ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର୍‌

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ ହେବ ହକି ବିଶ୍ୱକପ୍‌। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର୍‌ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାକୁ ନିଷ୍ପତ୍ତି ହୋଇଛି। ଏପରିକି ରାଜ୍ୟ ସରକାର ହକି ବିଶ୍ୱକପ୍‌ ପାଇଁ ନଭେମ୍ବର ୨୦ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ କ’ଣ କିପରି ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିବା ପରେ ହକି ବିଶ୍ୱକପ୍‌ ପ୍ରସ୍ତୁତିରେ ଯେପରି କୌଣସି ପ୍ରକାରର ଉଣା ନରହେ ସେଥିପାଇଁ ହକି ଇଣ୍ଡିଆ, ହକି ଓଡ଼ିଶା, ରାଜ୍ୟ ସରକାରଙ୍କ ଗୃହ, ଅର୍ଥ, କ୍ରୀଡ଼ା, ସଂସ୍କୃତି ଓ ପର୍ଯ୍ୟଟନ, ପରିବହନ, ସାଧାରଣ ପ୍ରଶାସନ, ପୂର୍ତ୍ତ, ହସ୍ତତନ୍ତ ଓ ବୟନଶିଳ୍ପ, ଶକ୍ତି, ଶିଳ୍ପ ଏବଂ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କୁ ନେଇ କୋର୍‌ କମିଟି ଗଠନ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହକି ବିଶ୍ୱକପ୍‌ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବାବେଳେ ସମସ୍ତ ପ୍ରକଳ୍ପ ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେଥିପାଇଁ ସମସ୍ତ ବିଭାଗକୁ ଟାର୍ଗେଟ୍‌ ଧରାଯାଇଛି।

କଳିଙ୍ଗ ଷ୍ଟାଡିୟମ୍‌ର ନବକଳେବର ଜୁଲାଇରେ ସରିବ
ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ର ନବକଳେବର କରାଯାଉଛି। ନଭେମ୍ବର ୨୮ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିଲେ ହେଁ ଜୁଲାଇ ମାସରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ୍‌ ରଖାଯାଇଛି। ପିଚ୍‌-୧ରେ ହକି ବିଶ୍ୱକପ୍‌ ମ୍ୟାଚ୍‌ ଖେଳା ଯିବାକୁ ଥିବାବେଳେ ଏହାର ଦର୍ଶକ ବସିବା କ୍ଷମତା ୯ହଜାରରୁ ୧୬ହଜାରକୁ ବୃଦ୍ଧି କରାଯାଉଛି। ଏଥିପାଇଁ ଉତ୍ତର ଓ ଦକ୍ଷିଣ ଗ୍ୟାଲେରିର ସମ୍ପ୍ରସାରଣ କରାଯାଉଥିବାବେଳେ ନୂଆ କରି ପଶ୍ଚିମ ଦିଗରେ େଓ୍ଵଷ୍ଟ ଷ୍ଟାଣ୍ଡ ନିର୍ମାଣ କରାଯାଉଛି। ପୂର୍ବଦିଗରେ ଥିବା ଗ୍ୟାଲେରିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଷ୍ଟାଡିୟମ୍‌ରେ ବ୍ରୋଡକାଷ୍ଟ ରୁମ୍‌, ବୈଷୟିକ ନିର୍ଦ୍ଦେଶକଙ୍କ ପାଇଁ ସ୍ୱତନ୍ତ୍ର ରୁମ୍‌ ନିର୍ମାଣ ହେଉଛି। ଏହି ସବୁ ନିର୍ମାଣ ପାଇଁ ୨୫କୋଟି ଖର୍ଚ୍ଚ ଅଟକଳ ହୋଇଛି। ଏହା ଜୁନ୍‌ ୨୫ ସୁଦ୍ଧା ସାରିବାକୁ ଟାର୍ଗେଟ ରହିଛି। ପିଚ୍‌କୁ ସବୁଜ ଓ ସତେଜ ରଖିବା ପାଇଁ ସ୍ୱତନ୍ତ୍ର ବୋରେଓ୍ଵଲ, ସମ୍ପ୍‌, ପମ୍ପ୍‌ ହାଉସ୍‌ ବି ନିର୍ମାଣ ହେଉଛି। ଷ୍ଟାଡିୟମରେ ଏକ ଜଳ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଏହା ମେ ୨୦ ସୁଦ୍ଧା ଶେଷ ହେବ। ଏହି ସବୁ ନିର୍ମାଣ ପାଇଁ ଇଡ୍‌କୋକୁ ଦାୟିତ୍ୱ ଦିଆଯାଇଛି।

ବିଛା ହେବ ସ୍ୱତନ୍ତ୍ର ଟର୍ଫ
ପିଚ୍‌ ୧ରେ ହକି ବିଶ୍ୱକପ୍‌ ମ୍ୟାଚ୍‌ ଖେଳା ଯିବାକୁ ଥିବାବେଳେ ଏଥିପାଇଁ ସ୍ୱତନ୍ତ୍ର ଟର୍ଫ ବିଛାଯିବ। ହକି ଇଣ୍ଡିଆ ପସନ୍ଦର ଟର୍ଫ ବିଛାଯିବାକୁ ଥିବାବେଳେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏଥିରେ ସହଯୋଗ କରିବ। ଖେଳା ଯିବାକୁ ଥିବା ପଡ଼ିଆ ଏବଂ ପେରିମିଟର ଲଣ୍ଡନ୍‌ ବ୍ଲୁ ରଙ୍ଗର ହେବ। ବର୍ତ୍ତମାନ ଯେଉଁ ଟର୍ଫ ବିଛାଯାଇଛି ତାହାକୁ ସ୍ଥାନାନ୍ତର କରି ସୁନ୍ଦରଗଡ଼ ଏବଂ ଜୁଜୁମରାରେ ବିଛା ହେବ। ଜୁଲାଇ ୧୦ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ। ଇଡ୍‌କୋ ଟର୍ଫ ସ୍ଥାନାନ୍ତର ଓ ପୁନଃ ବିଛାଇବା କାର୍ଯ୍ୟ କରିବ।

ପ୍ରତିଦିନ ଖାଦ୍ୟର ମାନ ଯାଞ୍ଚ ହେବ
ଯେଉଁ ହୋଟେଲରେ ଖେଳାଳି ଓ ଖେଳ ଅଧିକାରୀ ରହିବେ ସେଠାରେ ପ୍ରତିଦିନ ଖାଦ୍ୟର ମାନ ଯାଞ୍ଚ ହେବ। ଏହାବାଦ୍‌ ଅନ୍ୟ ହୋଟେଲରେ ଅଚାନକ ଯାଞ୍ଚ ହେବ। ଏଥିପାଇଁ ଫୁଡ ସେଫ୍ଟି କମିସନରଙ୍କ ନେତୃତ୍ୱରେ ଟିମ୍‌ ଗଠନ ହେବ। ହୋଟେଲରେ କିପରି ଖାଦ୍ୟ ପରଶାଯିବ, କେଉଁ ସମୟରେ କେଉଁ ଖାଦ୍ୟ ଦିଆଯିବ, କେଉଁ ଦେଶର ଖେଳାଳିଙ୍କ ପାଇଁ ମେନୁ କ’ଣ ରହିବ ସେଥିପାଇଁ ହୋଟେଲର ରୋଷେୟା ଏବଂ ମ୍ୟାନେଜର୍‌ଙ୍କୁ ଡାକି ଆଲୋଚନା କରାଯିବ।

ତାରକା ହୋଟେଲ ସମେତ କଲେଜ ହଷ୍ଟେଲରେ ବି ଖେଳାଳି ରହିବେ
ହକି ବିଶ୍ୱକପ୍‌ ପାଇଁ ହଜାରେରୁ ଅଧିକ କ୍ରୀଡ଼ାବିତ, ଖେଳ ଅଧିକାରୀ, ବହୁ ବରିଷ୍ଠ ଅଧିକାରୀ ଆସିବାର ଥିବାରୁ ସେମାନଙ୍କୁ କିପରି ଓ କେଉଁଠି ରଖାଯିବ ସେ ଚିନ୍ତା ଏବେ ଆୟୋଜକଙ୍କୁ ଘାରିଲାଣି। ରାଜଧାନୀରେ ଏତେ ସଂଖ୍ୟକ ଭିଆଇପି ରହିବା ପାଇଁ ଆବଶ୍ୟକୀୟ ହୋଟେଲ ନଥିବାରୁ ଏବଂ କେତେକ ହୋଟେଲ ଖେଳାଳି ଓ ଅନ୍ୟ ଅଧିକାରୀଙ୍କ ରହିବା ଉପଯୋଗୀ ହୋଇ ନଥିବାରୁ ପୁଲିସ ବିକଳ୍ପ ବ୍ୟବସ୍ଥା ଚିନ୍ତା କରୁଛି। କିଏ କେଉଁଠି ରହିବେ, କିପରି ସ୍ୱାସ୍ଥ୍ୟକର ଖାଦ୍ୟ ପରଷାଯିବ ସେନେଇ ପ୍ରସ୍ତୁତି କରିବାକୁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଖେଳାଳି ଓ ଅଧିକାରୀଙ୍କୁ ଭୁବନେଶ୍ୱର, ପୁରୀ, କଟକର ବିଭିନ୍ନ ହୋଟେଲରେ ରଖାଯିବ। ଏହାବାଦ୍‌ କେତେକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ହଷ୍ଟେଲ, ଗେଷ୍ଟ ହାଉସ୍‌ରେ ଖେଳାଳିଙ୍କ ରହିବା ବ୍ୟବସ୍ଥା କରାଯିବ। ବିଶ୍ୱକପ୍‌ ପୂର୍ବରୁ ନିର୍ମଣାଧୀନ ଖଣ୍ଡଗିରିସ୍ଥିତ ନଭୋଟେଲ୍‌ ଗ୍ରୁପ୍‌ର ୧୪୦ରୁମ୍‌ ବିଶିଷ୍ଟ ହୋଟେଲ, ସତ୍ୟନଗରରେ ଦି ଓ୍ଵାର୍ଲଡ ଗ୍ରୁପ୍‌ର ୧୦୮ରୁମ୍‌ ବିଶିଷ୍ଟ ହୋଟେଲ, ନୂଆପଲ୍ଲୀରେ ନିର୍ମଣାଧୀନ ହୋଟେଲରେ ମଧ୍ୟ ବ୍ୟବସ୍ଥା ରହିଛି। ସେପ୍ଟେମ୍ବର ୩୦ ସୁଦ୍ଧା ଏହି ହୋଟେଲ ନିର୍ମାଣ କାର୍ଯ୍ୟ ସାରିବାକୁ ମାଲିକମାନଙ୍କୁ କହିବାକୁ ନିଷ୍ପତ୍ତି ହୋଇଛି।

ଫୁଡ୍‌ ପ୍ଲାଜା ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୧୧କୋଟି
ଷ୍ଟାଡିୟମ ଭିତରକୁ ଆସୁଥିବା ଦର୍ଶକଙ୍କୁ ଯେପରି ବାନ୍ଧି ରଖିହେବ ଏବଂ କୌଣସି ପ୍ରକାରର ଅସୁବିଧା ନହୁଏ ସେଥିପାଇଁ ବ୍ୟାପକ ସୌନ୍ଦର୍ଯ୍ୟକରଣ କରାଯିବା ସହ ଫୁଡ୍‌ ପ୍ଲାଜା, ଫୁଡ୍‌ କିଓସ୍କ, ପ୍ରଶସ୍ତ ରାସ୍ତା ଆଦି ପାଇଁ ୧୦.୮୩ କୋଟି ଖର୍ଚ୍ଚ କରିବାକୁ ଇଡ୍‌କୋ ଡିପିଆର୍‌ ପ୍ରସ୍ତୁତ କରିଛି। ସମସ୍ତ ଭିତ୍ତିଭୂମି ଯେପରି ଭବିଷ୍ୟତରେ ବ୍ୟବହାର ହୋଇପାରିବ ସେହିଭଳି କାର୍ଯ୍ୟ କରିବାକୁ କୁହାଯାଇଛି। ଏହାକୁ ପୂର୍ତ୍ତ ବିଭାଗ କରିବ। ମେ ୨୦ତାରିଖ ସୁଦ୍ଧା ଏହି ନିର୍ମାଣ ଶେଷ ହେବ।

ଏପ୍ରିଲ ପୂର୍ବରୁ ସୁଇମିଂ ପୁଲ୍‌ ଖୋଲିବ
ରାଜଧାନୀବାସୀଙ୍କ ପ୍ରଥମ ପସନ୍ଦ ସୁଇମିଂ ପୁଲ୍‌କୁ ଷ୍ଟାଡିୟମ୍‌ ସମ୍ପ୍ରସାରଣ ପାଇଁ ଭାଙ୍ଗିବା ପରେ ଏହାର ପୁନଃ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏବେ ସୁଇମିଂ କମ୍ପ୍ଲେକ୍ସ କାର୍ଯ୍ୟ ଆଖିଦୃଶିଆ ଆଗେଇ ନଥିଲେ ହେଁ ଏହାକୁ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଛି। କ୍ରୀଡ଼ା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ଶେଷ ସୁଦ୍ଧା ସୁଇମିଂ ପୁଲ୍‌ ନିର୍ମାଣ ଶେଷ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥଲା। ହେଲେ ରାଜଧାନୀରେ ସୁଇମିଂ କ୍ରେଜ୍‌ ଏବଂ ସନ୍ତରଣକାରୀଙ୍କୁ ନଜରରେ ରଖି ଖରାଦିନ ପୂର୍ବରୁ ଏହାର ନିର୍ମାଣ ସାରିବାକୁ ନିଷ୍ପତ୍ତି ହୋଇଛି।

ଷ୍ଟାଡିୟମ୍‌ ସମ୍ମୁଖରେ ହେବ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌
ଖେଳ ବେଳେ ଯେପରି ଦର୍ଶକ ସହଜରେ ରାସ୍ତା ପାର୍‌ ହେବେ ଏବଂ ଟ୍ରାଫିକ୍‌ ପରିଚାଳନାରେ କୌଣସି ପ୍ରକାରର ସମସ୍ୟା ନଉପୁଜେ ସେଥିପାଇଁ ଷ୍ଟାଡିୟମ୍‌ ସମ୍ମୁଖରେ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଷ୍ଟାଡିୟମ୍‌ର ଗେଟ୍‌ ନଂ ୨ ଓ ୩ମଧ୍ୟରେ ଗୋଟିଏ, ଅନ୍ୟଟି ଗେଟ୍‌ ନଂ ୭ଓ ୮ ମଧ୍ୟରେ କରିବାକୁ ଆପାତତଃ ସ୍ଥିର ହୋଇଛି। କେଉଁ ସ୍ଥାନରେ ଏହି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ ତାହା କମିସନରେଟ୍‌ ପୁଲିସ, ବିଏମ୍‌ସି ଓ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ପରିଦର୍ଶନ କରି ସ୍ଥିର କରିବାକୁ କୁହାଯାଇଛି। ଜାଗା ଚିହ୍ନଟ ହେବା ପରେ ଏହାକୁ ପିପିପି ମୋଡ୍‌ରେ କି ପୂର୍ତ୍ତ ବିଭାଗ ନିର୍ମାଣ କରିବ ସ୍ଥିର ହେବ। ଯେପରି ନିର୍ମାଣ ହେଲେ ବି ୪ମାସ ଭିତରେ ଏହା ଯେପରି ଶେଷ ହେବ ତାହା କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଜୁନ୍‌ ୨୦ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର