୨୦୨୦କୁ ସ୍ୱାଗତ ପାଇଁ ଅବଗଣନା

ବେଲି ନୃତ୍ୟରେ ଝୁମିବେ, ଲେଜର ସୋ’ରୁ ସେଲ୍‌ଫି ଜୋନ୍‌

ଦିନ କେଇଟା ପରେ ବଦଳିଯିବ କ୍ୟାଲେଣ୍ଡର। ନୂଆ ସଂକଳ୍ପ ସହ ନୂଆବର୍ଷକୁ ନିଆରା ଢଙ୍ଗରେ ସ୍ବାଗତ କରିବ ସାରା ସହର। ମନରେ ରଙ୍ଗ ମାଖିବ ସହରର ନାମୀ ହୋଟେଲ୍‌ରେ ପ୍ରସ୍ତୁତ ହେଉଥିବା ଜିରୋ-ନାଇଟ୍‌ ମସ୍ତି ପ୍ୟାକେଜ୍‌। ଲାଇଭ୍‌ ବ୍ୟାଣ୍ଡ୍‌ରେ ଦୁଲୁକିବ ହୋଟେଲ୍‌ ପରିସର। ମହମବତିର ଧପଧପ ଆଲୁଅ ମେଳରେ ଜମିବ ଦେଶୀଠୁ ଚାଇନିଜ୍‌ ଖାଦ୍ୟର ପସରା। ନାମୀ ଦାମୀ କଣ୍ଠଶିଳ୍ପୀଙ୍କ ସ୍ବରରେ ମତୁଆଲା ହେବେ ପିଲାଠୁ ବୟସ୍କଯାଏ। କିଏ ଋଷିଆ ଶିଳ୍ପୀଙ୍କ ବେଲି ନୃତ୍ୟରେ ବିଭୋର କରିବାକୁ ମଞ୍ଚ ସଜାଡ଼ୁଛି ତ କିଏ ଲେଜର ସୋ’ରେ ମନ ଟାଣିବାକୁ ଅଣ୍ଟା ଭିଡ଼ିଛି। କେଉଁଠି ସେଲ୍‌ଫି ପ୍ରତିଯୋଗିତାର ଆୟୋଜନ କରାଯାଇଛି ତ କେଉଁଠି ଫେସନ୍‌ ସୋ’ର ବନ୍ଦୋବସ୍ତ କରାଯାଇଛି। ୨୦୨୦ ବର୍ଷକୁ ସ୍ବାଗତ ପାଇଁ ଡ୍ରିମ୍‌ ନାଇଟ୍‌ଠୁ ନେଇ ଇନ୍‌ସୋମ୍‌ନିଆ ପାର୍ଟିର ଆୟୋଜନ କରାଯାଇଛି। ଆଗରୁ କେବଳ କିଛି ହାତଗଣତି ତାରକା ହୋଟେଲ୍‌ ଜିରୋ ନାଇଟ୍‌ ଆୟୋଜନ କରୁଥିବା ବ‌େଳେ ଚାହିଦା ବଢ଼ିବାରୁ ଏବେ ଏଇ ଧାରାରେ ୨୫ରୁ ଅଧିକ ହୋଟେଲ୍‌ ଓ ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ସଂସ୍ଥା ସାମିଲ୍‌ ହୋଇଛନ୍ତି। ଜନସାଧାରଣ ବି ନୂଆବର୍ଷକୁ ସ୍ବାଗତ ପାଇଁ ଅବଗଣନା ଆରମ୍ଭ କରିଦେଇଛନ୍ତି।

ବେଲି ନୃତ୍ୟରେ ଝୁମିବେ
ଋଷିଆର ବେଲି ନୃତ୍ୟରେ ଝୁମିବାର ଅବକାଶ ଭେଟିଦେବ ହୋଟେଲ୍‌ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲ (ଏଚ୍‌ଏଚ୍‌ଆଇ) ଓ ହୋଟେଲ୍‌ କଳିଙ୍ଗ ଅଶୋକା। ହୋଟେଲ୍‌ ଏଚ୍‌ଏଚ୍‌ଆଇରେ ଋଷିଆରୁ ବେଲି ନୃତ୍ୟଶିଳ୍ପୀ ଆସୁଥିବା ବେଳେ ଜିରୋ-ନାଇଟ୍‌ ଉତ୍ସବର ଶୀର୍ଷକ ରହିଛି ‘ଦି ଇନ୍‌ସୋମ୍‌ନିଆ ପାର୍ଟି’। ଏଠାରେ ଡିଜେ ଅଭିଷେକ ଓ ଡିଜେ କ୍ଷୀରାବ୍ଦି ତନୟାଙ୍କ ଡିଜେ ତାଳେତାଳେ ନୃତ୍ୟ କରିବାର ସ‌ୁଯୋଗ ମିଳିବ। ଦମ୍ପତିଙ୍କ ପାଇଁ ଟିକେଟ୍‌ର ମୂଲ୍ୟ ୧୪୯୯ ଟଙ୍କା ରହିଥିବା ବେଳେ ଷ୍ଟାଗ୍‌ ପ୍ରବେଶ ଦର ରହିଛି ୯୯୯ ଟଙ୍କା। ହୋଟେଲ୍‌ କଳିଙ୍ଗ ଅଶୋକାରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ରାଉଣ୍ଡ୍‌ ମିଡ୍‌ନାଇଟ୍‌’ରେ ମଧ୍ୟ ବେଲି ନୃତ୍ୟ ଦେଖିବାକୁ ମିଳିବ। ଲୋକପ୍ରିୟ ଟିକ୍‌ଟକ୍‌ ତାରକା ଶ୍ରୀକ୍ରିଶ, ଡିଜେ ସନ୍‌ହା କାଇନାଥ, ଲଞ୍ଜିତେ, ସ୍ପାର୍କଙ୍କ ସମେତ ମୁମ୍ବାଇ ‌ମଡେଲ୍‌ମାନଙ୍କ ମେଳରେ ସମୟ ବିତିବ। ଦମ୍ପତିଙ୍କ ପ୍ରବେଶ ପାଇଁ ଦର ୨୪୯୯ ଟଙ୍କା ରହିଥିବା ବେଳେ ଷ୍ଟାଗ୍‌ ପ୍ରବେଶ ପାଇଁ ୧୪୯୯ ଟଙ୍କା ଦର ରହିଛି।

ଲେଜର ସୋ’ରୁ ସେଲ୍‌ଫି ଜୋନ୍‌
ହୋଟେଲ୍‌ କଳିଙ୍ଗ ଅଶୋକାରେ ସ୍ବତନ୍ତ୍ର ଲେଜର ସୋ’ ସମେତ ସେଲ୍‌ଫି ଜୋନ୍‌ର ବ୍ୟବସ୍ଥା କରାଯାଇଛି। ନାହାକ ସ୍ପୋର୍ଟ‌୍ସ ଆଣ୍ଡ୍‌ ଇଭେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆଉଟ୍‌ଡୋର ବ୍ୟବସ୍ଥା କରାଯାଇଛି। ହୋଟେଲ୍‌ ପ୍ରେସିଡେନ୍ସିରେ ଆୟୋଜିତ ହେବାକୁ ଯାଉଥିବା ‘ଡ୍ରିମ୍‌ ନାଇଟ୍‌’ରେ ରକ୍‌ବ୍ୟାଣ୍ଡ୍‌ଠୁ ନେଇ ସ୍ବତନ୍ତ୍ର ଭାବେ ସେଲ୍‌ଫି ପ୍ରତିଯୋଗିତା କରାଯାଉଛି। ଏଥିସହ ଲେଜର ସୋ’, ମ୍ୟାଜିକ୍‌ ସୋ’ ଓ ଫଟୋସୁଟ୍‌ର ବ୍ୟବସ୍ଥା କରାଯାଇଛି। ପ୍ରବେଶ ଟିକେଟ୍‌ ଦର ୮୯୯ରୁ ଆରମ୍ଭ ହୋଇ ୫୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର