ସୁଦୃଢ଼ ହେବ ପ୍ରି-ସ୍କୁଲ ବ୍ୟବସ୍ଥା

ଭୁବନେଶ୍ୱର : ୬ ବର୍ଷ ବୟସଠୁ କମ୍‌ ବୟସର ରାଜ୍ୟରେ ୨୯ ଲକ୍ଷ ଶିଶୁ ରହିଛନ୍ତି। ସେମାନଙ୍କୁ କିଭଳି ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ମିଳିପାରିବ, ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିସହ ୬ ରୁ ୧୪ ବର୍ଷ ବୟସ ମଧ୍ୟରେ ପ୍ରାୟ ୬୫ ଲକ୍ଷ ପିଲା ରହିଥିଲେ ମଧ୍ୟ ୪୦ ହଜାର ପିଲା ବିଭିନ୍ନ କାରଣ ଲାଗି ବିଦ୍ୟାଳୟ ବାହାରେ ରହିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ କୌଣସି ପିଲା ଯେପରି ବିଦ୍ୟାଳୟ ବାହାରେ ନ ରୁହନ୍ତି, ସେଥିପ୍ରତି ପ୍ରାଥମିକତା ଦିଆଯାଉଛି। ହୋଟେଲ ମାରିଅନ୍‌ଠାରେ ଅନୁଷ୍ଠିତ ‘ଇଗ୍‌ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍‌’ କର୍ମଶାଳାକୁ ଉଦ୍‌ଘାଟନ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହା କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ଓ ୟୁନିସେଫ୍‌ର ମିଳିତ ସହଯୋଗରେ ଆୟୋଜିତ କର୍ମଶାଳାର ଆଜିର ଉଦ୍‌ଘାଟନୀ ଉତ୍ସବରେ ଓଏସ୍‌ସିପିସିଆର୍‌ର ଅଧ୍ୟକ୍ଷ କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ପିଲାମାନେ ହେଉଛନ୍ତି ଭବିଷ୍ୟତ। ସେମାନଙ୍କୁ ବିଦ୍ୟାଳୟ ଆଣିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଜ୍ୟରେ ଥିବା ପ୍ରାୟ ୭୩ ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଶୈଶବ ଶିକ୍ଷା ଦିଆଯାଉଛି। ଘରୋଇ ପ୍ଲେ ସ୍କୁଲଗୁଡ଼ିକ ଉପରେ ଲଗାମ ଲଗାଇବା ଲାଗି ଏନ୍‌ସିପିସିଆର୍‌ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ସେଥିରେ ସଂଶୋଧନ ଲାଗି ପ୍ରସ୍ତାବ ଗ୍ରହଣ କରାଯାଉଛି। ଖୁବ୍‌ଶୀଘ୍ର ଲାଗୁ ହେବ।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶୈଶବ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ୟୁମି ବେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ଆହ୍ଵାନ ଦେଇଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର