ଆଇଆଇଟିରେ ରାଷ୍ଟ୍ରପତି : ୨୦୧୯ ମାର୍ଚ୍ଚ ସୁଦ୍ଧା ପୂର୍ଣ୍ଣାଙ୍ଗ କ୍ୟାମ୍ପସ

ଅପରାହ୍ଣ ୩ଟା ୨୦ରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କ୍ୟାମ୍ପସରେ ପାଦ ଥାପିବା କ୍ଷଣି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ମଞ୍ଚକୁ ଉଠିବା ପରେ ପ୍ରଫେସର, ଅଧ୍ୟାପକ, ଛାତ୍ରଛାତ୍ରୀ ନିଜ ନିଜ ସିଟ୍‌ ନିକଟରେ ଛିଡ଼ା ହୋଇ ଦେଶର ପ୍ରଥମ ନାଗରିକଙ୍କୁ ଆଇଆଇଟି କ୍ୟାମ୍ପସ୍‌ରେ ସ୍ୱାଗତ କରିଥିଲେ। ପ୍ରାୟ ଏକ ଘଣ୍ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମାବର୍ତନ ଉତ୍ସବକୁ ସଫଳ କରିଥିଲେ।

ଭୁବନେଶ୍ୱର/ଜଟଣୀ : ଆଇଆଇଟି ବିକାଶ ପଥରେ ଅଗ୍ରସର ହୋଇଛି। ବିଭିନ୍ନ ସମସ୍ୟାର ସମାଧାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭିତ୍ତିଭୂମିର ବିକାଶ ହୋଇସାରିଛି। ୨୦୧୫-୧୬ରେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏନ୍‌ଆଇଆରଏଫ୍‌ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନେ ର‍୍ୟାଙ୍କରେ ଆଇଆଇଟି ୨୬ତମ ସ୍ଥାନରେ ରହିଥିଲା। ୨୦୧୬-୧୭ରେ ତାହା ବୃଦ୍ଧି ଘଟି ୧୮ତମ ସ୍ଥାନରେ ପହଞ୍ଚିଛି। ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା ଓ ବିଶ୍ୱାସ ରହିଛି।

ଆଇଆଇଟିର ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ୮୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସମ୍ପୂର୍ଣ୍ଣ କ୍ୟାମ୍ପସ କାର୍ଯ୍ୟକ୍ଷମ ହେବା ଦ୍ୱାରା ୨୫୦୦ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ। ୨୦୧୭ ମେ’ ମାସରୁ ୪୦୦ ଶଯ୍ୟା ବିଶିଷ୍ଟ ଦୁଇଟି ହଷ୍ଟେଲ୍‌ର କାମ ଜାରି ରହିଛି। ୨୦୧୯ ମାର୍ଚ୍ଚ ସୁଦ୍ଧା କ୍ୟାମ୍ପସ ପୂର୍ଣ୍ଣାଙ୍ଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ସବୁଜ କ୍ୟାମ୍ପସ ପ୍ରତିଷ୍ଠା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୫୦ ହଜାରରୁ ଅଧିକ ବୃକ୍ଷ ରୋପଣ ହୋଇଛି। ଦେଶ ବିଦେଶର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ସହ ରାଜିନାମା ସ୍ୱାକ୍ଷରିତ ହୋଇଛି। ୩୪୯ଟି ଗବେଷଣା ସନ୍ଦର୍ଭ ପ୍ରକାଶ କରାଯାଇଛି। ୨୨୭ଟି ରିସର୍ଚ୍ଚ ପେପର ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।

ଆଇଆଇଟିରେ ବିଦେଶୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ଆମେରିକା, କାନାଡ଼ା, ସ୍ଲୋଭାକିଆରରୁ ୪ ଜଣ ପ୍ରଫେସର ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ବିଦେଶୀ ସଂସ୍ଥାମାନଙ୍କ ସହ ମିଶି ଏକାଧିକ ଗବେଷଣା କାର୍ଯ୍ୟ ଜାରି ରହିଛି। ବାହାର ଦେଶର ପ୍ର୍ରଫେସରମାନେ ମଧ୍ୟ ଏଠାକୁ ଆସି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି।

୧୨ ଛାତ୍ରଛାତ୍ରୀଙ୍କୁ ରୌପ୍ୟ ପଦକ

ଉତ୍ସବ ଅବସରରେ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି, ୬୦ ଜଣଙ୍କୁ ଏମ୍‌.ଟେକ୍‌, ୭୧ ଜଣଙ୍କୁ ଏମ୍‌.ଏସ୍‌ସି ଓ ୧୫୦ ଜଣ ବି.ଟେକ୍‌ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ବି.ଟେକ୍‌ ପାଠ୍ୟକ୍ରମରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର କମଲ ନାରାୟଣ ରେଡ୍ଡୀ ଚାଲ୍ଲା, ବିଶ୍ୱାସ ଚନ୍ଦ୍ର ଖାନ, ଯୋଗେନ୍ଦ୍ର ସିଂ ପଟେଲ୍‌ ଓ ଛାତ୍ରୀ ହର୍ଲିନ ହଂସପାଲ୍‌ଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ସେହିପରି ଏମ୍‌.ଟେକ୍‌ରେ ଛାତ୍ର ଋଷବ ଗୋଏଲ୍‌, ଏମ୍‌. ନରେଶ, ସୂର୍ଯ୍ୟକାନ୍ତ କୁମାର, ଛାତ୍ରୀ ନିକିତା ତ୍ରିବେଦୀ ଓ ଏମ୍‌.ଏସ୍‌ସିରେ ପାର୍ଥସାରଥୀ ଜେନା, ପିୟୁଷ ଚକ୍ରବର୍ତ୍ତୀ, ପ୍ରିୟଙ୍କା ମିଶ୍ର, ସ୍ମିତା ଚକ୍ରବର୍ତୀଙ୍କୁ ଶିକ୍ଷାନୁଷ୍ଠାନ ରୌପ୍ୟ ପଦକ ଗ୍ରହଣ କରିଥିଲେ।

ସଂସ୍କୃତରେ ଶପଥ ପାଠ

ସମାବର୍ତନ ଉତ୍ସବ ଅବସରରେ ଡିଗି୍ରି ହାସଲ କରିଥିବା ଛାତ୍ରଛାତ୍ରୀ ସଂସ୍କୃତ ଭାଷାରେ ଶପଥ ପାଠ କରିଥିଲେ। ଆଇଆଇଟିରୁ ଯେଉଁ ଶିକ୍ଷା ଗ୍ରହଣ କରିଛନ୍ତି ତାହା ମାଧ୍ୟମରେ ଦେଶ, ଜାତି ତଥା ସମାଜର ବିକାଶ ଲାଗି କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ। ଦୁଇ ଜଣ ଛାତ୍ର ସଂସ୍କୃତ ଭାଷାରେ ଆବୃତି କରିଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ତାହାକୁ ନକଲ କରି ଶପଥ ପାଠ କରିଥିଲେ। ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରି କହିଲେ ରାଷ୍ଟ୍ରପତି ଭାବେ ୧୫୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଶିକ୍ଷାନୁଷ୍ଠାନ ଗସ୍ତ କରିଛି। ଉକ୍ତ ଅନୁଷ୍ଠାନ ସମେତ ଆଇଆଇଟି ପରି ଜାତୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମୁଖ୍ୟତଃ ଇଂରାଜୀରେ ଶପଥ ପାଠ କରିଥାନ୍ତି ନ ହେଲେ ହିନ୍ଦୀରେ ଶପଥ ନେଇଥାନ୍ତି। ପ୍ରଥମ ଥର ଲାଗି ଏଠାରେ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ଏଥିପାଇଁ ଆଇଆଇଟି ଭୁବନେଶ୍ୱରକୁ ଶୁଭେଚ୍ଛା।

ରାସ୍ତା ଉପରୁ ରାଷ୍ଟ୍ରପତିଙ୍କ ଦର୍ଶନ

ରାଷ୍ଟ୍ରପତିଙ୍କୁ ଦେଖିବା ଲାଗି ସାଧାରଣ ଲୋକଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଥିଲା। ଅରଗୁଳ ନିକଟବର୍ତୀ ଅଞ୍ଚଳର ଗ୍ରାମବାସୀମାନେ ରାସ୍ତା ଉପରେ ଛିଡ଼ା ହୋଇ ରାଷ୍ଟ୍ରପତିଙ୍କ କାରକେଡ୍‌କୁ ଚାତକ ପରି ଚାହିଁ ରହିଥିଲେ। କାର୍ଯ୍ୟକ୍ରମ ସରିବା କ୍ଷଣି ରାଷ୍ଟ୍ରପତି କ୍ୟାମ୍ପସ ବାହାରକୁ ଆସିଥିଲେ। ଏହି ସମୟରେ କ୍ୟାମ୍ପସ ଭିତରେ ଦେଇ ଯାଇଥିବା ଓଭରବ୍ରିଜ୍‌ ଉପରେ ଛିଡ଼ା ହୋଇ ଲୋକେ ହାତ ହଲାଇଥିଲେ। ରାଷ୍ଟ୍ରପତି ମଧ୍ୟ ଲୋକଙ୍କ ମନ କଥା ବୁଝି କାର୍‌ ଭିତରେ ଥାଇ ଲୋକଙ୍କ ଆଡ଼କୁ ଅନେଇ ହାତ ହଲାଇଥିଲେ।

ରାଜଭବନରେ ରାଷ୍ଟ୍ରପତିଙ୍କ ସାକ୍ଷାତ

ଭୁବନେଶ୍ୱର : ରାଷ୍ଟ୍ରପତି ରାମାନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ ସଙ୍ଗଠନ, ବ୍ୟକ୍ତିବିଶେଷ ଆଜି ତାଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ମଧ୍ୟାହ୍ନରେ ରାଜ୍ୟ ବିଜେପିର ଏକ ୩୦ ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ସାକ୍ଷାତକରି ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ସେହିପରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପୁଅ ମହାପ୍ରସାଦ କରଙ୍କ ପରିବାର, ଶ୍ରୀ ପାର୍ଥସାରଥୀ ମିଶ୍ରଙ୍କ ପରିବାର, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ସାହୁ, ଶ୍ରୀ କମଲ ଏଚ୍‌ ଫିରଡୋସ୍‌, ମୃତ୍ୟୁଞ୍ଜୟ ସୁଆର ଏବଂ ସ୍ୱଚ୍ଛ ଭାରତ ବାର୍ତ୍ତା ବାଣ୍ଟୁଥିବା ଶ୍ରୀରାମ ଗାନ୍ଧୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ଅଲଗା ଅଲଗା ସାକ୍ଷାତ କରିଥିଲେ। ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରେ ଆଜି ମଧ୍ୟାହ୍ନଭୋଜନ କରିଥିଲେ।

ଫେରିଲେ ରାଷ୍ଟ୍ରପତି

ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ଣରେ ଆଇଆଇଟି ସମାବର୍ତନ ଉତ୍ସବରେ ଯୋଗଦେବା ପରେ ସିଧାସଳଖ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାଇଥିଲେ। ସେଠାରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ୍‌’ରେ ଫେରିଯାଇଥିଲେ। ବିମାନବନ୍ଦରରେ ରାଜ୍ୟପାଳ ଏସ୍‌.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦେଶକ ଆର.ପି. ଶର୍ମା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ବିଦାୟ ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କ ସହ ନୂଆଦିଲ୍ଲୀ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର