ଜଳବନ୍ଦି ସମସ୍ୟା ନେଇ ବିଏମ୍‌ସିର ପ୍ରସ୍ତୁତି

୩୧ ସମ୍ବେଦନଶୀଳ ଜାଗାରେ ପାଣିପମ୍ପ, ସ୍କୁଲ ଘରକୁ ଅସ୍ଥାୟୀ ଶିବିର କରିବାକୁ ବିଇଓଙ୍କୁ ଚିଠି

ଭୁବନେଶ୍ବର: ପ୍ରବଳ ବର୍ଷାରେ ଭୁବନେଶ୍ବର ଜଳବନ୍ଦି ହେବା ଆଶଙ୍କା ଥିବାରୁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଏମ୍‌ସି ମୁଖ୍ୟାଳୟରେ ମେୟର ଓ କମିସନର ସ୍ଥିତି ସମୀକ୍ଷା କରିଥିବା ବେଳେ ଜୋନ୍‌ସ୍ତରରେ ଅତିରିକ୍ତ କମିସନର ସମୀକ୍ଷା କରିବା ସହ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ଉପଯୁକ୍ତ ପରାମର୍ଶ ଦେଇଛନ୍ତି। ତଳି ଅଞ୍ଚଳ କିମ୍ବା ବସ୍ତି ବୁଡ଼ିଗଲେ ସେମାନଙ୍କ ପାଇଁ ସ୍କୁଲ ମାନଙ୍କରେ ଅସ୍ଥାୟୀ ଶିବିର କରିବାକୁ ଯୋଜନା ହୋଇଛି। ସେଥିପାଇଁ ବିଇଓମାନଙ୍କୁ ଚିଠି ଲେଖାଯାଇଛି। ୩୧ଟି ସମ୍ବେଦନଶୀଳ ଜାଗାରେ ପମ୍ପ ସେଟ୍‌ ପ୍ରସ୍ତୁତ ରଖାଯିବା ସହ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ୱାର୍ଡ ଅଫିସରମାନଙ୍କୁ ଏହି ସବୁ ସମ୍ବେଦନଶୀଳ ଜାଗାମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଅସ୍ଥାୟୀ ଶିବିରକୁ ଆସିବେ ସେମାନଙ୍କର ସ୍ବାସ୍ଥ୍ୟ ଓ ଖା‌ଦ୍ୟପେୟ ପ୍ରତି ଯତ୍ନବାନ ହେବାକୁ ମଧ୍ୟ କୁହାଯାଇଛି।

ଅନ୍ୟପଟେ ମେୟର ସୁଲୋଚନା ଦାସ ନହରକଣ୍ଟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୟନଜୋରି ଜବରଦଖଲ ହୋଇଥିବାରୁ ସେଠାରେ ଜଳ ନିଷ୍କାସନ ସମସ୍ୟା ରହିଥିବା ଅଭିଯୋଗ ରହିଥିଲା। ସେ ଆଜି ସମ୍ପୃକ୍ତ ଅଞ୍ଚଳ ବୁଲିବା ସହ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କଲଭର୍ଟଗୁଡ଼ିକ ଜବରଦଖଲମୁକ୍ତ କରିବା ସହ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି। ବିଏମ୍‌ସି ପକ୍ଷରୁ କାମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର