ଭୁବନେଶ୍ୱର : ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ‘ସବୁଜ ସ୍ବଚ୍ଛ ଓଡ଼ିଶା, ସବୁଜ ସ୍ବଚ୍ଛ ଭାରତ ଓ ସବୁଜ ସ୍ବଚ୍ଛ ବିଶ୍ବ’ ଆଭିମୁଖ୍ୟ ନେଇ ଗତ ୧ ତାରିଖରୁ ପାଳିତ ହେଉଥିବା ଆନ୍ତର୍ଜାତିକ ସବୁଜ ମହୋତ୍ସବ ଆସନ୍ତା ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ସମେତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ପ୍ରଶାସକ, ଅଭିନେତା, ଅଭିନେତ୍ରୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇ ଏହି ସବୁଜ ସଂଗ୍ରାମରେ ସାମିଲ ହେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଗଛ ସହ ଫଟୋ ଉଠାଇ ପଠାଇବାକୁ ମଧ୍ୟ କୁହାଯାଇଛି। ଏନେଇ ସବୁଜ ଆନ୍ଦୋଳନର ପରାମର୍ଶଦାତାମଣ୍ଡଳୀ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡର୍-ଇନ୍-ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ଏହି ଅଭିଯାନର ପରାମର୍ଶଦାତା ତଥା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପାଇକ ସଂଗଠକ ତଥା ବିଜେପି ଦଳର ବରିଷ୍ଠ ନେତା ବିଶ୍ବରଂଜନ ସ୍ବାଇଁ, ଗ୍ରିନ୍ କମାଣ୍ଡାଣ୍ଟ ଅବନୀ ଜେନା, ଆଚିଭର୍ ଫାଉଣ୍ଡେସନ୍ର ସଭାପତି ଅରୁନ୍ଧତୀ ସୁନ୍ଦରାୟ, ଗ୍ରିନ୍ କମାଣ୍ଡାଣ୍ଟ ଯଜ୍ଞାଶିଷ ମହାପାତ୍ର, ଅଶୋକ ସୁନ୍ଦରାୟ, ପ୍ରଫେସର୍ ଅଜୟ ସ୍ବାଇଁ, ବବୁଲ ନାୟକ ପ୍ରମୁଖ ସାମିଲ ଥିଲେ।
ସେହିପରି ମିଳିତ ଜାତିସଂଘର ସେକ୍ରେଟାରି ଜେନେରାଲଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ‘ପ୍ଲାଣ୍ଟ ଏ ଟ୍ରି ଲୋକାଲି, ରିଡ୍ୟୁସ୍ ୱାର୍ମିଂ ଗ୍ଲୋବାଲି’ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି। ଏହାଦ୍ବାରା ଗ୍ଲୋବାଲ୍ ୱାର୍ମିଂ କ୍ଲାଇମେଟ୍ ଚେଞ୍ଜ ତଥା ପ୍ରଦୂଷଣ ହ୍ରାସ ହୋଇପାରିବ ବୋଲି ପ୍ରତିନିଧିମଣ୍ଡଳୀ କହିଛନ୍ତି।