ଶୋଚନୀୟ ଅବସ୍ଥାରେ ପ୍ରେସ୍ କଲୋନି ରାସ୍ତା‌: ଖୋଳିଲେ, ବାଲି-ଗୋଡ଼ି ଗଦେଇ ଛାଡ଼ିଦେଲେ

ଦୁରବସ୍ଥାଠାରୁ ବଳେଇଗଲା ଅଧାପନ୍ତରିଆ ନିର୍ମାଣର ଦୁଃଖ, ଧୂଳିରେ ଅଣନିଶ୍ବାସୀ କଲୋନି ବାସିନ୍ଦା

ଭୁବନେଶ୍ବର: ମରାମତି ଓ ନବୀକରଣ ପାଇଁ ରାସ୍ତାକୁ ଖୋଳି ତାଡ଼ି ଦେଲେ। ରାସ୍ତା ଅଧ ଯାଏ ବାଲି, ଡଷ୍ଟଗୁଣ୍ଡ ବି ଗଦେଇଲେ। କିନ୍ତୁ ତା’ ପରଠାରୁ ଆଉ କାହାରି ଦେଖାନାହିଁ। ନା ଶ୍ରମିକ ନା ଠିକାଦାର, କାହାରି ଦେଖା ମିଳୁନି। ପାଖାପାଖି ୪ମାସ ହେବ, ଏମିତି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏ ହେଉଛି ୟୁନିଟ୍-୩ସ୍ଥିତ ପ୍ରେସ୍ କଲୋନି ରାସ୍ତାର ଦୁରବସ୍ଥା। ରାସ୍ତା ତ ମରାମତି ହେଲାନି, ଓଲଟି ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଗଲା। ରାସ୍ତା ଉପରେ ଗଦା ହୋଇଥିବା ଡଷ୍ଟଗୁଣ୍ଡ ଉଡ଼ି ପରି‌ବେଶ ଧୂଳିମୟ ହେଉଥିବା ବେଳେ କଲୋନି ଲୋକ ଆକ୍ରାନ୍ତ ହେଉଛନ୍ତି। ବର୍ଷା ହେଲେ ତ କଥା ସରିଲା, ଏ ରାସ୍ତା ଦେଇ ଯା’ଆସ କରିବା କଷ୍ଟକର ହୋଇପଡ଼ୁଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଉତ୍କଳ ଦୃଷ୍ଟିହୀନ ସଂଘ ଅଫିସ୍‌ ପାଖରୁ ୟୁନିଟ୍-୩ ଏସ୍‌ବିଆଇ ବ୍ୟାଙ୍କ ଗଳି ଦେଇ ଯାଇଥିବା ଏହି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଥିଲା। ରାସ୍ତାଟି ପୂରା ଖାଲଖମାରେ ଭର୍ତ୍ତି ହୋଇ ରହିଥିଲା। ନବୀକରଣ ପାଇଁ ୪ମାସ ତଳେ ରାସ୍ତାକୁ ପୂରା ଖୋଳି ଦିଆଯିବା ସହ ଡଷ୍ଟଗୁଣ୍ଡ, ବାଲି, ଗେଟି ରାସ୍ତା ଉପରେ ଗଦା କରାଗଲା। କିନ୍ତୁ ତା’ ପରଠାରୁ ଆଉ କାହାରି ଦେଖାନାହିଁ। ସ୍ଥାନୀୟ ବାସିନ୍ଦା ନାରାୟଣ ବେହେରାଙ୍କ କହିବା କଥା, ଏ ରାସ୍ତା ଖରାପ ଥିଲା, କିନ୍ତୁ ଯାହା ଯେମିତି ହୋଇ ଚାଲିଥିଲା। ମାତ୍ର ଏବେ ରାସ୍ତାକୁ ଖୋଳି ଛାଡ଼ି ଦିଆଯାଇଥିବାରୁ ସମସ୍ୟା ବଢ଼ିଯାଇଛି। ମହମ୍ମଦ ସାଦିକ୍‌ ବି ସମାନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏଠାରେ ଗଦା ହୋଇ ରହିଥିବା ଡଷ୍ଟଗୁଣ୍ଡଗୁଡ଼ିକ ଉଡ଼ି ଲୋକଙ୍କ ଘରେ ପଶୁଛି। ଆଗରେ ଚାରିଚକିଆଟେ ଚାଲିଗଲେ, ଏତେ ମାତ୍ରା‌ରେ ଧୂଳି ଉଡ଼ୁଛି ଯେ ଯିବା ସମ୍ଭବ ହେଉନାହିଁ। ସେହିପରି ରାସ୍ତା ଉପରେ ଗେଟି ଗଦା ହୋଇଥିବାରୁ ବେଳେ ବେଳେ ଗାଡ଼ି ଚକରେ ତାହା ଛିଟ୍‌କି ଲୋକଙ୍କ ଦେହରେ ବାଜୁଛି। କାମ ଯଦି କରିବାର ନଥିଲା, ତେବେ କାହିଁକି ରାସ୍ତା ଖୋଳଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆଗକୁ ଖରା ଦିନ ଆସୁଛି। ତେଣୁ ଶୀଘ୍ର କାମ ନ ହେଲେ ଅବସ୍ଥା ଆହୁରି ଜଟିଳ ହୋଇପଡ଼ିବ।

ସମ୍ବନ୍ଧିତ ଖବର