ଭୁବନେଶ୍ବର : ୨୦୨୦କୁ ପାଛୋଟିବାକୁ ପ୍ରସ୍ତୁତି ଜୋର ଧରିଲାଣି। କିଏ ସାଙ୍ଗସାଥୀଙ୍କ ସହ ବୁଲାବୁଲି ତ କିଏ ବଣଭୋଜିରେ ମସଗୁଲ। ସମଗ୍ର ରାଜଧାନୀ ଏବେଠୁ ଆଲୁଅମାଳାରେ ଝଲସିଲାଣି। କିଏ ଫୁଲ ତୋଡ଼ା ଦେଇ ନୂଆବର୍ଷର ଅଭିନନ୍ଦନ ଜଣାଇବ ତ ପୁଣି କିଏ କେକ୍ କାଟି ନୂଆ ବର୍ଷର ପ୍ରଥମ ସ୍ମୃତିକୁ ନିଆରା ଢଙ୍ଗରେ ପାଳନ କରିବ। ନୂଆବର୍ଷକୁ ନିଆରା କରିବାକୁ ରକମ ରକମର କେକ୍ ପାଇଁ ବଇନା ପହଞ୍ଚିଲାଣି। ପୁଣି କିଏ ଭିନ୍ନ ଧରଣର ଫୁଲ ତୋଡ଼ା ପାଇଁ ବଇନା ଦେଇସାରିଲାଣି।
ରାଜଧାନୀରେ ବର୍ଷ ତମାମ୍ ଫୁଲର ଚାହିଦା ରହିଥିବା ବେଳେ ନୂଆବର୍ଷରେ ଫୁଲ ଓ ବୁକେ ବେପାର ଅଧିକ ଜମେ। ଏଥିପାଇଁ ବେପାରିମାନେ କୋଲକାତା, ବେଙ୍ଗାଲୁରୁ ଓ ଥାଇଲାଣ୍ଡରୁ ଫୁଲ ମଗାଇ ସାରିଲେଣି। ଲିଲି, କାନେଶାନ୍, ଅର୍କିଡ୍, ବିଓପି, ଆନ୍ଥୋରିୟମ୍, ଜାର୍ଭେରା, ଗାଡ୍ଡି, ଷ୍ଟାର୍, ସେବତୀ, କିସାନ୍ତିବାର୍, ଡାଜ୍ ରୋଜ୍ଠାରୁ ଆରମ୍ଭ କରି ଲାଲ୍, ନାରଙ୍ଗୀ, ହଳଦିଆ, ଗୋଲାପୀ, ଧଳା ରଙ୍ଗର ଗୋଲାପ ଫୁଲ ବାହାରୁ ମଗାଇଛନ୍ତି। ଏଥିସହ ଏରିକା, ସୋନାବିଣ୍ଡା ଓ ପାରାକମ୍ ଆଦି ପତ୍ର ମଗାଇଛନ୍ତି। ଅନ୍ୟ ଦିନ ଅପେକ୍ଷା ନୂଆବର୍ଷରେ ସେମାନଙ୍କ ବେପାର ଖୁବ୍ ଜମେ ବୋଲି କହିଛନ୍ତି ସୂର୍ଯ୍ୟନଗରସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲାଓ୍ୱାରିଷ୍ଟର ସୂର୍ଯ୍ୟକାନ୍ତ ସ୍ବାଇଁ। ‘ଅର୍କିଡ୍’ ସ୍ୱତନ୍ତ୍ର ଭାବେ ଥାଇଲାଣ୍ଡରୁ ଆମଦାନି ହେଉଥିବା ବେଳେ ଗୋଲାପ ସବୁ କୋଲ୍କାତାରୁ, ଲିଲି ବେଙ୍ଗାଲୁରୁରୁ ଓ ବାକ୍ସୋ ପାରାଡାଇଜ୍ ମଣିପୁରରୁ ଭୁବନେଶ୍ବରକୁ ଆସୁଛି। ଲିଲିର ଦାମ୍ ଗୋଟା ପିଛା ୧୨୫- ୧୩୦ ଟଙ୍କା ଥିବା ବେଳେ ଅର୍କିଡ୍ ଗୋଟାର ଦାମ୍ ୫୦ ଟଙ୍କା ଓ ଗୋଲାପ ୧୦ରୁ ୨୦ ଟଙ୍କା ରହିଛି। ୫୦ ଟଙ୍କାରୁ ନେଇ ବିଭିନ୍ନ ରକମର ଫୁଲତୋଡ଼ା ଉପଲବ୍ଧ ହୁଏ ବୋଲି ସେ କହିଛନ୍ତି। ୩୧ ତାରିଖ ରାତି ଓ ଜାନୁଆରି ପହିଲା ଦୁଇ ଦିନରେ ପ୍ରାୟ ୨ରୁ ଅଢ଼େଇ ଲକ୍ଷ ଟଙ୍କାର ବ୍ୟବସାୟ ଆଶା ରଖିଛନ୍ତି।
ସେହିଭଳି ଅନେକ କେକ୍ କାଟିବାକୁ ପସନ୍ଦ କରୁଥିବାରୁ ଏଥିପାଇଁ ରାଜଧାନୀର କେକ୍ ଦୋକାନମାନଙ୍କୁ ଅର୍ଡର ଦେବା ଆରମ୍ଭ ହୋଇଛି। ବିଭିନ୍ନ ରକମର ଡିଜାଇନ୍ ଓ ଫ୍ଲେଭରର କେକ୍ ଯୋଗାଇ ଦେବାକୁ ବନ୍ଦୋବସ୍ତ ହୋଇଛି। ବଟର କ୍ରିମ୍, ଫ୍ରେସ୍ କ୍ରିମ୍, ଚକୋଲେଟ୍, ଭାନିଲା, ବ୍ଲାକ୍ ଫରେଷ୍ଟ, ଡୁଆଲ୍ ଫରେଷ୍ଟ୍ ଆଦି ବିଭିନ୍ନ ଫ୍ଲେବରର କେକ୍ ଯୋଗାଇ ଦିଆଯାଉଛି। ପୁଣି ୱେଡିଂ କେକ୍, ସନ୍ସାଇନ୍ ସେଲିବ୍ରେସନ୍, ପିଲାଙ୍କ ପାଇଁ ଉଡ଼ାଜାହଜ, କାର୍, ରେସିଂ ଟ୍ରାକ୍, ବାର୍ବିଡଲ୍, ସିପ୍, ଟ୍ୟାଙ୍କ, ଗିଟାର୍, ଜଙ୍ଗଲ୍ କେକ୍, ରୋଜ୍ଭ୍ୟାଲି ଆଦି ବିଭିନ୍ନ ପ୍ରକାର୍ ଡିଜାଇନ୍ରେ କେକ୍ ପ୍ରସ୍ତୁତ ହୋଇପାରୁଥିବା ବେଳେ ଏବେ ସ୍ବତନ୍ତ୍ର ଟ୍ବେଣ୍ଟିଟ୍ବେଣ୍ଟି କେକ୍ର ଅର୍ଡର ଆସୁଛି। ଯୁବପିଢ଼ିମାନେ ଏନେଇ ବେଶ୍ ଆଗ୍ରହ ଦେଖାଉଥିବା ବେଳେ ନିଜ ପସନ୍ଦ ମୁତାବକ ଡିଜାଇନ୍ ଅର୍ଡର ଦେଇ ଅଗ୍ରିମ ଦେଉଛନ୍ତି। ବିଶେଷକରି ଫଟୋ, ଆଇସ୍ କେକ୍ ଓ ତିନିଥାକିଆ କେକ୍ ନେବାକୁ ଲୋକେ ପସନ୍ଦ କରୁଛନ୍ତି।