ଆସୁଛନ୍ତି ରାଷ୍ଟ୍ରପତି

୧୮ରେ ଆଇଆଇଟିର ସମାବର୍ତନ ଉତ୍ସବ

ଭୁବନେଶ୍ୱର ଭାରତୀୟ ପ୍ରାଦ୍ୟଗିକ ସଂସ୍ଥାନ (ଆଇଆଇଟି)କୁ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମାର୍ଚ୍ଚ ୧୮ରେ ଆଇଆଇଟିର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କ୍ୟାମ୍ପସ। ରାସ୍ତାଘାଟଠାରୁ ଆରମ୍ଭ କରି ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେବାରେ ଲାଗିଛି। ଓଡ଼ିଶାର ପାରମ୍ପରିକ କଳାକୃତୀରେ ସଜେଇ ହେଉଛି ଉତ୍ସବସ୍ଥଳ। ଉତ୍ସବ ଅବସରରେ ବିଭିନ୍ନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ, ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ପରି ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

ଭୁବନେଶ୍ୱର/ଜଟଣୀ: ଆସନ୍ତା ୧୮ ତାରିଖରେ ଭୁବନେଶ୍ୱର ଆଇଆଇଟିର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଆଇଆଇଟିର କୌଣସି ଏକ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଉଛନ୍ତି। ଏହାପୂର୍ବରୁ ୨୦୧୩ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଭୁବନେଶ୍ୱର ଆଇଆଇଟିର ସମାବର୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଉକ୍ତ ଉତ୍ସବ ଆଚାର୍ଯ୍ୟ ବିହାରସ୍ଥିତ ଆଇଏମ୍‌ଏମ୍‌ଟି ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥର କିନ୍ତୁ ଆଇଆଇଟିର ଜଟଣୀସ୍ଥିତ ନିଜସ୍ୱ କ୍ୟାମ୍ପସ୍‌ରେ ସମାବର୍ତନ ଉତ୍ସବ ହେବାକୁ ଯାଉଛି। ଯେଉଁଥିରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଯୋଗଦେବେ। କ୍ୟାମ୍ପସ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇ ନ ଥିଲେ ମଧ୍ୟ ଏହା ପୂର୍ବରୁ ଦୁଇଟି ସମାବର୍ତନ ଉତ୍ସବ ନୂତନ କ୍ୟାମ୍ପସରେ ଅନୁଷ୍ଠିତ ହୋଇସାରିଛି। ୨୦୧୫ରେ ଅନୁଷ୍ଠିତ ୪ର୍ଥ ସମାବର୍ତନ ଉତ୍ସବରେ ସେତେବେଳର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ଯୋଗ ଦେଇଥିଲେ। ସେହିପରି ୨୦୧୬ରେ ଆଇଆଇଟି ନୂଆଦିଲ୍ଲୀର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁରେନ୍ଦ୍ର ପ୍ରସାଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ର୍ରଦାନ କରିଥିଲେ। ୬ଷ୍ଠ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବା ବେଳେ ରାଜ୍ୟପାଳ ଏସ.ସି. ଜମିର, କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଥିବା ଦେଶର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନକୁ ରାଷ୍ଟ୍ରପତି ଆସୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ନ ଥିବା ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତିଙ୍କ ଯୋଗଦାନକୁ ନେଇ ଛାତ୍ରଛାତ୍ରୀଙ୍କଠାରୁ ପ୍ରଫେସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସମାରୋହରେ ପ୍ରାୟ ଦୁଇ ହଜାର ଲୋକଙ୍କ ସମାଗମ ହେବ। ସମସ୍ତ ବିଭାଗ ତଥା ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ତାହାକୁ ଦୃଷ୍ଟିରେ ରଖି ଆଇଆଇଟିର ମୁଖ୍ୟ ଖେଳ ପଡ଼ିଆରେ ଉତ୍ସବସ୍ଥଳ କରାଯାଇଛି। ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ସଭା ମଞ୍ଚ ଓ ଅସ୍ଥାୟୀ ପ୍ରେକ୍ଷାଳୟ ପ୍ରସ୍ତୁତ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଜଟଣୀ, ଭୁବନେଶ୍ୱର ଓ ଖୋର୍ଧାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଯୋଗଦାନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

