ଭୁବନଶ୍ବେର: ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଭୁବନେଶ୍ବର ଓ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ବରରେ ୫୦ ପ୍ଲାଟୁନ୍ ଫୋର୍ସ, ୩ ଏସ୍ଟିୟୁ, ଡଗ୍ ସ୍କାଡ୍, ବୋମା ନିଷ୍କ୍ରିୟକାରୀ ଟିମ୍ ନିୟୋଜିତ କରାଯାଇଛି। ୮ ଜଣ ଡିସିପି, ୧୧ଜଣ ଆଡିସନାଲ୍ ଡିସିପି, ୩୧ଜଣ ଏସିପି, ୪୪ ଜଣ ଇନ୍ସପେକ୍ଟର, ୧୮୦ଜଣ ଏସ୍ଆଇ/ ଏଏସ୍ଆଇ , ୨୭୭ ଜଣ ଏପିଆର୍, ୯୬ ଜଣ ମହିଳା କର୍ମଚାରୀ, ୧୮୦ ଜଣ ଟ୍ରାଫିକ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍ଏଫ୍, ଏନ୍ଏଚ୍ଏଆଇ, ଆର୍ ଆଣ୍ଡ ବି, ବିଏମ୍ସିର ଅଧିକାରୀ, ଟ୍ରାଫିକ୍ ଵିଙ୍ଗ୍, ସିକ୍ୟୁରିଟି ଵିଙ୍ଗ୍, ଇଣ୍ଟେଲିଜେନ୍ସ ଵିଙ୍ଗ୍ ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି।
ଅନ୍ୟପଟେ ୧୪ ତାରିଖ ଅପରାହ୍ଣ ୫ଟା ୧୦ ମିନିଟ୍ରୁ ୫ଟା ୫୦ମିନିଟ୍ ମଧ୍ୟରେ ବିମାନବନ୍ଦର ଛକରୁ ଏଜି ଛକ, ଏଜିରୁ ରାଜଭବନ ଛକ, ଜୟଦେବିହାର, ଖଣ୍ଡଗିରି ଓ ଏମ୍ସ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ସନ୍ଧ୍ୟା ସାଢ଼େ ୬ଟାରୁ ୭ଟା ୫ ପର୍ଯ୍ୟନ୍ତ ଏମ୍ସରୁ ଆଇଗିଣିଆ, ନ୍ୟୁ ପାର୍ଲହାଇଟ୍ କଟ୍ ଛକ ଦେଇ ରାଜଭବନ ରାସ୍ତାରେ କଟକଣା ଜାରି କରାଯାଇଛି। ସେହିପରି ୧୫ ତାରିଖ ସକାଳ ସାଢ଼େ୯ଟାରୁ ୧୧ଟା ୧୦ମିନିଟ୍ ମଧ୍ୟରେ ରାଜଭବନରୁ ଜୟଦେବିହାର ଛକ, ନୂଆପଲ୍ଲୀ ଅଣ୍ଡରପାସ୍, ଜାତୀୟରାଜପଥ-୧୬, ଲିଙ୍କରୋଡ୍, ରେଭେନ୍ସା ବିଶ୍ବବିଦ୍ୟାଳୟ ଯାଏ ରାସ୍ତାରେ କଟକଣା ରହିବ। ଦିନ ୧୧.୫୦ରୁ ୧୨ଟା ୫ ମିନିଟ୍ ମଧ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ରାସ୍ତା ଏବଂ ୧୨.୨୫ରୁ ୧୨.୫୦ ମିନିଟ୍ରେ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟରୁ ସର୍କିଟ୍ହାଉସ୍, ୩.୧୦ରୁ ୩ଟା ୩୦ ମିନିଟ୍ରେ ସର୍କିଟ୍ହାଉସ୍ରୁ ଆନନ୍ଦଭବନ ଛକ କାର୍ଯ୍ୟକ୍ରମସ୍ଥଳୀ, ୩ଟା୩୫ରୁ ୩ଟା ୫୫ରେ ସାରଳାଭବନରୁ ଇନ୍ଡୋର ଷ୍ଟାଡିୟମ୍, ୪ଟା ୫୦ରୁ ୬ଟା୧୦ ଇନ୍ଡୋର୍ ଷ୍ଟାଡିୟମ୍ରୁ ରାଜଭବନ ଛକ ହୋଇ ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ଭୁବନେଶ୍ବରକୁ ଆସୁଛନ୍ତି। ପ୍ରତିଷ୍ଠାନର ୫ମ ସମାବର୍ତ୍ତନ ସମାରୋହରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବେ। ଏନେଇ ଏମ୍ସ ଭୁବନେଶ୍ବରରେ ଛାତ୍ରଛାତ୍ରୀଙ୍କ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ଏମ୍ସକୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ସଦସ୍ୟ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ କହିଛନ୍ତି। ଏନେଇ ଏମ୍ସ ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟ ଗୌରବମୟ କଳା ସଂସ୍କୃତି, ଐତିହ୍ୟ ମାଧ୍ୟମରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯିବ। ସେହିପରି କୃତୀ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଡିଗ୍ରି ଓ ସ୍ବର୍ଣ୍ଣ ପଦକ ପ୍ରଦାନ କରିବେ। ଏମ୍ସ ଭୁବନେଶ୍ବରରେ ରାଷ୍ଟ୍ରପତି ମହୋଦୟା ପାଖାପାଖି ଏକ ଘଣ୍ଟା ରହିବା ନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ଡା. ବିଶ୍ବାସ ସୂଚନା ଦେଇଛନ୍ତି।