ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି

ରାଜି ହେଲେ ଅସନ୍ତୁଷ୍ଟ ସେବାୟତ

ପୁରୁଣା ଭୁବନେଶ୍ୱର : ବୁଧବାର ମହାଶିବରାତ୍ରି। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ସେବାୟତମାନଙ୍କ ରହିଛି ମୁଖ୍ୟ କାର୍ଯ୍ୟ। ବିଭିନ୍ନ ନୀତି ସୁରୁଖୁରୁରେ ଚାଲିଲେ ଠିକଣା ସମୟରେ ମହାଦୀପ ଉଠିବ। ତେବେ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବାରୁ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ସେବାୟତମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ପୁଣି ସେବାୟତଙ୍କ ସହ ଆଲୋଚନା କରାଯାଇଥିଲା। ଆଜି ଏନେଇ ସେବାୟତଙ୍କ ସହ ପୁଲିସ, ନେତା ଓ ଅଧିକାରୀମାନେ ଆଲୋଚନା କରିଥିଲେ। ୪ ନିଯୋଗର ପ୍ରମୁଖଙ୍କ ସହ ପୁଲିସ କମିସନର୍‌ ଓ୍ଵାବି ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଏଡିଏମ୍‌ ମନୋରଞ୍ଜନ ପାଣିଗ୍ରାହୀ, ଏସିପି ଓ ଆଇଆଇସି ଆଲୋଚନା କରିଥିଲେ। ସେବାୟତମାନେ ପୂର୍ବପରି ଠିକଣା ଭାବେ ଠାକୁରଙ୍କ କାର୍ଯ୍ୟ କରିବେ ବୋଲି କହିଥିଲେ।

ଭଜନ ଗାଇବେ ମୁମ୍ବାଇ କଣ୍ଠଶିଳ୍ପୀ

ପୁରୁଣା ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟସ୍ତରୀୟ ଭଜନ ସମାରୋହ। ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ସମାରୋହରେ ଆଦିତ୍ୟ ନାରାୟଣ ଓ ଅନୁପ ଜଲୋଟା ଭଜନ ପରିବେଷଣ କରିବେ। ଓଡ଼ିଶାର କୁମାର ବାପି, ସୁଧାକର ମିଶ୍ର, ପ୍ରଫୁଲ୍ଲ ବେହେରା, ଶୈଳଭାମା ମହାପାତ୍ର, ଅସୀମା ପଣ୍ଡା, କ୍ରିଷ୍ଣା ମିଶ୍ର, ଦିବ୍ୟା ଦାଶ, ପିନାକୀ ନାୟକ, ଗୀତା ଦାଶ, ଶାନ୍ତିଲତା ଛୋଟରାୟ, ଟି ସୌରୀ, ବିଶ୍ୱଜିତ ଦାଶ, ଅମରେଶ ମିଶ୍ର ପ୍ରମୁଖ ଭଜନ ପରିବେଷଣ କରିବେ ବୋଲି ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ଓ ସଭାପତି ସୁରେଶ କୁମାର ରାଉତରାୟ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅବସରରେ ଆଦିତ୍ୟ ନାରାୟଣ, ଅନୁପ ଜଲୋଟା, ଅଚ୍ୟୁତ ସାମନ୍ତ, ପୁଲିସ କମିସନର ଓ୍ଵାଇବି ଖୁରାନିଆ, ଶରତ ମଲିଆ, ହ୍ୟୁମାନ୍‌ ସାଗର, ଡ. ଚନ୍ଦନ ସେନାପତି, ଦୀପକ କୁମାର ମହାନ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଈଶାଣେଶ୍ୱର ମନ୍ଦିର: ରାତି ୧୦.୪୫ରେ ଉଠିବ ମହାଦୀପ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାରରେ ଥିବା ପ୍ରଭୁ ଈଶାଣେଶ୍ୱରଙ୍କ ପୀଠରେ ରାତି ୧୦.୪୫ରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ହାଉସିଂବୋର୍ଡରେ ଥିବା ପ୍ରଭୁ ଚନ୍ଦ୍ରଶେଖର, ଆଖଣ୍ଡଳମଣି ପୀଠରେ ମଧ୍ୟ ରାତି ପ୍ରାୟ ୯.୩୦ରେ ମହାଦୀପ ଉଠିବ। କାନନବିହାର ଫେଜ୍‌-୨ରେ ଥିବା କାନନେଶ୍ୱର ମନ୍ଦିର, ଶୈଳଶ୍ରୀବିହାର, ବିଡିଏରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିର, ପଟିଆରେ ଚନ୍ଦ୍ରଶେଖର ମନ୍ଦିର, କଳାରାହାଙ୍ଗ ଗ୍ରାମ ଜଳେଶ୍ୱର ମହାଦେବଙ୍କ ପୀଠରେ ଜାଗର ଧୁମ୍‌ଧାମରେ ପାଳିତ ହେବ। ମଞ୍ଚେଶ୍ୱର ଗ୍ରାମର ମଞ୍ଚେନାଥ ମହାଦେବ, ରଙ୍ଗମାଟିଆ ଗ୍ରାମର ରଙ୍ଗନାଥ ଦେବ, ଶୈଳଶ୍ରୀବିହରର ରଙ୍ଗେଶ୍ୱର ନାଥ, ପଥରଗାଡ଼ିଆ ଗ୍ରାମର ସିଦ୍ଧେଶ୍ୱର ବାବା, ଦାରୁଠେଙ୍ଗ ଗ୍ରାମର ବାଲୁଙ୍କେଶ୍ୱର ବାବା, ପଟିଆ ଗ୍ରାମର ନୀଳକଣ୍ଠେଶ୍ୱର ଦେବ, ଗାଡ଼କଣ ଗ୍ରାମର ଗଡ଼େଶ୍ୱରଦେବ, ଅଳଶୁଆ ଶ୍ରୀବାଣୀ କ୍ଷେତ୍ର ମହାଦେବ ବାବା ଓ ଡମଣା ଗ୍ରାମର ମହାଦେବ ମନ୍ଦିରରେ ମହାଶିବରାତ୍ରି ପାଳିତ ହେବ।

ଭୀମେଶ୍ୱରରେ: ରାତି ୧୦ଟାରେ ମହାଦୀପ ଉଠିବ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଟିର ଉପସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ସୂର୍ଯ୍ୟନାରାୟଣ ମିଶ୍ର, ଲୋକନାଥ ମହାପାତ୍ର ଓ ଶିବ ନାରାୟଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

କପିଳେଶ୍ୱର ମନ୍ଦିର: ରାତି ସାଢ଼େ ୧୦ଟାରେ ମହାଦୀପ ଉଠିବ। ଏଠାରେ ଭକ୍ତମାନଙ୍କ ପାଇଁ ଅବଢ଼ା ବ୍ୟବସ୍ଥା କରାଯାଇଛି ବୋଲି ସେବାୟତମାନେ କହିଛନ୍ତି। ଜାଗର ଦିନ କୁମାର ଲୁଲୁ ଓ ସାଥୀଙ୍କ ଦ୍ଵାରା ଭଜନ ପରିବେଷଣ କରାଯିବ।

ଭାସ୍କରେଶ୍ୱରେ ମନ୍ଦିର: ମହାପ୍ରଭୁ ଶ୍ରୀଭାସ୍କରେଶ୍ୱର ମନ୍ଦିର ପରିସରରେ ମଧ୍ୟ ରାତି ୧୦ଟାରେ ମହାଦୀପ ଉଠିବ। ଏଠାରେ ସୌରଭ ନାୟକ ଓ ଅନ୍ୟ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିବେ। କମିଟିର ସଭାପତି ରୋଟାରିଅନ୍‌ ସଞ୍ଜୟ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ଭୋର୍‌ ସାଢ଼େ ୪ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ।

ବାରୁଣେଶ୍ୱର: ସାମନ୍ତରାପୁରସ୍ଥିତ ମହାପ୍ରଭୁ ଶ୍ରୀବାରୁଣେଶ୍ୱର ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଏହି ଅବସରରେ ସନ୍ତୋଷ କର ଓ ଅନ୍ୟ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିବେ। ଭୋର୍‌ ୫ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ।

ସମ୍ବନ୍ଧିତ ଖବର