କାହାକୁ ଦିଆଯିବନି ସମ୍ମାନସୂଚକ ଡକ୍ଟରେଟ୍‌
ଆଇଆଇଟିର ଷଷ୍ଠ ସମାବର୍ତନ ଉତ୍ସବରେ କୌଣସି ବ୍ୟକ୍ତିବିଶେଷଙ୍କୁ ସମ୍ମାନସୂଚନ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଆଇଆଇଟି ନିର୍ଦେଶକ ଆର.ଭି. ରାଜକୁମାରଙ୍କ କହିବାନୁଯାୟୀ ଗୋଟିଏ ବର୍ଷ ବ୍ୟବଧାନରେ ସମ୍ମାନସୂଚକ ଡକ୍ଟରେଟ୍‌ ଦିଆଯାଉଛି। ଏଥର ସେଭଳି କୌଣସି ପ୍ରସ୍ତାବ ଆସି ନ ଥିଲା। ତେଣୁ କାହାକୁ ସମ୍ମାନସୂଚକ ଡକ୍ଟରେଟ୍‌ ନ ଦେବାକୁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ବର୍ତମାନ ସୁଦ୍ଧା ୨୯୫ ଜଣ ଛାତ୍ରଛାତ୍ରୀ ଡିଗ୍ରି ପାଇବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏଥିରେ ୧୪ ଜଣଙ୍କ ପିଏଚ୍‌ଡି ଛାତ୍ରଛାତ୍ରୀ ରହିଥିବା ବେଳେ ୭୧ ଜଣ ଏମ୍‌.ଏସ୍‌ସି, ୬୦ ଜଣ ଏମ୍‌.ଟେକ୍‌ ଓ ୧୫୦ ଜଣ ବି.ଟେକ୍‌ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ଦିଆଯିବ।

ଏସ୍‌ଡିଆଇର ଭିତ୍ତିପ୍ରସ୍ତର ପଡ଼ିବ
ସମାବର୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସ୍‌ଡିଆଇ)ର ସ୍ଥାୟୀ କ୍ୟାମ୍ପସ୍‌ର ଭିତ୍ତିପ୍ରସ୍ତର ସ୍ଥାପିତ ହେବ। ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଷ୍ଠାନ ନିର୍ମାଣ କରାଯାଉଛି। ରାଜ୍ୟ ସରକାର ଏଥି ପାଇଁ ଜଟଣୀର ତରାବୋଇ ନିକଟରେ ଜାଗା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଏହି ପ୍ରତିଷ୍ଠାନର ଅସ୍ଥାୟୀ କ୍ୟାମ୍ପସ୍‌ ମଞ୍ଚେଶ୍ୱରରେ ଚାଲିଛି। ଏଥିସହ ମୁମ୍ବାଇସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜି(ଆଇସିଟି)ର ଓଡ଼ିଶା କ୍ୟାମ୍ପସ ମଧ୍ୟ ଉଦ୍‌ଘାଟନ ହେବ। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସହଯୋଗରେ ଏହି କ୍ୟାମ୍ପସ୍‌ ପ୍ରତିଷ୍ଠା କରାଯାଇଛି। ଏହାର କ୍ୟାମ୍ପସ୍‌ ସାମନ୍ତପୁରୀସ୍ଥିତ ଆଇଆଇଟିର ପୂର୍ବ କ୍ୟାମ୍ପସରେ ଚାଲିବ। ଉଭୟ କାର୍ଯ୍ୟକ୍ରମ ଭିଡିଓ ଲିଙ୍କ୍‌ ମାଧ୍ୟମରେ କରାଯିବ।

ସୁରକ୍ଷା ବ୍ୟବସ୍ଥାର ତନାଘନା

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବରିଷ୍ଠ ପୁଲିସ ଅଧିକାରୀମାନେ ଆଇଆଇଟି କ୍ୟାମ୍ପସ୍‌ରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏନେଇ ଆଜି ଆଇଆଇଟି ଅତିଥି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦେଶକ ସୁନିଲ ରଏ, ପୁଲିସ କମିସନର୍‌ ଯୋଗେଶ ବାହାଦୁର୍‌ ଖୁରାନିଆ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ଭୁବନେଶ୍ୱର ଜୋନ୍‌-୩ ଏସିପି ପ୍ରାଣକୃଷ୍ଣ ରାଉତ, ଏସିପି ରଜତ୍‌ ରାୟ, ଜଟଣୀ ଥାନାଧିକାରୀ ସଞ୍ଜୀବ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଆଇଆଇଟି ନିର୍ଦେଶକ ଆର.ଭି. ରାଜକୁମାର, କୁଳସଚିବ ଦେବରାଜ ରଥଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ସାମିଲ ହୋଇ ଆଲୋଚନା କରିଥିଲେ। ଏହା ସହ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଆଉ ୪ ଦିନ ବାକି ଥିବାରୁ ସୁରକ୍ଷା ନେଇ ଆଗାମୀ ଦିନରେ ଏକାଧିକ ବୈଠକ କରିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର