ରାଷ୍ଟ୍ରପତି ପଢ଼ିଥିବା ସ୍କୁଲ ଏବେ ଅନ୍ଧାର

ଭୁବନେଶ୍ବର: ବିଲ୍‌ ପୈଠ ନକରିବାରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ଅନ୍ଧାରରେ ପଢ଼ୁଛନ୍ତି କୁନି କୁନି ପିଲା। ସନ୍ଧ୍ୟା ହେଲେ କ୍ୟାମ୍ପସ ଅନ୍ଧାର। ଶୌଚାଳୟକୁ ପାଣି ସଂଯୋଗ ହୋଇପାରୁନାହିଁ। ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ କ୍ୟାମ୍ପସରେ ଖୋଲିଥିବା ଆଧାର କେନ୍ଦ୍ରରେ ସେବା ଯୋଗାଣ ମଧ୍ୟ ପ୍ରଭାବିତ ହେଉଛି। ଆଧାର ସମସ୍ୟାର ସମାଧାନ ଲାଗି ପ୍ରତିଦିନ ଶହଶହ ‌ଲୋକ ଆସି ନିରାଶ ହୋଇ ଫେରୁଛନ୍ତି। ୟୁନିଟ୍‌-୨ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ, ବରଂ ୮ଦିନ ହେଲା ରାଜଧାନୀ ଛାତି ଉପରେ ଥିବା ବିଦ୍ୟାଳୟରେ ଏଭଳି ସମସ୍ୟା ହୋଇଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନାହାନ୍ତି। ନା ଶିକ୍ଷା ବିଭାଗ ଅଧିକାରୀର ନିଦ ଭାଙ୍ଗୁଛି, ନା ସ୍କୁଲ କର୍ତ୍ତୃପକ୍ଷଙ୍କର। ସମସ୍ତେ ସବୁ ଜାଣି ହାତ ଟେକି ଦେଇଛନ୍ତି। ଚିଠି ଲେଖାରେ ଚାଲିଛି ସବୁ କିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷା ଗ୍ରହଣ କରିଥିବା ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀନରେ ଏହି ପ୍ରାଥମିକ ବିଦ୍ୟାଳୟ ରହିଛି। ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ। ପରିଚାଳନା କମିଟି ମଧ୍ୟ ଗୋଟିଏ। ଉଭୟ କ୍ୟାମ୍ପସ ମଧ୍ୟରେ କେବଳ ଏକ ପାର୍କ ବାଧକ। ଯେଉଁଥିପାଇଁ ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ୍‌ ଜଳୁଛି ଏବଂ ପ୍ରାଥମିକ ବିଦ୍ୟାଳୟ ଅନ୍ଧାର। ସ୍କୁଲର ଜଣେ ଶିକ୍ଷୟିତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ୨୦୧୯ ପୂର୍ବରୁ ଏଠାରେ ଦୁଇଟି ବିଦ୍ୟାଳୟ ଯଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଥିଲା। ୨୦୧୯ରେ ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି ମୁତାବକ ବିଦ୍ୟାଳୟ ଦ୍ବୟକୁ ଏକାଠି କରାଯିବାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ନିକଟରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହ ମିଶିଥିଲା। ଯେଉଁଥିପାଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ଅଧୀନରୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଅଧୀନକୁ ଯାଇଛି। ନିୟମ ଅନୁସାରେ ବିଦ୍ୟାଳୟ ମିଶ୍ରଣ ପରେ ଯାହାବି ବିଦ୍ୟୁତ୍‌ ବିଲ୍‌ ଆସିବ ତାହା ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ଭରଣା କରିବେ। ମାତ୍ର ବିଦ୍ୟାଳୟ ଏକାଠି ହେବାଠାରୁ ଉକ୍ତ ବିଦ୍ୟାଳୟର ବିଲ୍‌ରେ ଗ୍ରାହକ ନାଁକୁ ପରିବର୍ତ୍ତନ କରାଯାଇ ନାହିଁ। ଫଳରେ ବିଦ୍ୟାଳୟକୁ ଆସୁଥିବା ବିଦ୍ୟୁତ୍‌ ବିଲ୍‌ ବିଦ୍ୟାଳୟ ପୈଠ କରିବାରେ ଅସୁବିଧା ହେଉଛି।

