ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ସଜବାଜ

ଗବେଷକଙ୍କ ପାଇଁ ଖୋଲିବ ପ୍ରୟୋଗଶାଳା
ଭୁବନେଶ୍ବର : ପିଏଚ୍‌ଡି, ଏମ.ଫିଲ୍ ଓ ପିଜି ପାଠ୍ୟକ୍ରମର ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ଲାବରୋଟାରି ଖୋଲିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ବିଭିନ୍ନ ବିଷୟରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ସୁବିଧା ଉପଲବ୍ଧ କରାଇବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ନଭେମ୍ବର ୩୦ରେ ରାଜ୍ୟ ସରକାର ଡିସେମ୍ବର ମାସ ଲାଗି କରୋନା ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଯେଉଁଥିରେ ଉଚ୍ଚ ଶିକ୍ଷାନୁଷ୍ଠାନ‌ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ତାହାକୁ ଆଧାର କରି ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜର ଗବେଷଣାରତ ଛାତ୍ରଛାତ୍ରୀ ତଥା ରିସର୍ଚ୍ଚ ସ୍କଲାରଙ୍କ ଲାଗି ଲାବରୋଟାରି ସୁବିଧା ଉପଲବ୍ଧ କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକ କୋଭିଡ୍‌-୧୯ କଟକଣା ସହ ଲାବରୋଟାରି ଖୋଲିବେ। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ଓ କଲେଜର ଗବେଷଣାରତ ଛାତ୍ରଛାତ୍ରୀ ତଥା ରିସର୍ଚ୍ଚ ସ୍କଲାରଙ୍କ ଲାଗି ଲାବରୋଟାରି ଖୋଲିବାକୁ ବିଜ୍ଞପ୍ତି ଜାରି ପରେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ଆଶା ସଞ୍ଚାର ହୋଇଛି। ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ହୋଇଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ରୁ କମ୍‌ ରହିଛି, ଯାହାକି ଏକ ଖୁସି ଖବର। ଯଦି ଏଭଳି ସ୍ଥିତି ଲାଗି ରୁହେ, ତେବେ ଆସନ୍ତା ମାସକ ମଧ୍ୟରେ କରୋନା ଗ୍ରାଫ୍‌ ଶୂନ୍ୟ ହୋଇପାରେ। ଏବେ କରୋନା ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଥିବାରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। କ୍ୟାମ୍ପସ୍‌ ପ୍ରସ୍ତୁତ ରଖିବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ଡିସେମ୍ବର ଶେଷ କିମ୍ବା ଜାନୁଆରି ପ୍ରଥମରୁ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍‌ ଶିକ୍ଷା ଆରମ୍ଭ କରିବାକୁ ଆଲୋଚନା ଚାଲିଛି। ଇତିମଧ୍ୟରେ ଯୁକ୍ତ୩ ଓ ପିଜି ନାମଲେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସବୁ କିଛି ଠିକ୍‌ ରୁହେ, ଖୁବ୍‌ଶୀଘ୍ର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ।

କଲେଜ କ୍ୟାମ୍ପସ ସଫେଇ କରିବାକୁ ନିର୍ଦେଶ
ଭୁବନେଶ୍ବର : ପିଏଚ୍‌ଡି, ଏମ୍‌.ଫିଲ୍‌ ଓ ପିଜି ପାଠ୍ୟକ୍ରମର ଗବେଷଣାରତ ଛାତ୍ରଛାତ୍ରୀଙ୍କ ଲାଗି ଲାବରେଟୋରି ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ଦେବା ପରେ ଏବେ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଖୋଲିବା ଲାଗି ସଜବାଜ ଆରମ୍ଭ ହୋଇଛି। ଯୁକ୍ତ୨ କଲେଜ କ୍ୟାମ୍ପସକୁ ବିଶୋଧନ ଓ ସଫେଇ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ବୃନ୍ଦାବନ ବେହେରା ଆଜି ସମସ୍ତ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍‌-୧୯ ଯୋଗୁଁ ମାର୍ଚ୍ଚ ମାସଠାରୁ କ୍ଲାସରୁମ୍‌ ପାଠପଢ଼ା ପ୍ରଭାବିତ ହୋଇଛି। ଏବେ ସମୟ ଆସିଛି, ସ୍କୁଲ କ୍ୟାମ୍ପସକୁ ବିଶୋଧନ କରିବା ସହ ସଫେଇ କରିବାକୁ ପଡ଼ିବ। ପାନୀୟ ଜଳ ସୁବିଧା, ଶୌଚାଳୟ, କ୍ଲାସରୁମ୍‌, ଲାବରୋଟାରିରେ ଥିବା ସାମଗ୍ରୀଗୁଡ଼ିକୁ ବିଶୋଧନ କରାଯାଇ କୋଭିଡ୍‌ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ହେବ। ଅଧ୍ୟକ୍ଷମାନେ ଏ ଦିଗରେ ପଦକ୍ଷେପ ନେବା ସହ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର