ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ପକ୍ଷରୁ ଆୟୋଜିତ ‘କ୍ଷମତା ଅପବ୍ୟବହାରକୁ ରୋକିବା: ପସନ୍ଦ ଲୋକନୀତି’ ଶୀର୍ଷକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଡ. ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ସମାଜ ଯେତେବେଳେ ସରକାରଙ୍କ ଉପରେ ନିୟନ୍ତ୍ରଣ ହରାଏ ସେତେବେଳେ ଏକଛତ୍ରବାଦ ହୋଇଯାଏ। ସରକାରୀ କଳ ଓ ସାମାଜିକ ବ୍ୟବସ୍ଥାରୁ କ୍ଷମତା ସୃଷ୍ଟି ହୋଇଥାଏ।
ଯେଉଁଠି ଜୀବନ ଅଛି, ସେଇଠି କ୍ଷମତା ରହିଛି ଏବଂ ଯେଉଁଠି କ୍ଷମତା ରହିଛି ସେଠାରେ ଅପବ୍ୟବହାର ହେଉଛି। ଏକ ଗବେଷଣାରୁ ଜଣାପଡିଛି ଯେ ବିଗତ ୨୫ ହଜାର ବର୍ଷ ମଧ୍ୟରେ ମନୁଷ୍ୟ ମସ୍ତିଷ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ଯୁଗ ମନୁଷ୍ୟର ମସ୍ତିଷ୍କ ପ୍ରସ୍ତର ଯୁଗର ମନୁଷ୍ୟର ମସ୍ତିଷ୍କ ସହ ସମାନ। ଲୋକଙ୍କୁ ଯେତେ ବୁଝାଇଲେ ବି ସେମାନେ ଜାତି, ଧର୍ମ ଓ ଗୋଷ୍ଠୀ ଭିତ୍ତିରେ ଭୋଟ ଦେଉଛନ୍ତି। ବର୍ତ୍ତମାନ ଆମ ଦେଶରେ ଏକଛତ୍ରବାଦ ନାହିଁ, ତେଣୁ ଜଣେ ଶାସକ ଗଣତନ୍ତ୍ର ନାଁରେ ଏକଛତ୍ରବାଦ ଶାସନ ଚଲେଇବାକୁ ଚାହୁଛି। ଫଳରେ କ୍ଷମତା କେବଳ ସଂଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପାଖରେ ସୀମିତ ହୋଇଯାଉଛି। ଯଦି ବ୍ୟବସ୍ଥା ଦୁର୍ନୀତିଗ୍ରସ୍ତ ହୁଏ ତେବେ ସେଥିରେ କାମ କରୁଥିବା ଲୋକ ମଧ୍ୟ ଦୁର୍ନୀତିଗ୍ରସ୍ତ ହେବେ। ସେଥିପାଇଁ ବ୍ୟବସ୍ଥା ସୁଧୁରିବା ଆବଶ୍ୟକ ଏବଂ ଲୋକମାନେ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।
ସେ ଆହୁରି କହିଲେ ଯେ କ୍ଷମତାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ହେଲେ ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୀତ କରାଯିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସମାଜରେ ଏହା ଦେଖାଯାଉଛି ଯେ ବହୁ ଉଚ୍ଚ ଶିକ୍ଷିତ ଯୋଗ୍ୟ ବ୍ୟକ୍ତି କ୍ଷମତା ଆହରଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ କ୍ଷମତା ଅନୁପଯୁକ୍ତ ବ୍ୟକ୍ତିଙ୍କ ହାତକୁ ଚାଲିଯାଉଛି। ତେଣୁ କ୍ଷମତାର ସଠିକ ବ୍ୟବହାର ଓ କାର୍ଯ୍ୟକାରୀ ପାଇଁ ଉପଯୁକ୍ତ ବ୍ୟକ୍ତି ମନୋନୀତ ପାଇଁ ସାମାଜିକ ସଚେତନତା ସୃଷ୍ଟି କରାଯିବା ଉଚିତ ବୋଲି ସେ କହିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମାଳୟା ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହଯୋଗୀ ପ୍ରଫେସର ପ୍ରତିମା ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ପବ୍ଲିକ ପଲିସି’ ଅତିରିକ୍ତ ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସହକାରୀ ପ୍ରଫେସର ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/30-18.jpg)