ବିଲ୍‌ ପୈଠ କଲେନି ସ୍କୁଲ କର୍ତ୍ତୃପକ୍ଷ
ବିଦ୍ୟୁତ୍‌ କାଟିଲା ଟିପିସିଓଡିଏଲ୍‌
୮ଦିନ ହେଲା ହନ୍ତସନ୍ତ ପିଲା
ବାଧାପ୍ରାପ୍ତ ହେଉଛି ଆଧାର ସେବା

୨୦୧୯ରୁ ବିଦ୍ୟାଳୟ ପକ୍ଷରୁ ବିଦ୍ୟୁତ୍ ବିଲ୍‌ ଦିଆଯାଇ ନଥିବାରୁ ଏବେ ବକେୟା ଅର୍ଥ ୮୦ହଜାରରେ ପହଞ୍ଚିଲାଣି। ବିଲ୍‌ ପୈଠ କରିବା ଲାଗି ବାରମ୍ବାର ଟିପିସିଓଡିଏଲ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ବକେୟା ବିଲ୍‌ ଦେଇନାହାନ୍ତି। ଫଳରେ ଗତ ୨ତାରିଖଠାରୁ ବିଦ୍ୟାଳୟର ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ରାଜ୍ୟ ସଚିବାଳୟଠାରୁ ମାତ୍ର ଗୋଟିଏ କିମି ମଧ୍ୟରେ ଥିବା ବିଦ୍ୟାଳୟର ଅବସ୍ଥା ଏଭଳି ହୋଇଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତାପ୍ରକଟ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ରହିଥିଲେ ମଧ୍ୟ ତାଳମେଳ ଅଭାବରୁ ଏବେ ରାଷ୍ଟ୍ରପତି ପଢ଼ୁଥିବା ସ୍କୁଲ କ୍ୟାମ୍ପସ ସମ୍ପୂର୍ଣ୍ଣ ଅନ୍ଧାର।

ସମସ୍ୟା ସମ୍ପର୍କରେ ଜାଣିବା ଲାଗି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଟ୍ଟନାୟକଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଉତ୍ତର ଦେଉ ନାହାନ୍ତି। ସେପଟେ ଜଣେ ଶିକ୍ଷୟିତ୍ରୀ କହିଛନ୍ତି ଯେ ଉଭୟ ବିଦ୍ୟାଳୟର ବିଦ୍ୟୁତ୍‌ ଗ୍ରାହକଙ୍କୁ ଗୋଟିଏ କରିବା ଲାଗି ଟିପିସିଓଡିଏଲ୍‌କୁ ଚିଠି ଲେଖିଛୁ। ସେମାନେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନାଁରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନାଁ ପରିବର୍ତ୍ତନ କଲେ ବିଲ୍‌ ପୈଠ କରିବାରେ ସୁବିଧା ହେବ। କାରଣ ବିଦ୍ୟାଳୟକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର କୌଣସି ଟଙ୍କା ଆସୁନାହିଁ। ତେଣୁ ଆମେ ଆଉ ଥରେ ଟିପିସିଓଡିଏଲ୍‌ର କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ବିଦ୍ୟୁତ୍‌ ସଂଯୋଗର ବ୍ୟବସ୍ଥା କରିବୁ।
ଟିପିସିଓଡିଏଲ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସିମିତ୍‌ ଦାସଙ୍କୁ ପଚାରିବାରୁ କହିଛନ୍ତି ଯେ ବିଦ୍ୟାଳୟର ୮୦ହଜାରରୁ ଅଧିକ ଟଙ୍କାର ବିଲ୍‌ ବକେୟା ରହିଛି। ବିଲ୍‌ ପୈଠ କରିବାକୁ ବାରମ୍ବାର କହିବା ସତ୍ତ୍ବେ ସେମାନେ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। ଫଳରେ ବାଧ୍ୟ ହୋଇ ଆମେ ସଂଯୋଗ ବିଚ୍ଛିନ୍ନ କରିଛୁ। ବିଦ୍ୟାଳୟ କର୍ତ୍ତୃପକ୍ଷ ବିଲ୍‌ ପୈଠ କରନ୍ତୁ। ନ ହେଲେ ଏକ ଅଣ୍ଡରଟେକିଂ ଲେଖି ଦେଲେ ଆମେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ।

ସମ୍ବନ୍ଧିତ ଖବର