃଙ୍ଖଳା ଆଦି ବିଷୟରେ ଆଲୋଚନା ହୋଇଥିଲା।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମନ୍ଦିର ଗର୍ଭଗୃହ ଭିତରକୁ ଭକ୍ତ ବା ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ସମସ୍ତେ ଆଡ଼କାଠରୁ ଦର୍ଶନ କରିବେ। ସେହିଭଳି ଶ୍ରଦ୍ଧାଳୁମାନେ ମହନ ମଣ୍ଡପରେ ସବୁ ପ୍ରକାର ପୂଜା କରାଇବେ। ମନ୍ଦିର ପ୍ରବେଶ ପୂର୍ବରୁ କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ସୃଷ୍ଟି ହେଲେ, ଅର୍ଥାତ୍ କାଶ, ଛିଙ୍କ ଓ ଜ୍ବର ଭଳି ଲକ୍ଷଣ ଥିଲେ, ତାଙ୍କୁ ସ୍ବତନ୍ତ୍ର ଶିବିରକୁ ନେଇ ପରୀକ୍ଷା କରାଇବାକୁ ପଡ଼ିବ। ସନ୍ଦିଗ୍ଧମାନଙ୍କୁ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯିବ। ସେହିପରି ବିଏମ୍‌ସି ପକ୍ଷରୁ ରାସ୍ତା ମରାମତି ଓ ସଫେଇ କରାଯିବା ସହ ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପକାଇବା ବ୍ୟବସ୍ଥା କରାଯିବ।

ଜାଗର ପୂର୍ବ ଦିନ ଓ ପରଦିନ ଅଧିକ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ବିଏମ୍‍ସି ହସ୍ପିଟାଲ୍‌ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ। ଜାଗର ଦିନ ଓ ପରଦିନ ପୁରୁଣା ଭୁବନେଶ୍ବରକୁ ଅଧିକ ସଂଖ୍ୟାରେ ‘ମୋ ବସ୍‌’ ଚଳାଚଳ କରିବ। ପ୍ରତି ଅଧ ଘଣ୍ଟାରେ ଗୋଟିଏ ଟାଉନ୍‌ ବସ୍‌ ଲିଙ୍ଗରାଜ ମାର୍କେଟ ନିକଟକୁ ଆସିବ। ପିଡବ୍ଲ୍ୟୁଡି ପକ୍ଷରୁ ମନ୍ଦିର ପାଚେରି କଡ଼ରେ ଅସ୍ଥାୟୀ ବ୍ୟାରିକେଡ୍‌ ନିର୍ମାଣ କରାଯିବ। ଲମ୍ବା ବ୍ୟାରିକେଡ୍‌ ଉପରେ ଛାମୁଣ୍ଡିଆ କରାଯିବ। ଭକ୍ତଙ୍କ ସୁବିଧା ପାଇଁ ତଳେ ମ୍ୟାଟ୍‌ ପକାଯିବ।

ମନ୍ଦିର ପରିସରରେ ଓ ବାହାରେ ଡାକବାଜି ଯନ୍ତ୍ର ଦ୍ବାରା ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯିବ। ବିଏମ୍‌ସି ପକ୍ଷରୁ ୩ଟି ସ୍ଥାନରେ ଓ ୱାଟ୍‌କୋ ପକ୍ଷରୁ ବିଭିନ୍ନ ଛକମାନଙ୍କରେ ୭ଟି ସ୍ଥାନରେ ପାଣିଟାଙ୍କି ରଖାଯିବ। ବିଏମ୍‍ ହାଇସ୍କୁଲ ଓ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ପରିସରରେ ଯାନବାହାନ ରଖିବା ପାଇଁ ସ୍ଥିର କରାଯାଇଛି।

ଏହି ବୈଠକରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର, ଏଏସ୍‍ଆଇ ସଂଗ୍ରାହାଧୀକ୍ଷକ, ଜିଲ୍ଲା ସୂଚନା ବିଭାଗର ପଠାଣୀ ରାଉତ, ଗୌରଚନ୍ଦ୍ର ମହାପାତ୍ର, ୱାଟ୍‌କୋ ଏସ୍‌ଡିଓ ଈଶ୍ବର ଚନ୍ଦ୍ର ପ୍ରଧାନ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀ ପଟ୍ଟନାୟକ, ନିଯୋଗ ପ୍ରତିନିଧି ଅଞ୍ଚଳ ବଟୁ, କମଳାକାନ୍ତ ବଡ଼ୁ, ବିରଞ୍ଚି ପତି, ସଚ୍ଚିକାନ୍ତ ପୂଜାପଣ୍ଡା, ଅଗାଧୁ ପୂଜାପଣ୍ଡା, ଶ୍ୟାମସୁନ୍ଦର ମହାପାତ୍ର, ହେମନ୍ତ କୁମାର ପଣ୍ଡା, ପ୍ରଶାନ୍ତ ସମର୍ଥା ଓ ବହୁ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଗର୍ଭଗୃହ ସଫେଇ ପାଇଁ ରାଜି ହେଲା ଏଏସ୍ଆଇ

ମହାଶିବରାତ୍ରି ଦିନ ଗର୍ଭ ଗୃହକୁ ସଫା କରିବା ପାଇଁ ପୂର୍ବରୁ ଏଏସ୍‌ଆଇ ମନା କରୁଥିଲା। ମନ୍ଦିର ଭିତର ସଫା କରିବା ଏହି ବିଭାଗର କାମ ନୁହେଁ ବୋଲି ଏଏସ୍‌ଆଇ ଅଧିକାରୀ ସଫେଇ ଦେଇଥିଲେ। କିନ୍ତୁ ୧୯୫୫ ମସିହାରୁ ଏଥିପାଇଁ ମନ୍ଦିର ପ୍ରଶାସନ ସହ ଚୁକ୍ତି ହୋଇଛି ବୋଲି ସେବାୟତମାନେ ଯୁକ୍ତି ଦର୍ଶାଇଥିଲେ। ଶେଷରେ ଏଏସ୍ଆଇ ରାଜି ହୋଇଛି। ‌ଏଥିସହ ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ ବାନ୍ଧିବାକୁ ଏଏସ୍‌ଆଇକୁ କୁହାଯାଇଥିଲା। ସିଂହଦ୍ବାର କବାଟ ମରାମତି ପାଇଁ ଟେଣ୍ଡର କରାଯାଇଛି ଓ ଖୁବ୍‌ ଶୀଘ୍ର ଏହାର ପୁନରୁଦ୍ଧାର କରାଯିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।

ସେବାୟତଙ୍କ ଗର୍ଭଗୃହ ପ୍ରବେଶକୁ ନେଇ କଥା କଟାକଟି

ମନ୍ଦିର ଗର୍ଭଗୃହକୁ ସେବାୟତଙ୍କ ପ୍ରବେଶ ନେଇ ପ୍ରଥମେ ଆଲୋଚନା ହୋଇଥିଲା। ଏନେଇ ତିନି ନିଯୋଗ ନିଜ ନିଜର ମତ ରଖିଥିଲେ। ତେବେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ଚାଲିଥିଲା। କିନ୍ତୁ ଜିଲ୍ଲାପାଳ ସମସ୍ତଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ରାସ୍ତାକୁ ନେଇ ଉଦ୍‌ବେଗ

ଶ୍ରୀଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ପ୍ରାୟ ସମସ୍ତ ଖୋଳାଯାଇଛି। ସବୁ ରାସ୍ତାରେ ଖାଲଖମା ଓ ମାଟି ଗଦା ହୋଇରହିଛି। ଫଳରେ ସ୍ଥାନୀୟ ବାସିନ୍ଦାମାନଙ୍କ ସମେତ ପର୍ଯ୍ୟଟକମାନେ ହଇରାଣ ହେଉଛନ୍ତି। ମହାଶିବରାତ୍ରି ପରେ ରଥଯାତ୍ରା ପଡ଼ିବ। ତେଣୁ ରାସ୍ତାଗୁଡ଼ିକର କଦର୍ଯ୍ୟ ଅବସ୍ଥାକୁ ନେଇ ସେବାୟତମାନେ ଅଭିଯୋଗ କରିଥିଲେ। ରଥ ଦାଣ୍ଡ ଓ ଗ୍ୟାରେଜ୍‌ ଛକ ରୋଡ୍‌ କାମ ତୁରନ୍ତ ସାରିବାକୁ ନିର୍ଦେଶ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।

ମହାଦୀପ ଉଠିବା ବେଳେ କଟକଣା

ବିଧି ଅନୁସାରେ ମହାଦୀପ ନେଇ ମନ୍ଦିର ଚୂଡ଼ାକୁ ସୀମିତ ସଂଖ୍ୟକ ସେବାୟତ ଯିବେ। ଅଧିକ ସେବାୟତ ଯିବା ଉପରେ କଟକଣା ରହିବ। ସେହିପରି ମହାଦୀପରେ ଅମୁଣିଆ ଘିଅ ଢ଼ଳା ଯିବନାହିଁ। ଭିଡ଼ ନିୟନ୍ତ୍ରଣ ପାଇଁ ମହାଦୀପ ଉଠିବା ପରେ ମନ୍ଦିର ପରିସରରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରଥମେ ଖାଲି କରାଯିବ ଓ ପରେ ପୁଣି ଭିତରକୁ ପ୍ରବେଶ କରିବାକୁ ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର