ସଜେଇ ହେଉଛି ଆଇଆଇଟି

ଖୋର୍ଧା/ଜଟଣୀ: ରାଷ୍ଟ୍ରପତିଙ୍କ ଜଟଣୀ ଗସ୍ତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷକରି ଆଇଆଇଟି ପରିସର, ଅସ୍ଥାୟୀ ପ୍ରେକ୍ଷାଳୟ ଓ ଏବଂ ସଭାସ୍ଥଳୀକୁ ଫୁଲଦ୍ଵାରା ସଜାଯାଉଛି। ଏଥିପାଇଁ କେବଳ ସଭାମଞ୍ଚରେ ବିଭିନ୍ନ ରଙ୍ଗବେରଙ୍ଗର ୧ କ୍ୱିଣ୍ଟାଲରୁ ଅଧିକ ଓଜନର ଫୁଲକୁ ବ୍ୟବହାର କରାଯିବ। ମୁଖ୍ୟତଃ ପାଞ୍ଚ ପ୍ରକାରର ଫୁଲ ଏଥିରେ ବ୍ୟବହାର କରାଯିବ। ସେଥିମଧ୍ୟରେ ଗୋଲାପ, ଗେଣ୍ଡୁ, ଜାରବେରା ଓ ଓରଚିଡ୍‌ ରହିଥିବା ଜଣାପଡ଼ିଛି। ଏହି ସବୁ ଫୁଲ କୋଲକାତାରୁ ଅଣାଯିବ ବୋଲି ଜଣାପଡ଼ିଛି। ମଞ୍ଚକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଶତାଧିକ ଫୁଲକୁଣ୍ଡ ମଞ୍ଚ ନିକଟରେ ରଖାଯିବା ସହ ମୁଖ୍ୟ ଗେଟ୍‌ ନିକଟରୁ ସଭାମଞ୍ଚ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ କାରପେଟ୍‌ ବିଛାଯିବ। ସେହିପରି ହାଇଦ୍ରାବାଦରୁ ଅତ୍ୟାଧୁନିକ ଡିଜିଟାଲ ସାଉଣ୍ଡ ଓ ମାଇକ୍‌ ଆସିବ। ଏହି ଉତ୍ସବ ପାଇଁ ଆଇଆଇଟି ପରିସରରେ ଥିବା ମୁଖ୍ୟ ଖେଳ ପଡ଼ିଆଠାରେ ସ୍ୱତନ୍ତ୍ର ଅସ୍ଥାୟୀ ପ୍ରେକ୍ଷାଳୟ ନିର୍ମାଣ କରାଯାଉଛି। ଏଥିରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି। ୧୦୦ମିଟର ଲମ୍ବ, ୪୦ ମିଟର ଚଉଡ଼ା ଓ ୯ ମିଟର ଉଚ୍ଚତାରେ ଏହା ନିର୍ମାଣ କରାଯାଉଛି। ଏଥିରେ ୨୫୦୦ ଶହ ବ୍ୟକ୍ତି ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚ ମଧ୍ୟ ୨୨ ମିଟର ଲମ୍ବ ଓ ୧୦ ମିଟର ଚଉଡ଼ାରେ ନିର୍ମିତ ହେଉଛି। ଏଥିରେ ୫୦ଜଣ ଅତିଥି ବସିବାର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଇଆଇଟିର ବୋର୍ଡ ଅଫ୍‌ ଗର୍ଭନମେଣ୍ଟର ଚେୟାରମ୍ୟାନ ପଙ୍କଜ ରମଣ ଭାଇ ପଟେଲ ଓ ନିର୍ଦେଶକ ପ୍ରଫେସର ଆରଭି ରାଜାକୁମାର ସ୍ୱାଗତ ଜଣାଇ ସଭାମଞ୍ଚକୁ ପାଛୋଟି ନେବେ। ରାଷ୍ଟ୍ରପତିଙ୍କ ସହ ମଞ୍ଚରେ ରାଜ୍ୟପାଳ ଏସ୍‌ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ର ଡ. ସତ୍ୟପାଲ ସିଂହ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଆସନ ଗ୍ରହଣ କରିବେ।

ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜି

ଖୋର୍ଧା/ଜଟଣୀ: ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଆଇଆଇଟି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଆଜି ଅପରାହ୍‌ଣରେ ରାଜ୍ୟ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର କୁମାର ଶର୍ମା ଜଟଣୀ ଗସ୍ତରେ ଆସିଥିଲେ। ଆଇଆଇଟି ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ସହ ଏକ ବୈଠକରେ ସମୀକ୍ଷା କରିଥିଲେ। ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ମଧ୍ୟ ଆଇଆଇଟିର ପରିସରକୁ ଆସି ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ସମସ୍ତ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଡ. ଶର୍ମା ସଭା ମଞ୍ଚସ୍ଥଳ, ପ୍ରେକ୍ଷାଳୟ ଓ ଆଇଆଇଟି ପରିସର ବୁଲିବା ପରେ ଆଇଆଇଟିର ଉଚ୍ଚ ପଦାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ସେଠାରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହିତ ୭୦ଜଣ ପୁଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ଦାୟିତ୍ଵରେ ରହିବେ। ସେହିପରି ସାଦା ପୋଷାକରେ ଗୁଇନ୍ଦା ପୁଲିସ ମଧ୍ୟ ମୁତୟନ କରାଯିବ।

ସମ୍ବନ୍ଧିତ ଖବର