ଭୁବନେଶ୍ୱର : ଆସନ୍ତା ବର୍ଷ ଦ୍ବିତୀୟାର୍ଦ୍ଧରେ ହୋଇପାରେ ବିଏମ୍ସି ନିର୍ବାଚନ। ତେଣୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଏମ୍ସି ରାଜନୀତି ସରଗରମ ହୋଇ ଉଠିଛି। ନୂଆ ଅଞ୍ଚଳରେ ନୂଆ କରି ନେତା ହେବାର ସ୍ବପ୍ନ ଦେଖୁଥିବା ଆଶାୟୀ ବେଶ୍ ଉତ୍ସାହିତ ଅଛନ୍ତି। ପୂର୍ବରୁ ବିଜ୍ଞପ୍ତି ମୁତାବକ ବିଏମ୍ସିରେ ସାମିଲ ହୋଇଥିବା ଅଞ୍ଚଳର ଲୋକେ ବି ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଥିବାରୁ ଅଧିକ ଉତ୍ସାହିତ ଅଛନ୍ତି। ତେଣୁ ଏହିସବୁ ଅଞ୍ଚଳର ଲୋକସଂଖ୍ୟା ଓ ଅନ୍ୟାନ୍ୟ ସ୍ଥିତି ବାବଦରେ ତଥ୍ୟ ଦେବା ପାଇଁ ବିଏମ୍ସି ଭୁବନେଶ୍ବର ବିଡିଓଙ୍କୁ ଚିଠି ଲେଖିଛି। ବିଡିଓ ତଥ୍ୟ ଦେବା ପରେ ବିଏମ୍ସି ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚଳିତ ମାସ ଶେଷ ସପ୍ତାହରେ ବିବରଣୀ ପ୍ରଦାନ କରିବ। ଏହା ପରେ ବିଭାଗ ସଂରକ୍ଷଣକୁ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ କରିବ। ଏହି ସଂରକ୍ଷଣ ତାଲିକାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏବେଠୁ ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ମଧ୍ୟରେ କସରତ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ବିଏମ୍ସିରେ ୱାର୍ଡ ସଂଖ୍ୟା ଆଉ ବଢ଼ିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ପାଇକରାପୁର, ଶଙ୍କରପୁର, ଭଗବାନପୁର, ପାତ୍ରପଡ଼ା ଓ କଳାରାହାଙ୍ଗ ଆଦି ୫ଟି ନୂଆ ଅଞ୍ଚଳ ପଡ଼ୋଶୀ ୱାର୍ଡରେ ସାମିଲ ହୋଇ ସାରିଛି। ଏବେ ଏହି ଵାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ମାସ ୩୦ ତାରିଖ ସୁଦ୍ଧା କେଉଁ ଅଞ୍ଚଳ କେଉଁ ୱାର୍ଡରେ ମିଶିବ, କେଉଁ ଵାର୍ଡ କେଉଁ ବର୍ଗ ପାଇଁ ସଂରକ୍ଷିତ ରହିବ ସେ ନେଇ ବିଏମ୍ସି ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ତେଣୁ ଏହି ୫ ନୂଆ ଅଞ୍ଚଳ ବିଷୟରେ ସବିଶେଷ ତଥ୍ୟ ଦେବାକୁ ଭୁବନେଶ୍ବର ବିଡିଓଙ୍କୁ ଚିଠି ଲେଖିଛି ବିଏମ୍ସି। ଏହି ଅଞ୍ଚଳ ବାବଦରେ ତର୍ଜମା କଲେ ବେଳେ ବିଚିତ୍ର ସ୍ଥିତି ପଦାକୁ ଆସିଛି। ଶଙ୍କରପୁର ରାଜସ୍ବ ଗାଁରେ ଜନସଂଖ୍ୟା ଶୂନ ଥିବା ଜଣାପଡ଼ିଛି। ତେବେ ଲୋକସଂଖ୍ୟା ନଥାଇ କିଭଳି ଏହି ନାମ ବିଏମ୍ସିରେ ସାମିଲ ହେବାକୁ ସୁପାରିସ ହୋଇଥିଲା ସେ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବାକି ୪ଟି ଅଞ୍ଚଳରେ ୧ହଜାରରୁ ୧୨୦୦ ଲେଖାଏଁ ଜନସଂଖ୍ୟା ଥିବା ଜଣାପଡ଼ିଛି। ୨୦୧୧ ଜନଗଣନା ଆଧାରରେ ଏହି ସବୁ ଅଞ୍ଚଳର ତଥ୍ୟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।
ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ସମ୍ପୃକ୍ତ ୱାର୍ଡରେ ୧ହଜାରୁ ୧୨୦୦ ଜନସଂଖ୍ୟା ବଢ଼ିବ। ସେମାନଙ୍କୁ ଟାର୍ଗେଟ୍ କରି ଏବେ ଆଶାୟୀ କସରତ ଆରମ୍ଭ କରିଛନ୍ତି। ତେବେ ସଂରକ୍ଷଣକୁ ନେଇ ବାରମ୍ବାର ନିର୍ବାଚିତ ହେଉଥିବା କର୍ପୋରେଟରମାନଙ୍କୁ ଚିନ୍ତା ଘାରିଛି। ନିଜେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ନ ପାରିଲେ ନିଜ ପରିବାର ସଦସ୍ୟଙ୍କୁ କିମ୍ବା ଅନୁଗତଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛନ୍ତି। ତେଣୁ ସେମାନେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ନିର୍ଦ୍ଧାରଣ ବିଏମ୍ସି କମିସନରଙ୍କ ଉପରେ ନିର୍ଭର କରୁଛି। ସେ ଯେପରି ଚାହିଁବେ ସେହି ଅନୁଯାୟୀ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ କରିବେ। ସଂରକ୍ଷଣ ସମୟରେ ଗତଥର ଯେଉଁ ବର୍ଗ ପାଇଁ ସଂରକ୍ଷଣ ଥିଲା, ସେଥିରେ ପରିବର୍ତ୍ତନ ହେବ। ଯଦି ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପୂର୍ବ ସଂରକ୍ଷିତ (ଆସନ) ବର୍ଗର ଲୋକ ଅଧିକ ଥିବେ ତେବେ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବର୍ଗ ପାଇଁ ଆସନ ସଂରକ୍ଷିତ ରହିବ। ଏହା କେତେକ ସ୍ଥାନରେ ଅଣସଂରକ୍ଷିତ ବି ହୋଇପାରେ। ଏଣୁ ଏହି ପୁରୁଣା ନେତା ଏବେ ବିଏମ୍ସି ଅଫିସ୍ ଘୂରି ବୁଲୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/BMC.jpg)