ବର୍ତ୍ତମାନ ଗ୍ଲୋବାଲ୍‌ ଖବରର ଭୂମିକା ଗୁରୁତ୍ୱପୂର୍ଣ୍ଣ

‘ନିର୍ଭୟ’ର ଚତୁର୍ଥ ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର: ଡିଜିଟାଲ ଯୁଗରେ ଆଉ ଲୋକମାନେ ଦୀର୍ଘ ଖବର ପଢ଼ିବାକୁ ପସନ୍ଦ କରୁନାହାନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ସାରା ବିଶ୍ୱର ଖବର ସହିତ ସ୍ଥାନୀୟ ଖବର ଅଧିକ ପଢ଼ିବାକୁ ପାଠକ ପସନ୍ଦ କରୁଛନ୍ତି। ଗ୍ଲୋବାଲ ଖବର ସହିତ ଲୋକାଲ ଖବରକୁ ନେଇ ଉତ୍ସୁକତା ଅଧିକ ରହୁଛି। କହିବାକୁ ଗଲେ ବର୍ତ୍ତମାନ ଯୁଗ ହେଉଛି ‘ଗ୍ଲୋବାଲ’ ଖବରର ସମୟ। ଦୈନିକ ଓଡ଼ିଆ ଖବରକାଗଜ ‘ନିର୍ଭୟ’ର ଚତୁର୍ଥ ବାର୍ଷିକ ଉତ୍ସବରେ ଯୋଗଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବବ୍ୟପାର ଓ କ୍ରୀଡ଼ା (ସ୍ୱାଧୀନ) ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏପରି ମତ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ମୁଖ୍ୟସ୍ରୋତର ଗଣମାଧ୍ୟମଙ୍କୁ ପ୍ରଭାବିତ କରୁଥିବା ସମ୍ପର୍କରେ ମତଦେଇ ଶ୍ରୀ ରାଠୋର କହିଥିଲେ ଯେ, ସାମାଜିକ ଗଣମାଧ୍ୟମର ବ୍ୟାପ୍ତି ଅଧିକ ଏବଂ ଏହି ମାଧ୍ୟମରେ ଖବର ସିଧାସଳଖ ବ୍ୟକ୍ତି ନିକଟରୁ ଆସିଥାଏ। ବର୍ତ୍ତମାନ ସମୟରେ ଏହାର ବହୁଳ ବ୍ୟବହାର ଦେଖାଦେଇଛି। ମାତ୍ର ଭାରତରେ ଛାପାଗଣମାଧ୍ୟମର ଚାହିଦା ଏବେବି ଅତୁଟ ରହିଥିବା ଶ୍ରୀ ରାଠୋର କହିଥିଲେ।

‘ନିର୍ଭୟ’ ସମ୍ପାଦକ ନବୀନ ଦାସ ଏହି ଅବସରରେ ଅନୁଷ୍ଠାନ କିପରି ସତ କଥା ଛାପି ରାଜ୍ୟ ସରକାରଙ୍କର ରୋଷର ଶିକାର ହୋଇଛି ତାହା ପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖବରକାଗଜ କିପରି ରାଜନୈତିକ ନେତାମାନଙ୍କୁ ଉତ୍ସାହ ଦେଇଥାଏ ତାହା ପ୍ରକାଶ କରିଥିଲେ। ଗଣମାଧ୍ୟମ ଜନ ସମସ୍ୟା ଓ ଶାସନ ବ୍ୟବସ୍ଥାର ତ୍ରୁଟି ବିଚ୍ୟୁତିକୁ ମୁଖରତାର ସହିତ ଜନମାନସରେ ଉପସ୍ଥାପିତ କରି ଜନମତକୁ ପ୍ରଭାବିତ କରିବାର ଅନେକ ଉଦାହରଣ ଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଆମ ରାଜ୍ୟରେ ରହିଥିବା ଅନେକ ସଫଳ ବ୍ୟକ୍ତିତ୍ୱଙ୍କୁ ନେଇ ରାଜ୍ୟରେ ଜନସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସହଯୋଗୀ ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବାର୍ତ୍ତା ସମ୍ପାଦକ ବିଶ୍ୱଭୂଷଣ ମିଶ୍ରଙ୍କ ଦ୍ୱାରା ସଂକଳିତ ‘ଅବୋଲକରାର ମନକଥା’ ଓ ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର