ସତ୍ୟନଗର ମଶାଣି ଉପରୁ କମୁନି ଚାପ

ଭରତପୁର, ପଟିଆ ମଶାଣିକୁ ଯିବାକୁ ମଙ୍ଗୁ ନାହାନ୍ତି
ଭରତପୁରରେ ୧୦ଦିନରେ ୯ ଆକ୍ରାନ୍ତଙ୍କ ଶବଦାହ
ପଟିଆରେ ଦୁଇ ଦିନରେ ଜଣଙ୍କର ଶବଦାହ

ଭୁବନେଶ୍ବର : ସତ୍ୟନଗର ଶ୍ମଶାନରେ ଅଧିକ ଚାପ ପଡ଼ୁଥିବାରୁ ପଟିଆ ଏବଂ ଭରତପୁରରେ ଦୁଇଟି ଶ୍ମଶାନ କାର୍ଯ୍ୟକ୍ଷମ ହେଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏଠାକୁ ଯିବାକୁ ଲୋକ ମଙ୍ଗୁ ନାହାନ୍ତି। ଅର୍ଥାତ୍ ଏହି ଦୁଇଟି ମଶାଣିରେ ଶବଦାହ କରିବାକୁ କରୋନାରେ ମୃତକଙ୍କ ପରିବାରଲୋକ ରାଜି ହେଉନାହାନ୍ତି। ଫଳରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ଶବଦାହ ପାଇଁ ତିନିଟି ଶ୍ମଶାନ ଥିଲେ ବି ସତ୍ୟନଗର ଶ୍ମଶାନ ଉପରୁ ଚାପ କମୁନି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭରତପୁର ମଶାଣିରେ ୧୯ ତାରିଖରୁ ଶବଦାହ ଆରମ୍ଭ ହୋଇଥିବା ବେଳେ ଏଠାରେ ଆଜି ଯାଏ ୮ଜଣ ଅଣକୋଭିଡ୍‌ ଏବଂ ୯ଜଣ କୋଭିଡ୍ ଆକ୍ରାନ୍ତଙ୍କର ଶବଦାହ ହୋଇଛି। ଏଠାରେ ୧୦ ଦିନରେ ମାତ୍ର ୯ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ଶବଦାହ ହୋଇଛି। ସମ୍‌ କୋଭିଡ ହସ୍ପିଟାଲ, କିଡ୍‌ସ କୋଭିଡ୍‌ ହସ୍ପିଟାଲ ସମେତ ଖଣ୍ଡଗିରି ଅଞ୍ଚଳରେ କରୋନାରେ ପ୍ରାଣ ହରାଉଥିବା ଆକ୍ରାନ୍ତଙ୍କ ଶବକୁ ଭରତପୁର ଶ୍ମଶାନକୁ ନେବାକୁ ସମ୍ପର୍କୀୟଙ୍କୁ ବିଏମ୍‌ସି କହୁଥିଲେ ହେଁ ପରିବାରଲୋକ ରାଜି ହେଉନଥିବା ଜଣାପଡ଼ିଛି। ତେଣୁ ସତ୍ୟନଗର ଶ୍ମଶାନରେ ଶବଦାହ କରିବାକୁ ପଡ଼ୁଛି।

ସେହିପରି ପଟିଆରେ ଗ୍ୟାସ୍‌ ଚୁଲା ଶ୍ମଶାନ ଶୁକ୍ରବାରଠାରୁ କାର୍ଯ୍ୟକାରୀ ହୋଇଥିଲେ ହେଁ ଏଠାରେ ଦୁଇ ଦିନରେ ମାତ୍ର ଜଣଙ୍କର ଶବଦାହ ହୋଇଛି। ଶୁକ୍ରବାର ଜଣଙ୍କର ଶବଦାହ ହୋଇଥିବା ବେଳେ ଶନିବାର କେହି ଶବଦାହ କରିନାହାନ୍ତି। ବିଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶ୍ମଶାନ ଉନ୍ନତୀକରଣ କରାଯାଉଥିଲେ ହେଁ ଲୋକଙ୍କ ସହଯୋଗ ରହୁନଥିବାରୁ ସତ୍ୟନଗର ଶ୍ମଶାନ ଉପରେ ଚାପ କମୁନି।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ତିନିଟି ଶ୍ମଶାନ କାର୍ଯ୍ୟକାରୀ ହେବା ପରେ ଆମେ ମୃତକଙ୍କ ସମ୍ପର୍କୀୟଙ୍କୁ କେଉଁଠିକୁ ଶବ ‌ନେବେ, ତାହା ପଚାରୁଛୁ। ପ୍ରାୟ ସମସ୍ତେ ସତ୍ୟନଗର ଶ୍ମଶାନ ନେବାକୁ କହୁଛନ୍ତି। ତେଣୁ ଆମେ ନେଉଛୁ। ସହର ମଧ୍ୟରେ ଏହି ଶ୍ମଶାନ ଥିବାରୁ ଏବଂ ଯାତାୟାତର ସୁବିଧା ଥିବାରୁ ଏହାକୁ ଲୋକ ପସନ୍ଦ କରୁଛନ୍ତି ବୋଲି କହୁଛନ୍ତି। ସେହିପରି ପଟିଆରେ ଗ୍ୟାସ୍‌ ଚୁଲାରେ ଶବଦାହ କରିବାକୁ ବହୁ ଲୋକ ରାଜି ହେଉନାହାନ୍ତି। ଲୋକ ଯେପରି ପରମ୍ପରାକୁ ବିଶ୍ବାସ କରି ସତ୍ୟନଗର ବିଦ୍ୟୁତ୍‌ ଚୁଲାରେ ଶବଦାହ କରୁନାହାନ୍ତି, ସେହିପରି ଏଠାରେ ବି କରୁନାହାନ୍ତି। ଶୁକ୍ରବାର ଜଣେ ଲୋକ ରାଜି ହେବାରୁ ପଟିଆରେ ଗ୍ୟାସ୍‌ ଚୁଲାରେ ଶବଦାହ ହୋଇଥିଲା। ବିଦ୍ୟୁତ୍‌ ଚୁଲା ଓ ଗ୍ୟାସ୍ ଚୁଲାରେ ଶବଦାହ କଲେ ପରିବେଶ ଉପରେ ପ୍ରଭାବ ପଡ଼ିବନି ଲୋକଙ୍କୁ ବୁଝାଇ‌ଲେ ବି ବୁଝୁ ନାହାନ୍ତି।

ଅପରପକ୍ଷେ ଏବେ ଦୈନିକ ମୃତକଙ୍କ ସଂଖ୍ୟା ବହୁତ କମିଛି। ସତ୍ୟନଗରରେ ଦିନକୁ ୪୦ରୁ ୪୫ଜଣଙ୍କର ଶବଦାହ ହେଉଛି। ଆମେ ଏଠାରେ ଦିନକରେ ୮୫ରୁ ୯୦ଜଣଙ୍କର ଶବଦାହ କରିପାରିବା ଭଳି ବ୍ୟବସ୍ଥା କରିଛୁ। ଏବେ ଆମର ସତ୍ୟନଗରରେ ଚାପ କମିଥିବାରୁ ଭରତପୁର ଓ ପଟିଆରେ ଶବଦାହ ପାଇଁ ଲୋକଙ୍କୁ ବାଧ୍ୟ କରୁନୁ। ମୃତକଙ୍କ ପରିବାର ଲୋକଙ୍କ ସ୍ଥିତି ଭଲ ରହୁନଥିବାରୁ ଅଧିକ କଷ୍ଟ ଦେବାକୁ ଚାହୁନୁ। ପଟିଆ ଶ୍ମଶାନ ଯେପରି କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ସେଠାରେ ଦୁଇଟି କାଠ ଚୁଲା ନିର୍ମାଣ କରାଯାଇଛି। ଦୁଇ/ତିନି ଦିନରେ ଚୁଲା ଶୁଖିଯିବ। ଏହାପରେ ଏଠାରେ ଯିଏ ଗ୍ୟାସ୍‌/ଚୁଲାରେ ଚାହି‌ବେ, ସେଥିରେ ଶବଦାହ କରିପାରିବେ। ଏହି ଶ୍ମଶାନକୁ ଗଲେ ଯେପରି ଜଣେ ଲୋକ ଚାପଗ୍ରସ୍ତ ହେବନି, ସେହି ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର