ରାଜଧାନୀରେ ରାଷ୍ଟ୍ରପତି: କଟକଣା କଲା ନିରାଶ

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନକୁ ବାହୁଡ଼ି ଯାଇଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ ଘଟଣାବହୁଳ ଥିଲା। ସବୁଠି ଉତ୍ସବ ଓ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବା ଓ ଫଟୋ ଉଠାଇବା ଖୁସିରେ କିଏ ଗଦଗଦ ହୋଇଯାଇଥିଲା ତ ରାଷ୍ଟ୍ରପତି କାହାକୁ ନିଜ ପାଖକୁ ଡାକି ଗପିଥିଲେ। ସ୍କୁଲ ପିଲାଙ୍କ ସହ ନିଜ ସ୍କୁଲ ବେଳର ଜୀବନ ଓ ଅନୁଭୂତି ବାଣ୍ଟି ସେମାନଙ୍କୁ ପ୍ରେରଣା ଦେଇଥିଲେ। ସେହିପରି ପରିବର୍ତ୍ତିତ ସ୍କୁଲ ଓ ହଷ୍ଟେଲର ରୂପରେଖ ଭିତରୁ ରାଷ୍ଟ୍ରପତି ପଚାଶ ବର୍ଷ ତଳର ସ୍ମୃତିକୁ ସାଉଁଟିବାକୁ ଚେଷ୍ଟା କରିଥିଲେ।

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅନେକ ଚାହିଁ ରହିଥିଲେ। କିଏ ପୁସ୍ତକ ଧରି ଆସିଥିଲେ ତ ଆଉ କିଏ ଫଟୋ। ମାତ୍ର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲାଗି ହୋଇଥିବା କଟକଣା ଯୋଗୁଁ ସମସ୍ତେ ନିରାଶ ହୋଇ ଫେରିଥିଲେ। ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟର ଆଲୁମିନି ପ୍ରେମଲତା ମିଶ୍ର ରାଷ୍ଟ୍ରପତିଙ୍କୁ ଦେଖା କରି ଶ୍ରୀଜଗନ୍ନାଥ ଚାଳିସା ପୁସ୍ତକ ଦେବାକୁ ଆସିଥିଲେ। ମାତ୍ର ତାଙ୍କୁ ଭିତରକୁ ଅନୁମତି ଦିଆ ନଯିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ରାଷ୍ଟ୍ରପତିଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ।

ସେହିପରି ପଳାସୁଣି ଅଞ୍ଚଳର ରବୀନ୍ଦ୍ର ପାତ୍ର ଏବଂ ତାଙ୍କ ପୁଅ ଓ ପତ୍ନୀ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଜୟଦେବ ଭବନ ନିକଟରେ ପହଞ୍ଚିଥିଲେ। ପାରାଲିସିସ୍ ରୋଗର ଚିକିତ୍ସା ପାଇଁ ସାହାଯ୍ୟ କରିବା ଆଶାରେ ସେମାନେ ଅପେକ୍ଷା କରିଥିଲେ। ରାଷ୍ଟ୍ରପତି ଜୟଦେବ ଭବନରେ ପହଞ୍ଚିବା ପରେ ଉକ୍ତ ପରିବାର ଗେଟ୍ ପାଖରେ ଛିଡ଼ା ହୋଇ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଛାଡ଼ନ୍ତୁ ବୋଲି ସୁରକ୍ଷା କର୍ମୀଙ୍କୁ ନିବେଦନ କରିଥିଲେ। ମାତ୍ର ରାଷ୍ଟ୍ରପତିଙ୍କୁ ଭେଟି ନପାରି ମନ ଦୁଃଖରେ ଘରକୁ ଫେରିଥିଲେ। ତପୋବନ ଉଚ୍ଚ ବିଦ୍ୟାଳୟ ନିକଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଦେଖିବା ପାଇଁ ଶହଶହ ବୟସ୍କ, ମହିଳା, ଛାତ୍ରଛାତ୍ରୀ ସକାଳ ୮ଟାରୁ ଅପେକ୍ଷା କରିଥିଲେ। ହେଲେ କଟକଣା ପାଇଁ ସମ୍ଭବପର ହୋଇ ନ ଥିଲା। ଶ୍ରୀମତୀ ମୁର୍ମୁ ଗାଡ଼ି ଭିତରୁ ନମସ୍କାର କରି ସିଧା ବିଦ୍ୟାଳୟ ପରିସରକୁ ଚାଲି ଯାଇଥିଲେ। ୭୪ ବର୍ଷର ବୃଦ୍ଧା ପ୍ରତିମା ଦାସ କୁହନ୍ତି, ଆମ ରାଷ୍ଟ୍ରପତିଙ୍କ ପରି କେହି ହେବେନି। ତାଙ୍କୁ ବହୁତ ବର୍ଷ ତଳେ ସପ୍ଲାୟେ ଅଫିସ୍‌ରେ ଦେଖିଥିଲି। ତାଙ୍କୁ ଦେଖିବି ବୋଲି ଠାକୁର ପୂଜା ନକରି ‌ମୁଁ ଛୋଟେଇ ଛୋଟେଇ ଚାଲି ଆସିଥି‌ଲି। ଆମ ଓଡ଼ିଶା ଝିଅ ଆଉ ଥରେ ଓଡ଼ିଶା ଆସିଲେ ‌ମୁଁ ଦେଖା କରିବାକୁ ଆସିବି। ସେହିପରି ଆଶିଷ କୁମାର ମିଶ୍ର ରାଷ୍ଟ୍ରପତିଙ୍କ ପାଇଁ ଏକ ଫୁଲତୋଡ଼ା ଧରି ଆସିଥିଲେ ମଧ୍ୟ ଦେଖା ନକରି କାନ୍ଦି ପକାଇଥିଲେ।

ଫଟୋ ଫ୍ରେମ୍‌ ଦେଲେ ଶ୍ରେୟାଂଶ

ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ଦ୍ବିତୀୟ ଶ୍ରେଣୀ ଛାତ୍ର ଶ୍ରେୟାଂଶ ଶୁଭଙ୍କର ପାତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଫଟୋ ଫ୍ରେମ୍‌ ତିଆରି କରିଥିଲେ। ଜୟଦେବ ଭବନରୁ ରାଷ୍ଟ୍ରପତି ଫେରୁଥିବା ବେଳେ ଗାଡ଼ିରୁ ଓହ୍ଲାଇ ଆସି ତାଙ୍କଠାରୁ ଏହି ଫଟୋ ଫ୍ରେମ୍‌କୁ ଗ୍ରହଣ କରିଥିଲେ। ଏହାସହ ତାଙ୍କୁ ଚକୋଲେଟ ଦେଇ ଫଟୋ ଉଠାଇଥିଲେ।

ସମ୍ବନ୍ଧିତ ଖବର