ଡଟ୍‌ ଫେଷ୍ଟ୍‌ ପ୍ରସ୍ତୁତି, ଶୃଙ୍ଖଳିତ ଟ୍ରାଫିକ୍‌ ପାଇଁ ଯୋଜନା

ଭୁବନେଶ୍ୱର: ଦିନକ ପରେ ଡଟ୍‌ ଫେଷ୍ଟ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ପଡ଼ିଆ ବାହାରେ ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି। ଟ୍ରାଫିକ୍‌ ଶୃଙ୍ଖଳା ପାଇଁ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ପାର୍କିଂ ପାଇଁ ବିଏମ୍‌ସି ସ୍ଥାନ ପ୍ରସ୍ତୁତ କରିଛି। ସେହିଭଳି ବିଡିଏ ପକ୍ଷରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ରାମ ମନ୍ଦିରଠାରୁ ହାଉସିଂବୋର୍ଡ ଛକ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ହଟାଯାଇଛି। ଏଣେ ଅନ୍‌ଲାଇନ୍‌ ଟିକେଟ୍‌ର ହାର୍ଡକପି ମଧ୍ୟ ଆଜିଠାରୁ ବଣ୍ଟା ଆରମ୍ଭ ହୋଇଛି। ଟିକେଟ୍‌ ସଂଗ୍ରହ କରିବାକୁ ଦର୍ଶକଙ୍କ ମଧ୍ୟରେ ମଧ୍ୟ ବେଶ୍‌ ଆଗ୍ରହ ପରିଲକ୍ଷିତ ହୋଇଛି।

ସ୍କୁଲ ପଡ଼ିଆରେ ପାର୍କିଂ
ଏହି କାର୍ଯ୍ୟକ୍ରମକୁ ଆସୁଥିବା ସମସ୍ତ ଗାଡ଼ିକୁ କ୍ୟାପିଟାଲ ହାଇସ୍କୁଲ ପଡ଼ିଆ ସମେତ ତିନିଟି ସ୍କୁଲ୍‌ ପଡ଼ିଆରେ ରଖିବା ପାଇଁ ଯୋଜନା ହୋଇଛି। ତା ସହିତ ରାମମନ୍ଦିରଠାରୁ ହାଉସିଂ ବୋର୍ଡ ରାସ୍ତାକୁ ୱାନ୍‌-ୱେ କରିବା ପାଇଁ ମଧ୍ୟ ଯୋଜନା ହୋଇଛି। ଗୋଟିଏ ପଟେ ପ୍ରବେଶ କରି ଅନ୍ୟ ପଟେ ଗାଡ଼ିଗୁଡ଼ିକ ପ୍ରସ୍ଥାନ କରିବ। ରାସ୍ତାର ଗୋଟିଏ ଦିଗରେ ପ୍ରବେଶ-ପ୍ରସ୍ଥାନ ସୁଯୋଗ ଦିଆଯିବ ନାହିଁ। ଖାସ୍‌ କରି ଅପରାହ୍‌ଣଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି କଟକଣାକୁ କଡ଼ାକଡ଼ି କରାଯିବ। ଆକଳନଠାରୁ ଟ୍ରାଫିକ୍‌ ବଢ଼ିଲେ ଉଭୟ ପାର୍ଶ୍ବରେ ରାସ୍ତାକୁ ବନ୍ଦ କରି ଦିଆଯିବ। ଉଭୟ ଛକରୁ ଭିତରକୁ ପ୍ରବେଶ ପାଇଁ କେବଳ ଚାଲି ଚାଲି ଯିବାକୁ ହେବ।

ଟିକେଟ୍‌ ସଂଗ୍ରହରେ ଦ୍ବନ୍ଦ୍ବ
ଅନ୍‌ଲାଇନ୍‌ରେ ବୁକିଂ ଟିକେଟ୍‌ର ହାର୍ଡକପି ଆଜିଠାରୁ ଉପଲବ୍ଧ ହୋଇଛି। ଏକାମ୍ର ହାଟରେ ଥିବା ୫ଟି କାଉଣ୍ଟର୍‌ରେ ଏହା ଉପଲବ୍ଧ ହେଉଛି। ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିବା ଏହି ଟିକେଟ୍‌ ହାତେଇବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ପରିଲକ୍ଷିତ ହୋଇଥିଲା। ତେବେ ଟିକେଟ୍‌ ବଣ୍ଟନ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟିଥିବା ଅନେକ ଦର୍ଶକ କାଉଣ୍ଟର୍‌ରୁ ନିରାଶ ହୋଇ ଫେରିଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମର ୪୮ ଘଣ୍ଟା ପୂର୍ବରୁ ହିଁ ଟିକେଟ୍‌ର ହାର୍ଡକପି ଉପଲବ୍ଧ ହେଉଛି। ଅର୍ଥାତ୍‌ ଯେଉଁ ଗ୍ରାହକ ଯେଉଁ କାର୍ଯ୍ୟକ୍ରମ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟିଥିବେ, ସେମାନେ କାର୍ଯ୍ୟକ୍ରମର ୪୮ ଘଣ୍ଟା ପୂର୍ବରୁ କାଉଣ୍ଟର୍‌ରୁ ହାର୍ଡକପି ନେଇପାରି‌ବେ। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ କିଛି ଦର୍ଶକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ‌, ଅନ୍‌ଲାଇନ୍‌ ଟିକେଟ୍‌ କାଟିଥିବା ଦର୍ଶକଙ୍କ ପାଖକୁ ଏକ ଏସ୍‌ଏମ୍‌ଏସ୍‌ରେ ସ୍ୱତନ୍ତ୍ର କୋଡ୍ ଆସୁଛି। କେବଳ ଯେଉଁମାନଙ୍କୁ ଏହି ମେସେଜ୍‌ ଆସୁଛି, ସେମାନଙ୍କୁ ହାର୍ଡକପି ପ୍ରଦାନ କରାଯାଉଛି।

ହଟିଲା ଜବରଦଖଲ
‌‌ଲୋକଗହଳିକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ରାମମନ୍ଦିରଠାରୁ ହାଉସିଂବୋର୍ଡ ରାସ୍ତାରେ ଆଜି ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ରାସ୍ତାରେ ଥିବା ୧୫ଟି ଦୋକାନ ଓ ଗୋଟିଏ ମନ୍ଦିର ଭଙ୍ଗା ଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଇଛି। ଆସନ୍ତାକାଲି ଆଖଣ୍ଡଳମଣି ମନ୍ଦିର ସହ ଆଉ ଦୁଇଟି ଦୋକାନ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ମନ୍ଦିର ଭାଙ୍ଗିବା ବେଳେ ଭାଙ୍ଗିଲା ଜେସିବି
ଆଜି ପ୍ରଦର୍ଶନୀ ପଡ଼ିଆ କଡ଼ରେ ଥିବା ତାରିଣୀ ମନ୍ଦିର ଭଙ୍ଗାଯିବା ବେଳେ ଜେସିବି ଭାଙ୍ଗି ଯାଇଥିଲା। ଅଧଘଣ୍ଟା ଧରି ମେସିନ୍‌ ଅଚଳ ହୋଇ ପଡ଼ିରହିବା ପରେ ଆଉ ଏକ ମେସିନ୍‌ ଆସି ମନ୍ଦିର ଉଚ୍ଛେଦ ହୋଇଥିଲା। ଅନ୍ୟପଟେ ମନ୍ଦିର ଭିତରୁ ୨ଟି ଗ୍ୟାସ୍‌ ସିଲିଣ୍ଡର୍‌ ବାହାରିଥିଲା। ତେବେ ଏହାକୁ ଜବତ କରାଯାଇ ନଥିଲା। ଅନ୍ୟପଟେ ସେଠାରେ ଥିବା ଏକ ଓମ୍‌ଫେଡ୍‌ ପାର୍ଲରକୁ ଉଚ୍ଛେଦ କରାଯାଇ ନାହିଁ।

ସମ୍ବନ୍ଧିତ ଖବର