ଉପସ୍ଥାପନା ମୋତେ ସଫଳତା ଦେଇଛି: ପୁପିନ୍ଦର

ପୁପିନ୍ଦର ସିଂହ…। ଓଡ଼ିଆ ଆଙ୍କରିଂ ଜଗତର ସୁପରଷ୍ଟାର। ନିଜର ନିଆରା ଶୈଳୀ ମାଧ୍ୟମରେ ସେ ଓଡ଼ିଆରେ ଉପସ୍ଥାପନାକୁ ନୂଆ ପରିଭାଷା ଦେଇଛନ୍ତି। ଉପସ୍ଥାପନାରୁ ମ୍ୟୁଜିକ୍‌ ଆଲ୍‌ବମ୍‌ ଓ ପରେ ଓଲିଉଡ୍‌ରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଉପସ୍ଥାପକ ଭାବେ ପ୍ରଥମ ସୋ’ ‘କ୍ୟାମ୍ପସ୍‌’, ଆଲ୍‌ବମ୍‌ ନାୟକ ଭାବେ ପ୍ରଥମ ଆଲ୍‌ବମ୍‌ ‘ଜାଇଫୁଲ’ ଓ ନାୟକ ଭାବେ ପ୍ରଥମ ଚଳଚ୍ଚିତ୍ର ‘ତୋ ବିନା ଭଲ ଲାଗେନା’ ସବୁ ସୁପରହିଟ୍‌ ହୋଇଛି। ଏହାପରେ ‘ଶୁଭ ବିବାହ’, ‘ଥୁକୁଲ’, ‘ସମୟ ବଡ଼ ବଳବାନ୍‌’, ‘କିଛି ଖଟା କିଛି ମିଠା’, ‘ଜଗୁ ଅଟୋୱାଲା’, ‘ଡାହା ବାଳୁଙ୍ଗା’ ଆଦି ଚଳଚ୍ଚିତ୍ରରେ ସଫଳତା ପାଇଛନ୍ତି। ତଥାପି ଉପସ୍ଥାପନାକୁ ଛାଡ଼ିନାହାନ୍ତି। ‘ଜ୍ଞାନଗୁରୁ’ ଭଳି ଲୋକପ୍ରିୟ ‌ରିୟଲିଟି ସୋ’ ତାଙ୍କୁ ଭିନ୍ନ ଏକ ସଫଳତା ଦେଇଛି। ଚଳିତ ସପ୍ତାହରେ ଏହି ସଫଳ ନାୟକଙ୍କ ସହ ଆମ ସାକ୍ଷାତକାର।

ଉପସ୍ଥାପକ କେମିତି ହେଲେ?
ପିଲାଟି ଦିନୁ ମୁଁ ଜଣେ ଅଭିନେତା ହେବାକୁ ଚାହୁଥିଲି। ଉପସ୍ଥାପନା କ’ଣ ତାହା ବି ମୋତେ ଜଣା ନଥିଲା। ୧୯୯୮ ମସିହା ପୂର୍ବରୁ ଯଦିଓ ମୁଁ ଓଡ଼ିଆ ମନୋରଞ୍ଜନ ଜଗତକୁ ଆସିଥିଲି କିନ୍ତୁ ମୋତେ ସେମିତି କିଛି ସୁଯୋଗ ମିଳିନଥିଲା। ଏଣୁ ମୁଁ ମୁମ୍ବାଇ ଚାଲିଯାଇ ସେଠାରେ ସଂଘର୍ଷ କରୁଥିଲି। ସେଠାରେ ମୁକେଶ ଖାନ୍ନାଙ୍କ ସହ ‘ଶକ୍ତିମାନ’ରେ ୫ଟି ଏପିସୋଡ୍‌ କରିବା ସହ ‘ଘରାନା’ ଧାରାବାହିକରେ ବି କାମ କରିଛି। ଇଟିଭି ନୂଆ ଆସିଥାଏ। ଅଶୋକ ବଳବନ୍ତରାୟ ସାର୍‌ଙ୍କୁ ସେତେବେଳେ ଏକ ସୋ’ ‘କ୍ୟାମ୍ପସ୍‌’ ମିଳିଥିଲା। ‌ସେ ମୋତେ ସେହି ସୋ’ରେ ଉପସ୍ଥାପନା କରିବାକୁ ଅଫର୍‌ ଦେଇଥିଲେ। ‘କ୍ୟାମ୍ପସ୍‌’ ସୁଟିଂ ଆରମ୍ଭ‌ ହେଲା। ପ୍ରଥମ ଦିନରେ ମୋର ୨୩ଟି ଟେକ୍‌। ଏହାକୁ ଦେଖି ଆତ୍ମବିଶ୍ବାସ ଆହୁରି ଦୋହଲି ଯାଇଥିଲା। ଭାବିଲି ମୋ କ୍ୟାରିୟର୍‌ ଏଠି ଶେଷ। କିନ୍ତୁ ‘କ୍ୟାମ୍ପସ୍‌’ ବେଶ୍‌ ଲୋକପ୍ରିୟ ହେଲା।

ଉପସ୍ଥାପକରୁ ଅଭିନେତା ହେବାର ଯାତ୍ରା କିପରି ଥିଲା?
‘କ୍ୟାମ୍ପସ୍‌’ର ଲୋକପ୍ରିୟତା ଯୋଗୁଁ ହିଁ ମୋତେ ମୋ ଦ୍ବିତୀୟ ସୋ’ ‘ମିତ ପାଇଁ ଗୀତଟିଏ’ ମିଳିଥିଲା। ଏହା ମୋତେ ଅଜସ୍ର ଲୋକପ୍ରିୟତା ଆଣିଦେଇଥିଲା। ଏହାପରେ ମୋତେ ‘ଜାଇଫୁଲ’ ଆଲ୍‌ବମ୍‌ରେ ସୁଯୋଗ ମିଳିଲା। ପରେ ସମସ୍ତ ନାମୀଦାମୀ ଆଲ୍‌ବମ୍‌ ପ୍ରଯୋଜକମାନେ ମୋତେ ଆଲ୍‌ବମ୍‌ରେ ସୁଯୋଗ ଦେଇଥିଲେ। ଆଲ୍‌ବମ୍‌ର ସଫଳତା ଯୋଗୁଁ ମୋତେ ମୋ ପ୍ରଥମ ଚଳଚ୍ଚିତ୍ର ‘ତୋ ବିନା ଭଲ ଲାଗେନା’ ମିଳିଥିଲା। ଏହାପରେ ୧୫ଟି ଚଳଚ୍ଚିତ୍ର ସହ ଶତାଧିକ ସୋ’ରେ ଉପସ୍ଥାପନା କରିସାରିଲିଣି।

ଉପସ୍ଥାପନା ସମୟରେ ଭାଷାଗତ ଶୁଦ୍ଧତାକୁ ନେଇ ଅଭିଯୋଗ ହୁଏ। ଏ ନେଇ ଆପଣଙ୍କ ମତ କ’ଣ?
ଜଣେ ଉପସ୍ଥାପକ ଭାଷାରେ ମାହିର ହେବା ଅତ୍ୟନ୍ତ ଜରୁରୀ। ଯେହେତୁ ଓଡ଼ିଆ ଆମ ମାତୃଭାଷା, ଉପସ୍ଥାପକ ଭାବେ ଆବଶ୍ୟକ ନଥିଲେ ଅଧିକାଂଶ ସୋ’ରେ ଆମେ ଆମ ମାତୃଭାଷା ଛଡ଼ା ଆଉ କିଛି ପ୍ରୟୋଗ କରିବା ନାହିଁ। ଏହା ଆମ ମାତୃଭାଷା ପ୍ରତି ସମ୍ମାନ ହେବା ସହ ଦର୍ଶକଙ୍କ ବୋଧଗମ୍ୟ ହେବ।

ଓଡ଼ିଶା‌ର ମନୋରଞ୍ଜନ ଜଗତକୁ ନେଇ କ’ଣ କହିବେ?
ଓଡ଼ିଆ ଚଳଚ୍ଚିତ୍ର ଜଗତ ଛଡ଼ା ଅନ୍ୟ ସମସ୍ତ ମନୋରଞ୍ଜନ ଜଗତ ଏବେ ଏକ ଭଲ ସମୟ ଦେଇ ଗତି କରୁଛନ୍ତି। ଆମ ଧାରାବାହିକ, ମ୍ୟୁଜିକ୍‌ ଭିଡିଓ ଓ ସଙ୍ଗୀତ ଜଗତ ଆଗକୁ ଆହୁରି ବିକଶିତ ହେବ। କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ଏକ ପରିବର୍ତ୍ତନଶୀଳ ସମୟ ଦେଇ ଗତି କରୁଛି। ଯେଉଁଠି ପୁରୁଣା ତ’ ସ୍ବୀକୃତି ପାଉନାହିଁ, କିଛି ନୂଆକୁ ବି ପ୍ରତ୍ୟାଖାନର ସାମ୍‌ନା କରିବାକୁ ପଡ଼ୁଛି। ଏବେ ଦର୍ଶକଙ୍କ ପାଖରେ ବହୁତ ବିକଳ୍ପ, ଆଙ୍ଗୁଠି ଟିପରେ ସବୁ ଭାଷା, ସବୁ ବର୍ଗର ଚଳଚ୍ଚିତ୍ର ଉପଲବ୍ଧ। ଏଭଳି କ୍ଷେତ୍ରରେ ଆମେ କାହାଣୀକୁ ନେଇ ଅଧିକ ଯତ୍ନଶୀଳ ହେଲେ ଓଡ଼ିଆ ଚଳଚ୍ଚିତ୍ର ଆଉ ଥରେ ମୁଣ୍ଡ ଟେକିପାରିବ। ଏଥିସହ ସରକାର ସହଯୋଗର ହାତ ବଢ଼ାଇ ପର୍ଯ୍ୟାପ୍ତ ସିନେମା ହଲ୍‌ ନିର୍ମାଣ, କିଛି ରିହାତି ବ୍ୟବସ୍ଥା କରିବା ଉଚିତ।

ଓଡ଼ିଶାରେ ଜଣେ ଉପସ୍ଥାପକ ପାଇଁ କ’ଣ ସବୁ ସୁଯୋଗ ରହିଛି?
ଏବେ ପର୍ଯ୍ୟାପ୍ତ ରିୟଲିଟି ‌ସୋ, ଇଭେଣ୍ଟ୍‌ସ୍‌, ପାର୍ଟି, ସାଂସ୍କୃତିକ, ସାମାଜିକ ଓ ବାଣିଜ୍ୟିକ କାର୍ଯ୍ୟକ୍ରମ ହେଉଛି। ଏଣୁ ଉପସ୍ଥାପନାକୁ ନେଇ ଓଡ଼ିଶାରେ ଭଲ ସୁଯୋଗ ରହିଛି।

ଜଣେ ଫୁଲ୍‌ଟାଇମ୍‌ ଉପସ୍ଥାପକ ହେବା ପାଇଁ ନିଜକୁ କେମିତି ପ୍ରସ୍ତୁତ କରିବା ଉଚିତ?
ପ୍ରଥମେ ନିଜକୁ ଅନ୍ୟ ଆଗରେ ଭଲ ଭାବେ ଉପସ୍ଥାପନା କରିପାରୁଥିବା ଉଚିତ। ଭାଷାଜ୍ଞାନ, କହିବା ‌ଶୈଳୀ, ଉପସ୍ଥିତ ବୁଦ୍ଧି ଛଡ଼ା ଜଣେ ଉପସ୍ଥାପକ ନିହାତି ଭାବେ ହାସ୍ୟରସର କଳା ଶିଖିବା ଉଚିତ।

ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ମୋତେ ଆଧ୍ୟାତ୍ମିକ, ଜ୍ୟୋତିଷ ଶାସ୍ତ୍ର, ଜୀବନ ତତ୍ତ୍ବ ଓ ଭୌତିକ ତତ୍ତ୍ବ ଉପରେ ଅନୁଧ୍ୟାନ ଓ ଗବେଷଣା କରିବାକୁ ଭଲ ଲାଗେ। ଏଣୁ ବିଭିନ୍ନ ବହି ପଢ଼ିବା, ବିଶେଷଜ୍ଞଙ୍କ ସହ କଥା ହୋଇ ଓ ଇଣ୍ଟରନେଟ୍‌ ମାଧ୍ୟମରେ ଗବେଷଣା କରିବାକୁ ଭଲ ଲାଗେ।

ସମ୍ବନ୍ଧିତ ଖବର