ରାଜଧାନୀରେ ରାଷ୍ଟ୍ରପତି: ରାସ୍ତାରେ ଓହ୍ଲାଇଲେ, ପିଲାଙ୍କ ସହ ମିଶିଲେ

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନକୁ ବାହୁଡ଼ି ଯାଇଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ ଘଟଣାବହୁଳ ଥିଲା। ସବୁଠି ଉତ୍ସବ ଓ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବା ଓ ଫଟୋ ଉଠାଇବା ଖୁସିରେ କିଏ ଗଦଗଦ ହୋଇଯାଇଥିଲା ତ ରାଷ୍ଟ୍ରପତି କାହାକୁ ନିଜ ପାଖକୁ ଡାକି ଗପିଥିଲେ। ସ୍କୁଲ ପିଲାଙ୍କ ସହ ନିଜ ସ୍କୁଲ ବେଳର ଜୀବନ ଓ ଅନୁଭୂତି ବାଣ୍ଟି ସେମାନଙ୍କୁ ପ୍ରେରଣା ଦେଇଥିଲେ। ସେହିପରି ପରିବର୍ତ୍ତିତ ସ୍କୁଲ ଓ ହଷ୍ଟେଲର ରୂପରେଖ ଭିତରୁ ରାଷ୍ଟ୍ରପତି ପଚାଶ ବର୍ଷ ତଳର ସ୍ମୃତିକୁ ସାଉଁଟିବାକୁ ଚେଷ୍ଟା କରିଥିଲେ।

ଜୟଦେବ ଭବନରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରୁ ବାହାରିବା ପରେ ରାଷ୍ଟ୍ରପତିଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଅନେକ ଲୋକ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କିଏ ହାତରେ ଜାତୀୟ ପତାକା ଧରି ରହିଥିଲେ ତ ଆଉ କିଏ ରାଷ୍ଟ୍ରପତିଙ୍କ ପ୍ରତିଛବି କରି ରାଷ୍ଟ୍ରପତିଙ୍କୁ ଦେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ରାଷ୍ଟ୍ରପତି ସେମାନଙ୍କ ମନ କଥା ବୁଝିପାରି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ବାମପାର୍ଶ୍ୱରେ ଛିଡ଼ା ହୋଇଥିବା ଲୋକଙ୍କ ନିକଟକୁ ଯିବା ସହ ସ୍କୁଲ ଓ କଲେଜ ପିଲାଙ୍କ ସହ ମିଶିଥିଲେ। ଛାତ୍ରୀମାନଙ୍କଠାରୁ ରାଷ୍ଟ୍ରପତି ଫଟୋଚିତ୍ର ଗ୍ରହଣ କରିଥିଲେ। ପିଲାମାନଙ୍କ ସହ ଫଟୋ ଉଠାଇଥିଲେ ଏବଂ ଚକୋଲେଟ୍‌ ଦେଇଥିଲେ। ଉପସ୍ଥିତ ଲୋକମାନଙ୍କ ସହ ହାତ ମିଳାଇଥିଲେ।

ସିଲଭର୍ ଗାନ୍ଧୀଙ୍କଠାରୁ ପୁସ୍ତକ ନେଲେ ରାଷ୍ଟ୍ରପତି

ଜୟଦେବ ଭବନ ନିକଟରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ସିଲଭର୍ ଗାନ୍ଧୀ ତଥା ମୋହନ ମହାପାତ୍ର ପହଞ୍ଚିଥିଲେ। ସକାଳଠାରୁ ସେଠାରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିଲେ। କିନ୍ତୁ, କାଳେ ସେ ରାଷ୍ଟ୍ରପତିଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିବେ, ସେଥିପାଇଁ ୪ଜଣ ସୁରକ୍ଷା କର୍ମୀ ତାଙ୍କୁ ଜଗି ରହିଥିଲେ। ପରେ ରାଷ୍ଟ୍ରପତି ଜୟଦେବ ଭବନରୁ ବାହାରିବା ପରେ ମୋହନ ଏକ ପୁସ୍ତିକା ‘ସିଲଭର୍ ଗାନ୍ଧୀ’କୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

ଛାତ୍ରୀନିବାସ ଖଟରେ ବସିଲେ

ୟୁନିଟ୍‌-୨ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ବେଳେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସକୁ ଯାଇଥିଲେ। ସ୍କୁଲରେ ପାଠ ପଢ଼ୁଥିବା ବେଳେ (୧୯୭୦ରୁ ୧୯୭୪ ମସିହା) ଉକ୍ତ ଛାତ୍ରୀନିବାସର ଯେଉଁ କୋଠରିରେ ରହୁଥିଲେ, ତାହା ବୁଲି ଦେଖିଥିଲେ। ତୁଳସୀ ମୁଣ୍ଡା ବ୍ଲକର ୬ ନମ୍ବର ପ୍ରକୋଷ୍ଠରେ ଶୋଉଥିବା ଖଟ ଉପରେ ବସି ପୁରୁଣା ଦିନର ସ୍ମୃତି ମନେ ପକାଇଥିଲେ। ଏହାସହ ହଷ୍ଟେଲ ପରିସରରେ ବକୁଳ ଗଛ ଲଗାଇ ସେଥିରେ ପାଣି ଦେଇଥିଲେ। ଛାତ୍ରୀନିବାସ ଅନ୍ତେବାସୀଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଏହାପରେ ସ୍ବାଗତ ସଂଗୀତ ଗାନ କରୁଥିବା ୮ଜଣ ଛାତ୍ରୀ ଓ ହଷ୍ଟେଲ୍‌ ଅଧିକାରୀଙ୍କ ସହ ଫଟୋ ଉଠାଇଥିଲେ।

‘ଚୁନି’କୁ ଖୋଜିଲେ

ଷ୍ଟେଜ୍‌ ପାଖକୁ ଯିବା ସମୟରେ ତାଙ୍କ ବ୍ୟାଚ୍‌ର ସାଙ୍ଗମାନଙ୍କ ଉପରେ ରାଷ୍ଟ୍ରପତିଙ୍କ ନଜର ପଡ଼ିଥିଲା। ସେ ସେମାନଙ୍କ ପାଖକୁ ଯାଇ ଅନ୍ତରଙ୍ଗ ବନ୍ଧୁ ‘ଚୁନି’ଙ୍କୁ ଖୋଜିଥିଲେ। ଚୁନି ହେଉଛନ୍ତି ତାଙ୍କର ସ୍କୁଲ ସହପାଠିନୀ ଚିନ୍ମୟୀ ଗୋଚ୍ଛାୟତ। ତେବେ ବ୍ୟକ୍ତିଗତ କାରଣରୁ ସେ ବାହାରକୁ ଯାଇଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିଲେ। ତାଙ୍କ ଭଉଣୀ କୁନି ଅର୍ଥାତ୍‌ ତନ୍ମୟୀ ବିଶୋୟୀଙ୍କ କହିବା କଥା, ଚୁନି ଜାଣି ନଥି‌ଲେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ। ତେଣୁ ସେ ଆସି ପାରିନାହାନ୍ତି। ଏହି କାର୍ଯ୍ୟକ୍ରମରେ ୧୨ଜଣ ଆଲୁମିନିଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇଥିଲା। ବନ୍ଧୁଙ୍କୁ ଦେଖି ରାଷ୍ଟ୍ରପତି ମଧ୍ୟ ଖୁସି ହୋଇଯାଇଥିଲେ। ତାଙ୍କ ସାଙ୍ଗ ସ୍ବାତୀ ମହାନ୍ତି କହିଛନ୍ତି ଯେ ଆମେ ଉଭୟ ଏହି ବିଦ୍ୟାଳୟ ହଷ୍ଟେଲ୍‌ରେ ରହୁଥିଲୁ। ଆମେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ମୁଁ ଶ୍ରେଣୀର ମନିଟର୍‌ ଥିଲି। ଦ୍ରୌପଦୀ ଦୁଷ୍ଟ ହେଲେ ତାଙ୍କୁ ବେଞ୍ଚରେ ଛିଡ଼ା କରାଉଥିଲି।
ସେହିପରି ବିଦ୍ୟାଳୟର ଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଏକ ବାଲୁକା କଳାକୁ ‌ଦେଖି ରାଷ୍ଟ୍ରପତି ଖୁସି ହୋଇଯାଇଥିଲେ। ଏହି ବାଲୁକା କଳାକୁ ଦଶମ ଶ୍ରେଣୀ ଛାତ୍ରୀ ଶୁଭ୍ରଶୀ ପଢ଼ୁରିଆ, ଜ୍ୟୋତ୍ସ୍ନା ହେମ୍ବ୍ରମ୍‌, ପିଙ୍କି ମାଝି ସମେତ ୯ଜଣ ଛାତ୍ରୀ କରିଥିଲେ। ରାଷ୍ଟ୍ରପତି କ୍ୟାମ୍ପସରେ ପହଞ୍ଚିବା କ୍ଷଣି ଛାତ୍ରୀମାନେ ବ୍ୟାଣ୍ଡ୍‌ ଧ୍ବନିରେ ପରେଡ୍‌ କରି ପାଛୋଟି ନେଇଥିଲେ।

ଫଟୋରେ ସାଙ୍ଗଙ୍କୁ ଚିହ୍ନିଲେ

ୟୁନିଟ୍‌-୨ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ବେଳେ କୁନ୍ତଳାକୁମାରୀ ଛାତ୍ରୀନିବାସରେ ନିଜ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିଲେ। ଛାତ୍ରୀନିବାସର ପିଲାମାନେ ‘ସ୍ବାଗତମ୍‌ ସୁସ୍ବାଗତମ୍‌ ବରେଣ୍ୟ ଅତିଥି ସ୍ବାଗତମ୍‌, ମହାମହିମଙ୍କୁ ସ୍ବାଗତମ୍‌ ଛାତ୍ରନିବାସକୁ ସ୍ବାଗତମ୍‌’ ସଙ୍ଗୀତରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ବିଦ୍ୟାଳୟ ପକ୍ଷରୁ ସଂଗୃହୀତ ପଢ଼ିବା ସମୟର ଫଟୋକୁ ଦେଖି ରାଷ୍ଟ୍ରପତି ସାଙ୍ଗମାନଙ୍କୁ ମନେ ପକାଇଥିଲେ। ଯେଉଁ ଫଟୋରେ ସ୍କୁଲ ବେଳର ସାଙ୍ଗ ଡାଙ୍ଗି ମୁର୍ମୁ, ସୁମିତ୍ରା କିସ୍କୁ ଓ ନିଜେ ରହିଥିଲେ। ନିଜର ଏକ ବ୍ୟକ୍ତିଗତ ଫଟୋକୁ ମଧ୍ୟ ଦେଖିଥିଲେ। ଏଥିସହ ତାଙ୍କ ସମୟର ହଷ୍ଟେଲ ଆସିଷ୍ଟାଣ୍ଟ ସୁପରିନ୍‌ଟେଣ୍ଡେଣ୍ଟଙ୍କ ଫଟୋକୁ ଦେଖି ଭାବବିହ୍ବଳ ହୋଇଯାଇଥିଲେ ବୋଲି ଛାତ୍ରୀନିବାସର ଆସିଷ୍ଟାଣ୍ଟ ସୁପରିନ୍‌ଟେଣ୍ଡେଣ୍ଟ ସ୍ନେହଲତା ପୃଷ୍ଟି କହିଛନ୍ତି।

ପରିଦର୍ଶକ ରେଜିଷ୍ଟରରେ ଲେଖିଲେ…

ପିଲାଙ୍କ ପାଇଁ ଆଣିଥିଲେ ଚକୋଲେଟ

ତପୋବନ ବିଦ୍ୟାଳୟକୁ ପ୍ରବେଶ କରିବା ପରେ ତାଙ୍କ ପଛେ ପଛେ ‌ଜଣେ ଅଧିକାରୀ ଗାଡ଼ିରୁ ଏକ ଆଟାଚ୍‌ ନେଇ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ବାହାରେ ଉପସ୍ଥିତ ସମସ୍ତ ଦର୍ଶକ ଓ ଛାତ୍ରଛ‌ାତ୍ରୀ ଉତ୍କଣ୍ଠାର ସହ ଆଟାଚ୍‌ ଭିତରେ କ’ଣ ରହିଛି ଜାଣିବାକୁ ଚାହିଥିଲେ। ତେବେ ଆଟାଚ୍‌ ଭିତରେ ରାଷ୍ଟ୍ରପତି ପିଲାଙ୍କ ପାଇଁ ଡେରିମିଲ୍କ ଚକୋ‌ଲେଟ୍‌ ଆଣିଥିଲେ। ରାଷ୍ଟ୍ରପତିଙ୍କ ଆଗମନ ଲାଗି ବିଦ୍ୟାଳୟ ମୁଖ୍ୟ ଫାଟକଠାରୁ ଛାତ୍ରୀନିବାସ ପର୍ଯ୍ୟନ୍ତ ଫୁଲ‌ରେ ସଜେଇ ହୋଇଥିଲା। ବିଦ୍ୟାଳୟର ପ୍ରବେଶ ପଥର ଉଭୟ ପାର୍ଶ୍ବରେ ସୁନ୍ଦର ଝୋଟି ଚିତା‌ ପିଲାଙ୍କ ଦ୍ବାରା ଅଙ୍କା ଯାଇଥିଲା। ରାଷ୍ଟ୍ରପତି କ୍ୟାମ୍ପସକୁ ପ୍ରବେଶ କରିବା କ୍ଷଣି ଛାତ୍ରଛାତ୍ରୀ ସ୍କାଉଟ୍ ତାଳିରେ ସ୍ବାଗତ କରିଥିଲେ।

ନାମଲେଖା ରେଜିଷ୍ଟର୍‌ ନେଲେ

ଶ୍ରୀମତୀ ମୁର୍ମୁ ଗାଁ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ଶେଷ କରି ୟୁନିଟ୍‌-୨ ବାଳିକା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ। ଏହି ନାମ ଲେଖା ରେଜିଷ୍ଟର୍‌କୁ ବନ୍ଧେଇ କରି ତାଙ୍କୁ ପ୍ରଦାନ କରାଯାଇଛି। ସେଥିରେ ସେ ୧୯୭୦ ମସିହା ଜୁଲାଇ ୨୧ ତାରିଖରେ ଏହି ବିଦ୍ୟାଳୟରେ ନାମ ଲେଖାଇଥିବା କଥା ଉଲ୍ଲେଖ ଥିବା ବେଳେ ପିଲାବେଳର ନାଁ ଦ୍ରୌପଦୀ ଟୁଡ଼ୁ ଲେଖା ରହିଛି। ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ, ଜନ୍ମ ୧୯୫୮ ମସିହା ଜୁନ୍‌ ୨୦ତାରିଖ ଓ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଡ଼ା ବୋଲି ଉଲ୍ଲେଖ ରହିଛି। ଏଥିସହ ହଷ୍ଟେଲ ଆସିଷ୍ଟାଣ୍ଟ ୱାର୍ଡେନ୍‌ଙ୍କ ନାମ ଓ ଦସ୍ତଖତ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର