ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେବେ। ୧୪ ତାରିଖ(ସୋମବାର) ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ।
ଆଜି ଏମ୍ସ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ସୂଚନାଦେଇ କହିଛନ୍ତି ଯେ ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ଉତ୍ସବ ଅବସରରେ ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀଙ୍କୁ ଡିଗ୍ରି ପ୍ରଦାନ କରାଯିବ। ୧୯୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ୧୫୮ଜଣ ବିଶେଷଜ୍ଞ(ପିଜି) ଡାକ୍ତର, ୪୯ ଜଣ ସୁପର ସ୍ପେସିଆଲିଟି(ଡିଏମ୍/ଏମ୍ସିଏଚ୍), ୨୧ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (ପିଡିଏଫ୍), ୧୧୬ ଜଣ ବିଏସ୍ସି ନର୍ସିଂ, ୬୨ଜଣ ବିଏସ୍ସି ପାରାମେଡିକାଲ୍, ୪୧ ଜଣ ଏମ୍ଏସ୍ସି ନର୍ସିଂ ଛାତ୍ରଛାତ୍ରୀ ଡିଗ୍ରି ପାଇବେ। ଉତ୍ତମ ପ୍ରଦର୍ଶନ ଲାଗି ୩୧ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଏଥିରେ ୧୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ଜଣେ ଏମ୍ଡି/ଏମ୍ଏସ୍, ଜଣେ ଡିଏମ୍/ଏମ୍ସିଏଚ୍, ୩ ଜଣ ବିଏସ୍ସି ନର୍ସିଂ, ୭ ଜଣ ବିଏସ୍ସି ପାରାମେଡିକାଲ୍, ୨ ଜଣ ଏମ୍ଏସ୍ସି ନର୍ସିଂ ଛାତ୍ରଛାତ୍ରୀ ରହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡା. ପିଆର୍ ମହାପାତ୍ର(ଡିନ୍), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର(ଡିଡିଏ), ଡା. ସୁଦୀପ୍ତ ରଞ୍ଜନ ସିଂହ (କୁଳସଚିବ), ଡା. ଦିଲୀପ କୁମାର ପରିଡ଼ା (ମେଡିକାଲ୍ ଅଧୀକ୍ଷକ) ଓ ଡା. ବିକାଶ ଭାଟିଆଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ।