ଭୁବନେଶ୍ବର: ଚାଲିଛି ରଙ୍ଗବୋଳା, ବଗିଚା ସଫା ଓ ଗଛ କଟା। ପୁରୁଣା କୋଠରି ନୂଆ ରୂପରେ ସଜେଇ ହେଉଛି। ମୁକ୍ତାକାଶ ମଞ୍ଚର କାନ୍ଥ ଏବେ ଓଡ଼ିଆ ପରମ୍ପରାର ଗାଥା ଗାଉଛି। ଏକାମ୍ର ହାଟର ସୌନ୍ଦର୍ଯ୍ୟୀକରଣ ତଥା ନବୀକରଣ କାର୍ଯ୍ୟ ଏମିତି ଦ୍ରୁତଗତିରେ ଆଗେଇ ଚାଲିଛି। କାରଣ ଗାନ୍ଧୀ ଜୟନ୍ତୀରେ ପୁଣିଥରେ ଖୋଲିବାକୁ ଯାଉଛି ‘ଏକାମ୍ର ହାଟ’। ଏକାମ୍ର ହାଟକୁ ସେଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃ ଲୋକାର୍ପିତ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ପୁନଃଲୋକାର୍ପଣ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉକ୍ତ ସଂଧ୍ୟାରେ ‘କାଞ୍ଚି ଅଭିଯାନ’ ଓ ‘ପାଇକ ବିଦ୍ରୋହ’ ନାଟକ ମଧ୍ୟ ପ୍ରଦର୍ଶିତ ହେବ ବୋଲି ସିଡାକ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ଏଣିକି ଏକାମ୍ର ହାଟରେ ପାରମ୍ପରିକ ପରିବେଶ ମଧ୍ୟରେ ଆତ୍ୟାଧୁନିକ ଯୁଗର ଝଲକ ଦେଖିବାକୁ ମିଳିବ। ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ତଥା ବିକ୍ରିବଟା, ପାରମ୍ପରିକ ଖାଦ୍ୟ ଓ ମନମୁଗ୍ଧକର ପରିବେଶ ଉପଭୋଗ କରିବେ ସହରବାସୀ। ହାଟର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ପ୍ରଦର୍ଶନୀ ପିଣ୍ଡି, ଖାଦ୍ୟ ଷ୍ଟଲ୍‌, କାଫେ, ପାର୍କିଂ ସ୍ଥାନ ଓ ହାଟ ପରସରକୁ ନୂଆ ରୂପ ଦିଆଯାଇଛି।

କାରିଗର ଓ ବୁଣାକାରମାନଙ୍କୁ ସିଧାସଳଖ ଗ୍ରାହକ ଯୋଗାଇଦେବା ଉଦ୍ଦେଶ୍ୟରେ ଖୋଲିଥିବା ଏହି ଅର୍ବାନ ହାଟକୁ ଅଧିକ ଚଳଚଞ୍ଚଳ ଓ ଆକର୍ଷଣୀୟ କରିବାକୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଣ୍ଟା ଭିଡ଼ିଛି। ଏନେଇ ସିଡାକ୍‌କୁ ନବୀକରଣ ଦାୟିତ୍ବ ଦିଆଯାଇଛି। କାନ୍ଥରେ ଆଦିବାସୀ ସହିତ ପାରମ୍ପରିକ କଳାକୃତି ଅଙ୍କାଯାଇଛି। ହାଟ ମଧ୍ୟରେ ଥିବା ଷ୍ଟଲ୍‌ଗୁଡ଼ିକର ନବୀକରଣ ସହ କିଛି ସ୍ଥାନରେ ପ୍ରଦର୍ଶନୀ ପାଇଁ ସେଡ୍‌ର ବ୍ୟବସ୍ଥା କରାଯାଇଛି। ଏସବୁ ବ୍ୟତୀତ ହାଟ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଫୁଡ୍‌କୋର୍ଟର ବ୍ୟବସ୍ଥା କରାଯିବା ସହ ଏଥିରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ସାମଗ୍ରୀ ସହ ବିଦେଶୀ ଖାଦ୍ୟର ମଜା ନେବା ପାଇଁ ବ୍ୟବସ୍ଥା ହୋଇଛି। ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ତଥା ଶିଳ୍ପୀଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ ହାଟ ଭିତରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ହସ୍ତଶିଳ୍ପ କାରିଗରୀ ପାଇଁ ୨୮ଟି ଓ ହସ୍ତତନ୍ତ ସାମଗ୍ରୀ ପାଇଁ ୧୪ଟି ଷ୍ଟଲ୍ ପ୍ରସ୍ତୁତ ହେଉଛି। ଏଥିସହ ୮ଟି ଷ୍ଟଲରେ ବିଭିନ୍ନ କଳା ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସିଡାକ୍ ପକ୍ଷରୁ ସୂଚନା ମିଳିଛି। ହାଟ ମଧ୍ୟରେ ସର୍ବମୋଟ ୫୦ଟି ଷ୍ଟଲ ନିର୍ମାଣ କରାଯାଉଛି।

ବିଭିନ୍ନ ରକମର ଦେଶୀ ଓ ବିଦେଶୀ ଖାଦ୍ୟ ପାଇଁ ହାଟ ପରିସରରେ ୧୦ଟି ଖାଦ୍ୟ ଷ୍ଟଲ୍‌ ନିର୍ମିତ ହୋଇଛି। ଏହି ଷ୍ଟଲ୍‌ଗୁଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ଆବଣ୍ଟନ କରାଯାଇଛି। ପାରମ୍ପରିକ ଓଡ଼ିଆ ଖାଦ୍ୟ ପାଇଁ ୪ଟି, ରାଜ୍ୟ ବାହାରର ଖାଦ୍ୟ ପାଇଁ ୩ଟି ଏବଂ ହାଇ ଓ ବ୍ରାଣ୍ଡେଡ୍ କାଫେ ଖାଦ୍ୟ ପାଇଁ ୩ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି। ଏହାସହ ସାମ୍ନାରେ ଥିବା ୩ଟି କିଓସ୍କୋକୁ ମଧ୍ୟ ହସ୍ତାନ୍ତର କରାଯାଇଛି। କେବଳ ହସ୍ତତନ୍ତ ପାଇଁ ଥିବା କିଛି ଷ୍ଟଲ୍ ବଳି ପଡ଼ିଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ କାରିଗରଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି।

ଭୁବନେଶ୍ୱର: ଏକାମ୍ର ହାଟଠାରେ ଅକ୍ଟୋବର ୨ ତାରିଖରୁ ‘ଏକାମ୍ର ସଂସ୍କୃତି ସନ୍ଧ୍ୟା’ କାର୍ଯ୍ୟକ୍ରମ ଲୋକାର୍ପିତ ହେବାକୁ ଯାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଭାଗିତାରେ ରାଜ୍ୟର ପାରମ୍ପରିକ ଖାଦ୍ୟପେୟ, କଳାସଂସ୍କୃତି, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରକୃଷ୍ଟତାକୁ ଦେଶ ତଥା ଦେଶ ବାହାରୁ ଆସୁଥିବା ଆଗନ୍ତୁକଙ୍କ ନିକଟରେ ସଫଳ ଭାବେ ପ୍ରତିପାଦନ କରି ଓଡ଼ିଶାର ଗାରିମା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆଜି ସଂସ୍କୃତି ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃ୍ତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ଅନ୍ୟ ସହଯୋଗୀ ବିଭାଗଙ୍କ ଅଧିକାରୀ ଉପସ୍ଥିତ ଥିଲେ।

ଅକ୍ଟୋବର ୨ ତାରିଖରେ ସନ୍ଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଅକ୍ଟୋବର ୧ ତାରିଖରେ ଆନୁଷ୍ଠାନିକ ଲୋଗୋ ଉନ୍ମୋଚିତ ହେବ। ଏଥିସହ ଏହି ଅବସରରେ ଅନ୍ୟାନ୍ୟ ପ୍ରସ୍ତୁତି ବାବଦରେ ଘୋଷଣା କରାଯିବ। ଆଜିର ବୈଠକରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସମ୍ପାଦକ ପ୍ରବୋଧ ରଥ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଗୀତା ଗୋସାଇଁ, ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ରୀନା ମହାପାତ୍ର, ଅତିରିକ୍ତ ଡିସିପି ପି.କେ ରାଉତ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ଜେନା, ଅତିରିକ୍ତ ନିର୍ଦ୍ଦେଶକ ସିଡାକ୍‌ ଏସ .କେ ମହାନ୍ତି, ୟୁନିସେଫର ରୁଦ୍ର ପ୍ରସନ୍ନ ରଥ ଓ ବିପୁଲ ମାଲବ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗର ଅଧିକାରୀଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।