ପଗଡ଼ି ଚିହ୍ନାଇଲା ପୁରୁଣା ବନ୍ଧୁଙ୍କୁ, କୋଳେଇ ପକେଇଲେ, ଫଟୋ ଉଠାଇଲେ, ରାଷ୍ଟ୍ରପତି ଭବନକୁ ଯିବା ପାଇଁ ନିମନ୍ତ୍ରଣ କଲେ

ଭୁବନେଶ୍ବର : ୧୩ ବର୍ଷ ହେଲା କେହି କାହାକୁ ଭେଟି ନଥିଲେ। ପରସ୍ପର ସହ କଥା ବି ହୋଇ ନଥିଲେ। ଆଉ କେବେ ଦେଖା ହେବ କି ନ ହେବ, ସେନେଇ ଆଶା ଆଶଙ୍କାରେ ଦିନ କାଟୁଥିଲେ। ତେବେ ଭିଡ଼ ଭିତରେ ଧଳା ପଗଡ଼ିଟିଏ ଚିହ୍ନାଇଦେଲା ପୁରୁଣା ବନ୍ଧୁଙ୍କୁ। ଆଉ ଶେଷରେ ଯାହା ହେଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତଙ୍କ ମୁହଁରୁ ଭାସି ଆସିଥିଲା ଗୋଟିଏ କଥା ‘ବନ୍ଧୁ ହେବ ତ ଏମିତି…’।

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍‌ଯାପନୀ ଉତ୍ସବରେ ସାମ୍ନାକୁ ଆସିଥିଲା ଏକ ରୋଚକ ଦୃଶ୍ୟ। ଉତ୍ସବର ମୁଖ୍ୟ ଅତିଥି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଚରେ ଥିଲେ। ତଳେ ଥିଲେ ତାଙ୍କ ପୁରାତନ ବନ୍ଧୁ ତଥା ପୂର୍ବତନ ସାଂସଦ ବୀରଭଦ୍ର ସିଂ। ଉତ୍ସବ ଚାଲିଥିବା ବେଳେ ରାଷ୍ଟ୍ରପତି କୋବିନ୍ଦ ମଞ୍ଚ ତଳେ ଥିବା ୫ ହଜାର ଲୋକଙ୍କ ଭିତରେ ବନ୍ଧୁ ବୀରଭଦ୍ରଙ୍କ ପଗଡ଼ିକୁ ‌ଦେଖି ଚିହ୍ନି ପାରିଥିଲେ। ଆଉ ଉତ୍ସବ ଶେଷ ହେବା କ୍ଷଣି ରାଷ୍ଟ୍ରପତି ମଞ୍ଚ ଉପରୁ ବୀରଭଦ୍ରଙ୍କ ଆଡ଼କୁ ଚାହିଁଥିଲେ ଏବଂ ଭେଟିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ପ୍ରଥମେ ଜଣେ ସୁରକ୍ଷା କର୍ମୀଙ୍କୁ ଡାକି ତାଙ୍କ ବାବଦରେ କିଛି ପଚାରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି ବୀରଭଦ୍ର ବାବୁଙ୍କୁ ମଞ୍ଚ ନିକଟକୁ ଡାକିବାକୁ କହିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏନେଇ ‌ଘୋଷଣା କରିବା ପରେ ସୁରକ୍ଷା କର୍ମୀମାନେ ପୂର୍ବତନ ସାଂସଦଙ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ପାଛୋଟି ନେଇଥିଲେ। ଦୁଇ ବନ୍ଧୁ ପରସ୍ପରକୁ କୋଳେଇ ନେଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୫ ମିନିଟ୍‌ ଧରି ଆଲୋଚନା ହୋଇଥିଲା।

ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ପୂର୍ବତନ ସାଂସଦ ଶ୍ରୀ ସିଂ କହିଲେ, ୨୦୦୬ରେ ଶେଷଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲି। ହେଲେ ରାଷ୍ଟ୍ରପତି ହେବା ପରେ ପ୍ରଥମଥର ତାଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରି ବାଣୀବିହାର ଆସିଥିଲି। ଏଥିପାଇଁ ଆଲୁମିନି ଆସୋସିଏସନ୍‌ ଆବାହକ ବିଜୟ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲି। ତେବେ ପ୍ରୋଟୋକଲ୍‌ ଦୃଷ୍ଟିରୁ ଏହା ସମ୍ଭବ ନୁହେଁ ବୋଲି ସେ କହିଥିଲେ। ତେବେ ବିଧାତାର ଖେଳ ବଡ଼ ବିଚିତ୍ର। ଏତେ ଲୋକଙ୍କ ଭିତରେ ମୋ ପଗଡ଼ି ଦେଖି ସେ ମୋତେ ଚିହ୍ନି ପାରିଥିଲେ। ‌ଭେଟିବା ସମୟରେ ରାଷ୍ଟ୍ରପତି କହିଥିଲେ, ‘‘ପଗଡ଼ି ଦେଖି ଆପଣଙ୍କୁ ଚିହ୍ନି ପାରିଲି। ଆଉ ପଗଡ଼ି ପିନ୍ଧା ଲୋକ ଏଠାରେ କେହି ନାହାନ୍ତି। ସେଥିରୁ ମୁଁ ଜାଣିଲି ଆପଣ ସେଠାରେ ବସିଛନ୍ତି। ଆଉ କାହିଁକି ଦିଲ୍ଲୀ ଯାଉନାହାନ୍ତି? ମୁଁ ରାଷ୍ଟ୍ରପତି ହେବା ପରେ ମୋ ପାଖକୁ କାହିଁକି ଆସୁନାହାନ୍ତି? ମୁଁ ରାଷ୍ଟ୍ରପତି ହେବା ନେଇ ଆପଣ ଖୁସି ନାହାନ୍ତି କି? କେବେ ରାଷ୍ଟ୍ରପତି ଭବନକୁ ଆସନ୍ତୁ।’’ ଏମିତି ଆଲୋଚନା କରିଥିଲେ ଏବଂ ଫଟୋ ଉଠାଇଥିଲେ।

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରିଛନ୍ତି ବନ୍ଧୁ ବୀରଭଦ୍ର। କହିଛନ୍ତି, ସେ ଏକ ବଡ଼ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଯିବେ। ଓଡ଼ିଶାର ବହୁତ ଆଦିବାସୀ ଲୋକ ଆଣ୍ଡାମାନ ନିକୋବର ଓ ଆସାମ ପରି ରାଜ୍ୟରେ ଅଛନ୍ତି ଏବଂ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳୁନି। ସେମାନେ ଆମର ରକ୍ତ ସମ୍ପର୍କୀୟ ହେଲେ ମଧ୍ୟ ତାଙ୍କୁ ମାନ୍ୟତା ଦିଆଯାଇନି। କେବଳ ଓଡ଼ିଶା ନୁହେଁ, ବରଂ ପଶ୍ଚିମବଙ୍ଗର ଯେଉଁ ଅନୁସୂଚିତ ଜାତିର ଲୋକମାନେ ଆଣ୍ଡାମାନ ନିକୋବରରେ ରହିଛନ୍ତି, ସେମାନଙ୍କୁ ବି ଅନୁସୂଚିତ ଜାତି ଭାବେ ଗ୍ରହଣ କରାଯାଉ ନାହିଁ। ଆମେ ଦୁଇ ଜଣ ୨୦୦୦ରୁ ୨୦୦୬ ମସିହା ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ରହିବା ସମୟରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲୁ। ଏ ବିଷୟରେ ତାଙ୍କ ସହ ଆଲୋଚନା କରିବାକୁ ଯିବି।

ବୀରଭଦ୍ର ସିଂ ୧୯୬୫ରୁ ୧୯୬୭ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ। ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ବିଜେଡି ଟିକେଟ୍‌ରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। ଏହି ସମୟରେ ସେ ବନ୍ଧୁ ରାମନାଥ କୋବିନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ କମିଟିରେ ସଦସ୍ୟ ରହିଥିଲେ। ସେହି ସମୟରୁ ହଁ ଦୁହେଁ ଅନେକ ବିଷୟବସ୍ତୁ ଉପରେ ଆଲୋଚନା କରୁଥିଲେ। ୨୦୦୬ ପରେ ଆଉ ରାଜ୍ୟସଭା ଯାଇପାରିନଥିଲେ ବୀରଭଦ୍ର ସିଂ। ମାତ୍ର କୋବିନ୍ଦ ଦ୍ୱିତୀୟଥର ପାଇଁ ରାଜ୍ୟସଭା ଯାଇଥିଲେ। ତା’ପରଠାରୁ ରାମନାଥ କୋବିନ୍ଦଙ୍କ ସହ ଆଉ ଦେଖା ସାକ୍ଷାତ ହୋଇନଥିଲା।

ବରପୁତ୍ରଙ୍କୁ ମନେ ପକାଇଲେ
ଉତ୍ସବ ଅବସରରେ ରାଷ୍ଟ୍ରପତି ଓଡ଼ିଶାର ବରପୁତ୍ରମାନଙ୍କୁ ମନେ ପକାଇଥିଲେ। ଭାଷଣରେ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପଛରେ ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ହାତ ରହିଛି। ସେମାନଙ୍କ ମଧ୍ୟରେ ବାରିଷ୍ଟର ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରମୁଖ। ଏହି ଅବସରରେ ବିଜୁ ପଟ୍ଟନାୟକଙ୍କୁ ଆଧୁନିକ ଓଡ଼ିଶାର ବିନ୍ଧାଣୀ ଭାବେ ଅଭିହିତ କରିଥିଲେ। ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ୧୯୫୮ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୬୩ରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ଉଦ୍‌ଘାଟନ କରିଥିଲେ। ୨୦୧୩ରେ ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ ପ୍ରଣବ ମୁଖାର୍ଜୀ। ତାଙ୍କ ପରବର୍ତୀ ରାଷ୍ଟ୍ରପତି ଭାବେ ମୁଁ ଏଭଳି ଏକ ଉତ୍ସବରେ ଯୋଗଦେଇ ନିଜକୁ ଧନ୍ୟ ମନେ କରୁଛି।

ୱେଲକମ୍‌ ମାଡାମ୍‌…
ରାଷ୍ଟ୍ରପତି ଡ. କୋବିନ୍ଦଙ୍କ ସହଧର୍ମିଣୀ ତଥା ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ବି ଉତ୍ସବରେ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତିଙ୍କ ଡାହାଣ ପାର୍ଶ୍ବ ସିଟ୍‌ରେ ସେ ବସିଥିବା ଦେଖି ଉପସ୍ଥିତ ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହିତ ହୋଇଥିଲେ। ୱେଲକମ୍‌ ମାଡାମ୍‌… ମାଡାମ୍‌… କହି ଚିଲାଇଥିଲେ। ଶ୍ରୀମତୀ କୋବିନ୍ଦ ବି ଛାତ୍ରଛାତ୍ରୀଙ୍କୁ ଅନାଇ ହାତ ହଲାଇଥିଲେ।

ତାରକସୀ ଉପହାର
ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ପଟ୍ଟନାୟକ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାରେ କୁଳପତି ପ୍ରଫେସର ପଟ୍ଟନାୟକ ଅତିଥିମାନଙ୍କୁ ଉତ୍ତରୀୟ ସମେତ ତାରକସୀରେ ପ୍ରସ୍ତୁତ ଓଡ଼ିଶାର କଳାକୃତି ପ୍ରଦାନ କରିଥିଲେ। କଟକର ରେଭେନ୍ସା କଲେଜରୁ ଆରମ୍ଭ ହୋଇଥିବା ଏହି ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ କଟକ କାରିଗରଙ୍କ ତାରକସୀ କାମ ଅତିଥିମାନଙ୍କୁ ପ୍ରଦାନ କରାଯାଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର