ବିଏମ୍‌ସି ନିର୍ବାଚନ ପ୍ରସ୍ତୁତି: କେଉଁଠୁ ଲଢ଼ିବେ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର କିମ୍ବା ଏହା ପୂର୍ବରୁ ବିଏମ୍‌ସି ନିର୍ବାଚନ ହେବ। ନିର୍ବାଚନ ନେଇ ମେ ମାସ ପରେ କୌଣସି ମୁହୂର୍ତ୍ତରେ ବି ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନଗର ଉନ୍ନୟନ ବିଭାଗକୁ ଜଣାଇଛନ୍ତି। ଏହାପରେ ବିଏମ୍‌ସି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓ୍ଵାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବାକୁ ଥିବାରୁ ଏବେଠୁ ବିଏମ୍‌ସି ରାଜନୀତି ସରଗରମ ହେଲାଣି।

ଏପ୍ରିଲ ୩୦ତାରିଖରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ଚଳିତମାସ ୨୦ତାରିଖ ସୁଦ୍ଧା ବିଏମ୍‌ସିରେ କେତୋଟି ଓ୍ଵାର୍ଡ ହେବ, କେଉଁ ଓ୍ଵାର୍ଡ କେଉଁ ବର୍ଗ ପାଇଁ ସଂରକ୍ଷିତ ରହିବ ସେନେଇ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ମାର୍ଚ୍ଚ ୧୨ତାରିଖରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ କରିବା ସହ ସଂରକ୍ଷିତ, ଅଣସଂରକ୍ଷିତ ସିଟ୍‌ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୧ସୁଦ୍ଧା ଲୋକଙ୍କ ଅଭିଯୋଗ/ପ୍ରସ୍ତାବ ଗ୍ରହଣ କରାଯିବ। ତେଣୁ ଏବେଠୁ ନିର୍ବାଚିତ କର୍ପୋରେଟରମାନେ ସେମାନଙ୍କ ଆସନ ଯୋଗାଡ଼ କରିବାକୁ ଅଙ୍କକଷା ଆରମ୍ଭ କରିଦେଲେଣି। ଏପରିକି ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହେଲେ କେଉଁଠୁ ପ୍ରାର୍ଥୀ ହେବେ, ନିଜେ ପ୍ରାର୍ଥୀ ନ ହୋଇପାରିଲେ କାହାକୁ ପ୍ରାର୍ଥୀ କରିବେ ସେନେଇ କସରତ୍‌ ଆରମ୍ଭ କରିଦେଲେଣି। ଏପରିକି ନିଜେ କିପରି ନିର୍ବାଚନ ଲଢ଼ିବେ ସେନେଇ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ କରିବାକୁ କମିସନରଙ୍କ ପାଖରେ ସୁପାରିସ୍‌ ପହଞ୍ଚିଲାଣି। ଆସନ ସଂରକ୍ଷଣ ମୋଟାମୋଟି ଭାବେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଉପରେ ନିର୍ଭର କରୁଛି। ପ୍ରତ୍ୟେକ ଓ୍ଵାର୍ଡର ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଥିବାରୁ ଏଥର ବଡ଼ ଧରଣର ଅଦଳବଦଳ ସମ୍ଭାବନା ଦେଖାଦେଉଛି। ଏହାକୁ ନଜରରେ ରଖି ଦୁଇରୁ ତିନି ଥର ନିର୍ବାଚିତ ହେଉଥିବା କର୍ପୋରେଟରମାନଙ୍କୁ ଅଧିକ ଚିନ୍ତା ଘାରିଲାଣି। ନିଜେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ନ ପାରିଲେ ନିଜ ପତ୍ନୀଙ୍କୁ ନଚେତ୍‌ ନିଜର ଖାସ୍‌ ଅନୁଗତଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛନ୍ତି। ହେଲେ ସମସ୍ତଙ୍କର ଅପେକ୍ଷା ଓ୍ଵାର୍ଡ ପୁନଃ ସୀମା ନିର୍ଦ୍ଧାରଣ ପରେ ଆସନ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶକୁ।

ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପାଖ ଓ୍ଵାର୍ଡର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକ ମିଶିବ। କିନ୍ତୁ କେଉଁ ଦିଗରେ ମିଶିବ, କେଉଁ ଦିଗରୁ ବାଦ୍‌ ପଡ଼ିବ ତାହା ବିଏମ୍‌ସି କମିସନରଙ୍କ ଉପରେ ନିର୍ଭର କରୁଛି। କମିସନର ଯେପରି ଚାହିଁବେ ସେହି ଅନୁଯାୟୀ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ କରିବେ। କିନ୍ତୁ ସମସ୍ତ ଓ୍ଵାର୍ଡରେ ଯେପରି ୨୦୧୧ ଜନଗଣନା ଅନୁଯାୟୀ ପ୍ରାୟ ସମାନ ସଂଖ୍ୟକ ଲୋକ ରହୁଥିବେ ସେ ଦିଗ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଅଞ୍ଚଳ ଏପଟସେପଟ କରିଦେଲେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ବଦଳିଯିବାର ସମ୍ଭାବନା ଥିବାରୁ ସବୁ ରାଜନୈତିକ ଦଳ ଏବେ ବିଏମ୍‌ସି କମିସନରଙ୍କ ଅଙ୍କ କଷାକୁ ଚାହିଁ ବସିିଛନ୍ତି। ଆସନ ସଂରକ୍ଷଣ ସଂପୂର୍ଣ୍ଣ ଭାବେ ଅଧିକ ଜନସଂଖ୍ୟା ଉପରେ ନିର୍ଭର କରୁଛି। କିନ୍ତୁ ନିର୍ବାଚନ ହେବାକୁ ଥିବା ମୋଟ୍‌ ଓ୍ଵାର୍ଡର ୫୦% ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ। ଏଥିରେ ଅନୁସୂଚିତ ଜାତି (ମହିଳା), ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷଣ ସାମିଲ୍‌ ହେବ। ଏହାବାଦ୍‌ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗଙ୍କ ପାଇଁ ସିଟ୍‌ ସଂରକ୍ଷଣ ରହିବ। ଯାହା ବଳିବ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ରହିବ। କିନ୍ତୁ ଗତ ନିର୍ବାଚନ ସମୟରେ ଯେଉଁ ସିଟ୍‌ ଯେଉଁ ସଂରକ୍ଷିତ ବର୍ଗରେ ଥିଲା ଆସନ୍ତା ନିର୍ବାଚନ ସମୟରେ ତାହା ପରିବର୍ତ୍ତନ ହେବ। ଯେଉଁ ସିଟ୍‌ ଅଣସଂରକ୍ଷିତ ଥିଲା ତାହା ସଂରକ୍ଷିତ ହେବ ବୋଲି ସ୍ଥିର ନୁହେଁ। ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପରେ ସିଟ୍‌ ସଂରକ୍ଷଣ ଲାଗୁ ହେବ। ଏଥିରେ ଯେଉଁ ଓ୍ଵାର୍ଡରେ ଯେଉଁ ବର୍ଗର ଅଧିକ ଲୋକ (ଜନସଂଖ୍ୟା) ଥିବେ ସେମାନଙ୍କ ପାଇଁ ସିଟ୍‌ ସଂରକ୍ଷଣ ରହିବ ନଚେତ୍‌ ଅଣସଂରକ୍ଷିତ ହେବ। ଜନସଂଖ୍ୟା ମାନେ ମତଦାତା ନୁହେଁ। କେବଳ ୨୦୧୧ ଜନଗଣନାକୁ ଭିତ୍ତି କରି ସୀମା ପୁନଃ ନିର୍ଦ୍ଧାରଣ ହେବ। ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ବେଳେ କେବଳ ନିକଟବର୍ତ୍ତୀ ଅଞ୍ଚଳକୁ ସାମିଲ୍‌ କରାଯିବ। ଗୋଟିଏ ଓ୍ଵାର୍ଡ ସୀମା ଭିତରେ ଯେପରି ଆଉ ଏକ ଓ୍ଵାର୍ଡ ସୀମା ନ ରହିବ ତାହାକୁ ଧ୍ୟାନ ଦିଆଯିବ। ସଂରକ୍ଷଣ ସମୟରେ ଗତ ଥର ଯେଉଁ ବର୍ଗ ପାଇଁ ସଂରକ୍ଷଣ ଥିଲା ସେଥିରେ ପରିବର୍ତ୍ତନ ହେବ। ଯଦି ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପୂର୍ବ ସଂରକ୍ଷିତ (ଆସନ) ବର୍ଗର ଲୋକ ଅଧିକ ଥିବେ ତେବେ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବର୍ଗ ପାଇଁ ସିଟ୍‌ ସଂରକ୍ଷିତ ରହିବ। ଏହା କେତେକ ସ୍ଥାନରେ ଅଣସଂରକ୍ଷିତ ବି ହୋଇପାରେ।

ବିଏମ୍‌ସିର ନିର୍ବାଚନ ପାଇଁ ଏହିଭଳି ନିୟମ ଥିବାବେଳେ କେତେକ କର୍ପୋରେଟର ଏହା ଠିକ୍‌ ଭାବେ ଲାଗୁ ହେଉନଥିବା ଅଭିଯୋଗ କଲେଣି। କେତେକ କର୍ପୋରେଟରଙ୍କ ଅଭିଯୋଗ ଯେ, ଯେଉଁ ଅଧିକାରୀମାନେ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ କରୁଛନ୍ତି ସେମାନେ କେତେକ ପ୍ରାର୍ଥୀଙ୍କୁ ନଜରରେ ରଖି ଓ୍ଵାର୍ଡରେ ବିଭିନ୍ନ ଅଞ୍ଚଳକୁ ମିଶାଉଛନ୍ତି ବା ବାଦ୍‌ ଦେଉଛନ୍ତି। ଅଧିକାଂଶ ଓ୍ଵାର୍ଡରେ ଅନୁସୂଚିତ ଜନଜାତି ଲୋକ ନ ଥିବାରୁ ବାକି ତିନିଟି ସଂରକ୍ଷଣ ଅନୁସୂଚିତ ଜାତି, ପଛୁଆ ବର୍ଗ, ମହିଳା ପାଇଁ ସଂରକ୍ଷଣ ମଧ୍ୟରୁ ଗୋଟିଏ ଲାଗୁ ହେବା କଥା। କିନ୍ତୁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣବେଳେ ଯେଉଁ ଅଞ୍ଚଳରେ ଅଧିକ ଅନୁସୂଚିତ ଜାତି/ପଛୁଆ ବର୍ଗ ରହୁଛନ୍ତି ତାକୁ ବାଦ୍‌ ଦେଉଛନ୍ତି। ଏହାଦ୍ୱାରା କେତେକ ବ୍ୟକ୍ତି ନିଜେ କର୍ପୋରେଟର ଛିଡ଼ା ହେଉଛନ୍ତି ନଚେତ୍‌ ନିଜ ପତ୍ନୀ ବା ସମ୍ପର୍କୀୟ ମହିଳାଙ୍କୁ କର୍ପୋରେଟର ପ୍ରାର୍ଥୀ କରୁଛନ୍ତି। ଏହାବାଦ୍‌ କେତେକ ସ୍ଥାନରେ ରାଜନୈତିକ ଦଳର ହସ୍ତକ୍ଷେପ ଯୋଗୁଁ ଟାଣୁଆ କର୍ପୋରେଟରଙ୍କୁ ବାଦ୍‌ ଦେବା ପାଇଁ ଅନୁସୂଚିତ ଜାତି ବା ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସିଟ୍‌ ସଂରକ୍ଷଣ କରିଦିଆ ଯାଉଛି। ତେଣୁ ଚଳିତ ବର୍ଷ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ବେଳେ ଏ ଦିଗରେ ଧ୍ୟାନ ଦେବାକୁ ଦାବି ହେଲାଣି।

ସମ୍ବନ୍ଧିତ ଖବର