ହକି ପାଇଁ ପ୍ରସ୍ତୁତି: ରାଜପଥରେ ରହିବନି ଖାଲ

ଗଠନ ହେବ କାର୍ଯ୍ୟକାରିଣୀ କମିଟି

ଭୁବନେଶ୍ବର: ହକି ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ସହର ସୌନ୍ଦର୍ଯ୍ୟୀକରଣ ଓ ମହୋତ୍ସବ କମିଟିର ନୋଡାଲ ଅଫିସର ତଥା ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ବିଡିଏ କନ୍‌ଫରେନ୍ସ ହଲ୍‌ରେ ବସିଥିବା ଏକ ସମୀକ୍ଷା ବୈଠକରେ ଏ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା-କଟକ ଜାତୀୟ ରାଜପଥରେ ଖାଲ ରହିବ ନାହିଁ। ପ୍ରତ୍ୟେକ ଲାଇଟ୍‌ ଯେପରି ଜଳିବ ସେ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡିସେମ୍ବର ୧ ତାରିଖ ସୁଦ୍ଧା ନିଶ୍ଚିତ କରିବାକୁ କୁହାଯାଇଛି। ଡିସେମ୍ବର ୧୫ ତାରିଖ ପରେ ରାଜପଥରେ କୌଣସି କାମ ହେବନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

କେବଳ ଜାତୀୟ ରାଜପଥ ନୁହେଁ, ବରଂ ସହର ଭିତରେ ଯେଉଁ ସବୁ ରାସ୍ତା ରହିଛି ସେ ସବୁ ଯେଭଳି ମରାମତି ହେବ ସେ ନେଇ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ନିଶ୍ଚିତ କରିବେ। ରାସ୍ତା ଘାଟ ଡିସେମ୍ବର ୧ ତାରିଖ ପରେ ଆଉ ଖୋଳାଯିବନାହିଁ। ବିଶେଷକରି ୱାଟ୍‌କୋ, ଗେଲ୍‌ ଓ ଅନ୍ୟାନ୍ୟ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଥିବା ସଂସ୍ଥା ଏ ନେଇ ନିଶ୍ଚିତ କରିବେ। ପ୍ରତ୍ୟେକ ଲାଇନ୍‌ ଡିପାର୍ଟମେଣ୍ଟ ସହ ଯେଭଳି ସମନ୍ବୟ ରହିପାରିବ ସେ ନେଇ ବିଡିଏ ଉପାଧ୍ୟକ୍ଷଙ୍କ ଅଧୀନରେ ଏକ କାର୍ଯ୍ୟକାରିଣୀ କମିଟି କଠନ ହେବାକୁ ନିଷ୍ପତ୍ତି ନିଆଯାଇଛି। ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର, ଟ୍ରାଫିକ୍‌ ଡିସିପି, ଏନ୍‌ଏଚ୍‌ଏଆଇ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର