ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୦ ମିନିଟ୍‌ ପୂର୍ବରୁ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ଉଦ୍‌ଯାପନୀ ଉତ୍ସବ ପାଇଁ ମଧ୍ୟାହ୍ନ ୧୨ଟା ୪୦ ସମୟ ଧାର୍ଯ୍ୟ ହୋଇଥିଲା। ସେହି ଅନୁଯାୟୀ ସମସ୍ତ ଅତିଥିମାନଙ୍କୁ ନିମନ୍ତ୍ରଣପତ୍ର ପଠା ଯାଇଥିଲା। ତେବେ ନିର୍ଦ୍ଧାରିତ ସମୟର ୪୦ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ମଧ୍ୟାହ୍ନ ଠିକ୍‌ ୧୨ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ସବସ୍ଥଳ‌ରେ ପହଞ୍ଚି ଯାଇଥିଲେ। ୧୪ ମିନିଟ୍‌ ଧରି ସମସ୍ତ ଅତିଥି ଗ୍ରିନ୍‌ ରୁମ୍‌ରେ ରହିବା ପରେ ମଞ୍ଚକୁ ପ୍ରବେଶ କରିଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ଆସିବା ପରେ ପରବର୍ତୀ ସମୟରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରମୁଖ ଆସିଥିଲେ। ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀ ମଞ୍ଚର ଅନ୍ୟ ପାର୍ଶ୍ବ ଦେଇ ମଞ୍ଚକୁ ଚଢ଼ିଥିଲେ।

ବଦଳିବନି ‘ରୁସା ଭବନ’ ନାଁ
‘ରୁସା ଭବନ’ର ନାମ ପରିବର୍ତନ ହେବ ନାହିଁ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ‘ରୁସା’ର ବି‌ଶ୍ଲେଷଣ କରି କୁଳପତି ପ୍ରଫେସର୍‌ ପଟ୍ଟନାୟକ କହିଛନ୍ତି ଯେ ‘ରୁସା’ର ଅର୍ଥ ହେଉଛି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ। ଅଭିଯାନ ହେଉଛି ଗୋଟିଏ କ୍ୟାମ୍ପେନ ବା ଆନ୍ଦୋଳନ। ସେଇଟା କୌଣସି ବ୍ୟକ୍ତି ନାଁରେ ହୋଇନି। ଉଚ୍ଚଶିକ୍ଷାର ଭବିଷ୍ୟତ ଯାତ୍ରାର ପ୍ରତୀକ ହେଉଛି ‘ରୁସା ଭବନ’। ଏହା ବ୍ୟକ୍ତିକୈନ୍ଦ୍ରିକ ନୁହେଁ, ବରଂ ଗୁଣକୈନ୍ଦ୍ରିକ। ତେଣୁ ଏହାର ନାମ ପରିବର୍ତନ ହେବନି। ଏହି ବିଲଡିଂ ୬ ମହଲା ବିଶିଷ୍ଟ ହେବ। ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିଶ୍ବବିଦ୍ୟାଳୟର ପ୍ରମୁଖ କାର୍ଯ୍ୟାଳୟ ଓ ପ୍ରମୁଖ ଗବେଷଣା ବିଭାଗଗୁଡ଼ିକ ଏଠାରେ ରହିବ। ଏହା କ୍ୟାମ୍ପସର ଆଇକନିକ୍‌ ବିଲଡିଂ ହେବ। ମୁଖ୍ୟ ରାସ୍ତାକୁ ଦିଶିବ। ଗ୍ରିନ୍‌ ବିଲଡିଂ ହେବ। ଏହି ବିଲଡିଂରୁ ଏମ୍‌କେସିଜି ପ୍ରେକ୍ଷାଳୟ ଓ ସମାବର୍ତନ ଉତ୍ସବସ୍ଥଳକୁ ରାସ୍ତା ରହିବ। ବିଭିନ୍ନ ଉତ୍ସବକୁ ଆସୁଥିବା ଅତିଥିମାନେ ସିଧାସଳଖ ମୁଖ୍ୟ ବିଲଡିଂରୁ ଉତ୍ସବ ସ୍ଥଳକୁ ଯାଇପାରିବେ।

ଧର୍ମେନ୍ଦ୍ର କହିଲେ ନବୀନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
ମଞ୍ଚରେ ଭାଷଣ ଦେବାକୁ ଆସିବା ସମୟରେ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ସମସ୍ତ ଅତିଥିମାନଙ୍କୁ ନାମ ଧରି ସ୍ବାଗତ କରିଥିଲେ। ଏହି ସମୟରେ କହିଥିଲେ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ପଟେ ବିଜେଡି ଓ ବିଜେପି ସମ୍ପର୍କକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ସମ୍ବୋଧନ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି।

ବିଶିଷ୍ଟ ବ୍ୟକ୍ତିବିଶେଷ
ମଞ୍ଚ ତଳେ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ଯଥା ରାଜନେତା, ପ୍ରଶାସକମାନେ ଉପସ୍ଥିତ ଥିଲେ। ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂ, ପ୍ରଫୁଲ୍ଲ ଘଡ଼େଇ, ବିଧାୟକ ଅମର ଶତପଥୀ, ବିଷ୍ଣୁଚରଣ ସେଠୀ,ସୁଶାନ୍ତ କୁମାର ରାଉତ, ପୂର୍ବତନ ପ୍ରଶାସକ ବିଜୟ କୁମାର ପଟ୍ଟନାୟକଙ୍କ ସମେତ ପୂର୍ବତନ ସାଂସଦ, ବିଧାୟକ, ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ସୁରକ୍ଷା ପାଇଁ ୧୪ ମିନିଟ୍‌
ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଶେଷ ମୁହୂର୍ତ୍ତରେ ବ୍ୟାପକ ପରିବର୍ତନ କରାଯାଇଥିଲା। କେବଳ ରାଷ୍ଟ୍ରପତିଙ୍କ ଭାଷଣ ଦେବା ପାଇଁ ମଞ୍ଚର ବାମ ପର୍ଶ୍ବରେ ଏକ ଡାଏସ୍‌ ହୋଇଥିଲା। ଛିଡ଼ା ହେବା ପାଇଁ ଏକ ପଟା ବି ପଡ଼ିଥିଲା। ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀମା‌ନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସେଗୁଡ଼ିକୁ ଉଠାଇ ନେବାକୁ ଆୟୋଜକଙ୍କୁ କହିଥିଲେ। କେବଳ ସେତିକି ନୁହେଁ, ମଞ୍ଚରେ ପଡ଼ିଥିବା ୭ଟି ଚେୟାର ଉପରେ ଧଳା ଟାୱେଲ୍‌ ପକା ଯାଇଥିଲା। ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀମାନେ ସେଗୁଡ଼ିକୁ ଉଠାଇ ନେଇଥି‌ଲେ। ମାଇକ୍‌ରେ କିଛି ପରିବର୍ତନ କରିବାକୁ ବି କହିଥିଲେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଏମିତି ୧୪ ମିନିଟ୍‌ ବିଳମ୍ବ ହୋଇଥିଲା।

ସଂସ୍କୃତି ସଚିବ ଓ ଅତିରିକ୍ତ ପୁଲିସ୍‌ କମିସନର ମୁହାଁମୁହିଁ
ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା ଉତ୍ସବ। ତେବେ ନିମନ୍ତ୍ରିତ ଅତିଥିମାନେ ଅପରାହ୍‌ଣ ୧ଟା ଯାଏ ଆସୁଥିଲେ। ମଧ୍ୟାହ୍ନ ୧୨ଟା ୧୪ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ମନୋରଞ୍ଜନ ପାଣିଗ୍ରାହୀ ପହଞ୍ଚିଥିଲେ। ହେଲେ ଉପସ୍ଥିତ ଥିବା ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂ ତାଙ୍କୁ ଭିତରକୁ ଛାଡ଼ି ନଥିଲେ। ଏହାକୁ ନେଇ ଦୁଇଜଣ ଯାକ ମୁହାଁମୁହିଁ ହୋଇଥିଲେ। ପ୍ରାୟ ତିନି ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା। ଶେଷ‌ରେ ଆଉ କିଛି ପୁରାତନ ଛାତ୍ର ଓ ପୁଲିସ ଅଧିକାରୀ ଘଟଣାରେ ହସ୍ତ‌କ୍ଷେପ କରିବା ସହ ବୁଝାସୁଝା‌ କରିଥିଲେ। କିନ୍ତୁ ଶ୍ରୀ ସିଂ ନଛୋଡ଼ ବନ୍ଧା ଥିଲେ। ଭିଆଇପି ଓ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗେଟ୍‌ରେ ଶ୍ରୀ ପାଣିଗ୍ରାହୀଙ୍କୁ ଛାଡ଼ି ନଥିଲେ। ଫଳରେ ସଚିବ ଶ୍ରୀ ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କ ପ୍ରବେଶପଥରେ ଆସିଥିଲେ ଏବଂ ପଛରେ ବସିଥିଲେ। ଏହାଦେଖି ଅନ୍ୟ ପୁରାତନ ଛାତ୍ରଛାତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ମଞ୍ଚ ସମ୍ମୁଖ ସିଟ୍‌କୁ ପାଛୋଟି ନେଇଥିଲେ। ଏନେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ସେମିତି କିଛି ନାହିଁ। ମୁଁ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର। ଏମିତି ହୁଏ।

ସମ୍ବନ୍ଧିତ ଖବର