ରାଜଧାନୀରେ ରାଷ୍ଟ୍ରପତି: ସାଉଁଟିଲେ ସ୍କୁଲ୍ ସ୍ମୃତି
ତପୋବନ ହାଇସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଲେ
ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନକୁ ବାହୁଡ଼ି ଯାଇଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ ଘଟଣାବହୁଳ ଥିଲା। ସବୁଠି ଉତ୍ସବ ଓ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବା ଓ ଫଟୋ ଉଠାଇବା ଖୁସିରେ କିଏ ଗଦଗଦ ହୋଇଯାଇଥିଲା ତ ରାଷ୍ଟ୍ରପତି କାହାକୁ ନିଜ ପାଖକୁ ଡାକି ଗପିଥିଲେ। ସ୍କୁଲ ପିଲାଙ୍କ ସହ ନିଜ ସ୍କୁଲ ବେଳର ଜୀବନ ଓ ଅନୁଭୂତି ବାଣ୍ଟି ସେମାନଙ୍କୁ ପ୍ରେରଣା ଦେଇଥିଲେ। ସେହିପରି ପରିବର୍ତ୍ତିତ ସ୍କୁଲ ଓ ହଷ୍ଟେଲର ରୂପରେଖ ଭିତରୁ ରାଷ୍ଟ୍ରପତି ପଚାଶ ବର୍ଷ ତଳର ସ୍ମୃତିକୁ ସାଉଁଟିବାକୁ ଚେଷ୍ଟା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତପୋବନ ଉଚ୍ଚ ବିଦ୍ୟାଳୟରେ ୯ଜଣ ଛାତ୍ରଛାତ୍ରୀ, ୯ଜଣ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି କଥା ହୋଇଥିଲେ। ୮ମ ଶ୍ରେଣୀ ଛାତ୍ରୀ ଇତିଶ୍ରୀ ତିଉ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କରିଥିଲେ, ଆପଣ ଅତୀତରେ କିଛି ସମୟ ପାଇଁ ଶିକ୍ଷୟିତ୍ରୀ ଥିଲେ। ଆଜି ପୁଣି ଏହି ଶ୍ରେଣୀଗୃହରେ ଆସି ଆପଣଙ୍କୁ କେମିତି ଲାଗୁଛି?
ଇତିଶ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ରପତି କହିଥିଲେ, ମୋର ପୁରୁଣା କଥା ମନେ ପଡ଼ୁଛି। ପୁଣି ବିଦ୍ୟାଳୟ ପରିସରକୁ ଫେରିଥିବାରୁ ଖୁସି ଲାଗୁଛି। ତୁମେମାନେ ଭଲ ପଢ଼। ମୋ ଆଶୀର୍ବାଦ ସବୁବେଳେ ଅଛି। ଏଠାରେ ଉପସ୍ଥିତ ବିଦ୍ୟାଳୟର ଆଲୁମିନିମାନଙ୍କୁ ଦେଖି ଆହୁରି ବେଶି ଖୁସି ଲାଗୁଛି। ଏଠାରୁ ପାଠ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ଆଜି ଡାକ୍ତରୀ ପାଠ ପଢ଼ୁଛନ୍ତି, କିଏ ଇଞ୍ଜିନିୟର୍ ହୋଇଛନ୍ତି ତ ଆଉ କିଏ ଡେପୁଟି ଡାଇରେକ୍ଟର୍। ମୋର କେହି ରୋଲ୍-ମଡେଲ ନଥିଲେ। ମୋ ଜେଜେ ମା’ ମୋ ଆଦର୍ଶ ଥିଲେ। ମୋ ଗାଁରେ ଜେଜେ ମା’ ବହୁତ ସାହସୀ ଓ ପରୋପକାରୀ ଥିଲେ। ତାଙ୍କର ବହୁ ନାଁ ଥିଲା। କାହାର ଜ୍ବର ହେଲେ, କାହାର ଅଶୁଭ ହେଲେ, କିଏ ମା’ ହେବାକୁ ଯାଉଥିଲେ; ଜେଜେ ମା’ ସେମାନଙ୍କ ପାଖରେ ଛିଡ଼ା ହେଉଥିଲେ। ସେତେବେଳେ ଦେଶବିଦେଶ ବିଷୟରେ ଜାଣିବାର ସୁଯୋଗ ନଥିଲା।
ମୋ ଜେଜେମା’ ମୋ ଆଦର୍ଶ: ଦ୍ରୌପଦୀ
ୟୁନିଟ୍-୨ ସ୍କୁଲ୍ରେ ସହପାଠିନୀଙ୍କ ସହ ଖୁସି ବାଣ୍ଟିଲେ
ଦଶମ ଶ୍ରେଣୀ ଛାତ୍ର କାଳିନ୍ଦୀ ହାଁସଦା ପ୍ରଶ୍ନ କରିଥିଲେ, ପ୍ରତିକୂଳ ପରିସ୍ଥିତିରେ ଆତ୍ମବିଶ୍ବାସ ବଜାୟ ରଖି କିଭଳି ଆଗକୁ ବଢ଼ିହେବ? ଆପଣଙ୍କ ଜୀବନର ଅନୁଭୂତି କହିବେ କି? ରାଷ୍ଟ୍ରପତି କହିଥିଲେ ଯେ ଚାକିରି କରୁଥିବା ବେଳେ ଏ ବିଦ୍ୟାଳୟକୁ ଆସୁଥିଲେ। କଲେଜରେ ପଢ଼ିବା ସମୟରେ ମଧ୍ୟ ବନ୍ଧୁ ବାନ୍ଧବମାନଙ୍କ ନାମ ଲେଖାଇବା ପାଇଁ ଏହି ବିଦ୍ୟାଳୟକୁ ଆସିଛନ୍ତି। ସେତେବେଳେ ଆଜିକାର ପରିବେଶ ନଥିଲା। ଏହି ଅବସରରେ ରାଷ୍ଟ୍ରପତି ନିଜ ଗାଁ କଥା ମନେ ପକାଇ କହିଲେ, ମୋ ଗାଁ ବିଦ୍ୟାଳୟରେ ମାଟି ଓ ଛପର ଘର ଥିଲା। ତଳେ ସିମେଣ୍ଟ ସବୁ କିଛି କିଛି ସ୍ଥାନରେ ଉଠି ଯାଉଥିଲା। ଆମେ ପ୍ରତି ସପ୍ତାହରେ ସେଥିରେ ଗୋବର ଦେଉଥିଲୁ। ପ୍ରତିଦିନ ଝାଡ଼ୁ କରୁଥିଲୁ। ଆଜି ସେ ସମୟ ନାହିଁ, ତୁମେ ସମସ୍ତେ ଭାଗ୍ୟବାନ। ତୁମକୁ ଆଉ ସେଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁନାହିଁ। ଆମ ଶିକ୍ଷା ଗ୍ରହଣ କରିବାର ପରିବେଶ ଅନୁକୂଳ ହେବା ଆବଶ୍ୟକ। ଯେଉଁ ଗାଁରୁ ଆସିଛୁ ତାକୁ ଗୌରବାନ୍ବିତ କରିବା ଆମ ଲକ୍ଷ୍ୟ ହେଉ।