ଦରଦାମ୍‌ ନିୟନ୍ତ୍ରଣ ଉଭୟ ସରକାରଙ୍କ ଦାୟିତ୍ବ

ଫୋନ୍‌-ଇନ୍‌-ପ୍ଲିଜ୍‌

ସମ୍ପ୍ରତି ଦରଦାମ୍‌ ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ କାଳ ପାଲଟିଛି। ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ବହୁ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ବିଶେଷକରି ପେଟ୍ରୋଲ, ଡିଜେଲ୍‌ ଦର ଉପରୁ ଉଭୟ ସରକାର ସେମାନଙ୍କ ଟିକସ ହ୍ରାସ କଲେ, ଦରବୃଦ୍ଧି ବହୁ ମାତ୍ରାରେ ନିୟନ୍ତ୍ରଣକୁ ଆସିପାରନ୍ତା। ପେଟ୍ରୋଲ୍‌ ଓ ଡିଜେଲ୍‌କୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ଏବେ ଜରୁରୀ ହୋଇପଡ଼ିଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଗଣା ଯୋଜନା, ବାଣିଜ୍ୟନୀତି ମଧ୍ୟ ଏଥିପାଇଁ କେତେକାଂଶରେ ଦାୟୀ। ସେହିଭଳି ରାଜ୍ୟରେ ଶୀତଳଭଣ୍ଡାର ଅଭାବ ଓ ବେଲଗାମ୍‌ କଳାବଜାର ଉପରେ ନିୟନ୍ତ୍ରଣ ହରାଇବା ମଧ୍ୟ ଦରଦାମ ବୃଦ୍ଧିର କାରଣ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ସହ ଆଲୋଚନା କରି ଦରଦାମ୍ ନିୟନ୍ତ୍ରଣ ପାଇଁ ଯୋଜନା କରିବା ଜରୁରୀ। ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତଥରର ପ୍ରସଙ୍ଗ ‘ଦରଦାମ ବୃଦ୍ଧି ଦିନକୁଦିନ ବାଧିଲାଣି’‌ରେ ଲୋକେ ଏଭଳି ମତାମତ ଦେଇଛନ୍ତି।

୨୦୧୬ ମସିହାରେ ବିମୁଦ୍ରୀକରଣ ଦେଶରେ ଅର୍ଥନୀତି ପ୍ରଗତିକୁ ବ୍ରେକ୍ ଦେଲା। ତୈଳ ଦରବୃଦ୍ଧି ‌ଯୋଗୁଁ ଜନସାଧାରଣ ଦରଦାମ ବୃଦ୍ଧିଜନିତ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ତେଣୁ ‌ଏବେ‌ ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରି ଦରଦାମ ବୃଦ୍ଧିରେ ରୋକ୍‌ ଲଗାଇବା ଉଚିତ।
ଇଂ. କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗି

ଦରଦାମ୍ ବୃଦ୍ଧି ଖଟିଖିଆ, ଦିନମଜୁରିଆ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପ୍ରତି ଅଭିଶାପରେ ପରିଣତ ହୋଇଗଲାଣି। ପେଟ୍ରୋଲ ଡିଜେଲ୍ ଦର ବଢୁଥିବାରୁ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ହେଉଛି।
ଦିବ୍ୟଲୋଚନ ଭାରିମଲ୍ଲ, ଖୋର୍ଦ୍ଧା

ଦରଦାମ୍ ବୃଦ୍ଧି ପାଇଁ ଉଭୟ ସରକାର ଦାୟୀ। କେବଳ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ପୂର୍ବରୁ ରାଜ୍ୟ ସରକାର ଏଥିପ୍ରତି କ’ଣ ପଦକ୍ଷେପ ନେଇଛନ୍ତି, ବୁଝିବା ଦରକାର।
ଶ୍ରୀବାସ ମହାନ୍ତି, ଭୁବନେଶ୍ବର

ପେଟ୍ରୋଲ ଡିଜେଲ୍ ଦର ଦୈନିକ ବୃଦ୍ଧି ହେତୁ ପରିବହନ ଖର୍ଚ୍ଚ ବଢ଼ୁଛି। ପ୍ରତ୍ୟେକ ଜିନିଷର ଦରବୃଦ୍ଧି ଘଟି ୨ ବର୍ଷରେ ୨ ଗୁଣରେ ପହଞ୍ଚିଲାଣି। ଏଣୁ ସରକାରଙ୍କୁ ଅନୁରୋଧ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରନ୍ତୁ।
ଜଲିଲ୍ ଖାନ୍, ନୂଆପଲ୍ଲୀ

ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତ ପରିବାରକୁ ବହୁତ ବାଧୁଛି। ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ। ଯୋଗାଣ ବିଭାଗ ଚଢ଼ଉ କରି କଳାବାଜାରକୁ ରୋକିବା ଦରକାର। ନ ହେଲେ ଆଳୁ ପିଆଜ ଓ ପନିପରିବା ଦର ଏମିତି ବଢ଼ି ଚାଲିବ।
ଡ. ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାୟପୁର
ଛାୟାକାନ୍ତ ନାୟକ, ପୁରୀ

ଏକାସାଙ୍ଗରେ ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ବାଧୁଛି। ସୀମିତ ରୋଜଗାର ଭିତରେ ପରିବାର ଚଳାଇବାକୁ କଷ୍ଟକର ହୋଇପଡ଼ିଛି।
ଯଶୋବନ୍ତ ପଟ୍ଟନାୟକ, ଓଡ଼ଗାଁ, ନୟାଗଡ଼

ଦରଦାମ ବୃଦ୍ଧି ପାଇଁ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ଦାୟୀ। ବିଶେଷକରି ତୈଳ ଦର ନିୟନ୍ତ୍ରଣ ହେଲେ, ସମସ୍ତ ଦର ନିୟନ୍ତ୍ରଣ ହୋଇପାରିବ।
ଦୀପ୍ତିରଂଜନ ଜେନା, ପୁରୀ, ରବୀନ୍ଦ୍ର ନନ୍ଦ, ଶିଶୁପାଳଗଡ଼, ଗୁଣଧର ପ୍ରଧାନ, ଲକ୍ଷ୍ମୀସାଗର, ଭୁବନେଶ୍ବର

ଆନ୍ତର୍ଜାତିକ ବଜାରରେ ତୈଳଦର ବୃଦ୍ଧି ଦେଢ଼ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଛି। ଏହାସହ କରୋନା ମହାମାରୀ ବ୍ୟାପିବା ଓ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଲାଗି ରହିବା ଯୋଗୁଁ ଦରଦାମ୍ ବୃଦ୍ଧି ଘଟିବା ସ୍ବାଭାବିକ।
ଉଲ୍ଲାସ ବେହେରା, ଚନ୍ଦ୍ରଶେଖରପୁର

ଦରଦାମ ବୃଦ୍ଧି ଅସହ୍ୟ ହେଲାଣି। ପେଟ୍ରୋଲ ଡିଜେଲ୍ ଦରବୃଦ୍ଧି ହେତୁ ସମସ୍ତ ଜିନିଷ ମହଙ୍ଗା ହେଉଛି। ଅତ୍ୟାବଶକ ସାମଗ୍ରୀର ଦରଦାମ୍‌ ନିୟନ୍ତ୍ରଣ କରିବାକୁ ସରକାର ବ୍ୟବସାୟୀ ସଂଘର ସଭାପତିଙ୍କୁ ଡାକି ଆଲୋଚନା କରିବା ଦରକାର।
ଗୌରଙ୍ଗ ଚରଣ ସେଠୀ, ଲିଙ୍ଗରାଜ ବିହାର

ଦରଦାମ୍ ବଢ଼ିବାର ମୁଖ୍ୟ କାରଣ ହେଉଛି ମାଗଣା ଯୋଜନା, ସମସ୍ତ ପ୍ରକାରର ରିହାତି, ନାନାପ୍ରକାର ଋଣ ଛାଡ଼। ରାଜନୈତିକ ଦଳମାନେ ନିଜର ଦଳର ସ୍ବାର୍ଥ ପାଇଁ ଏପରି କରୁଛନ୍ତି। ତାହାର ଶିକାର ମଧ୍ୟବିତ୍ତ ଲୋକ ଭୋଗୁଛନ୍ତି।
ବଜ୍ରକିଶୋର ସାହୁ, ଚନ୍ଦନପୁର,ପୁରୀ

ଦରଦାମ୍ ବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅତିଷ୍ଠ ହୋଇଗଲେଣି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ଆଗାମୀ ଦିନରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇପାରେ।
ପ୍ରକାଶ ଚନ୍ଦ୍ର ବାରିକ, ନୟାହାଟ

କେବଳ ପେଟ୍ରୋଲିୟମ ପ୍ରଦାର୍ଥ ନୁହେଁ, କଫି, ଚା ଓ ବିସ୍କୁଟ ପରି ଅନେକ ଅତ୍ୟାବଶକ ସାମଗ୍ରୀର ଦର ୪ରୁ ୧୦ପ୍ରତିଶତ ବୃଦ୍ଧି ହେଲାଣି। ଏବେ ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିବାରୁ ଧନୀ ଓ ଗରିବ ତାରତମ୍ୟ ଆହୁରି ବୃଦ୍ଧି ପାଇବ।
ଆହ୍ବାନ କୁମାର ପାଇକରାୟ, ୟୁନିଟ୍-୩, ଭୁବେନଶ୍ବର

ବର୍ତମାନ ଏଲ୍‌ପିଜି, ପେଟ୍ରୋଲ, ଡିଜେଲ, ପରିବା, ଖାଇବା ତେଲ ଆଦି ସବୁଦର ଆକାଶଛୁଆଁ। ରୋଜଗାର ବୃଦ୍ଧିର ବାଟ ନାହିଁ। ଏପଟେ କିଛି ଜିନିଷ ମାଗଣାରେ ବାଣ୍ଟି ଅନ୍ୟ କିଛି ଜିନିଷରେ ଟ୍ୟାକ୍ସ ବଢ଼ାଇବା ଫଳରେ ଦରଦାମ ବୃଦ୍ଧି ଘଟୁଛି।
ଅମିୟ ରଞ୍ଜନ ମହାପାତ୍ର, ରଣପୁର
ସୁଧାକର ଦାସ, ଖଣ୍ଡପଡ଼ା, ନୟାଗଡ଼

ପେଟ୍ରୋଲ ଓ ଡିଜେଲରୁ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ କମାଇଲେ ଦର ନିୟନ୍ତ୍ରଣ ହୋଇପାରିବ।
ଶଶିକାନ୍ତ, ପୁରୀ

ମହାମାରୀ ପରେ ଆକାଶଛୁଆଁ ଦରବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତାବିଡ଼ା ପରି ହୋଇଛି। ମୁଖ୍ୟତଃ ତେଲ ଦର ବୃଦ୍ଧି ବେଶି ବାଧୁଛି। ରାଜ୍ୟ ଓ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। କାରଣ ଭାରତ କହିଲେ, କେବଳ ସରକାରୀ କର୍ମଚାରୀଙ୍କୁ ବୁଝାଏ ନାହିଁ।
ସନ୍ତୋଷ କୁମାର ମହାପାତ୍ର, ସୁନ୍ଦରପଦା

ଖାଦ୍ୟଦ୍ରବ୍ୟ, ତୈଳ ଜାତୀୟ ସାମଗ୍ରୀ, ଗ୍ୟାସ୍‌ ଆଦି ଉପରେ ସରକାର ବେଲଗାମ୍‌ ଦରବୃଦ୍ଧି କରି ଚାଲିଛନ୍ତି। ଗୋଟିଏ ସାଧାରଣ ଲୋକ ପରିବାର ପ୍ରତିପୋଷଣ କରିବା ବହୁ କଷ୍ଟଦାୟକ ହୋଇପଡ଼ୁଛି।
ଶ୍ରୀଧର ବଳିୟାରସିଂ, ଭୁବନେଶ୍ବର

ଦରଦାମ ବୃଦ୍ଧିର ମୁଖ୍ୟ କାରଣ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି। ୫୦୦ ଟଙ୍କା ନେଇ ବଜାରକୁ ଗଲେ ପରିବା ବ୍ୟାଗ ପୂରୁନି। ପଞ୍ଚାୟତ ନିର୍ବାଚନ ପାଇଁ ଏହି ଦରଦାମ ବୃଦ୍ଧି ନୁହେଁ ତ?
ଗଙ୍ଗାଧର ରଥ, ବରଗଡ଼ ବ୍ରିଟ୍ କଲୋନି

ଦରଦାମ ନିୟନ୍ତ୍ରଣ ମଧ୍ୟ ସରକାରଙ୍କ ଏକ କର୍ତ୍ତବ୍ୟ। ଇନ୍ଧନର ଦରବୃଦ୍ଧି ହେବା ଫଳରେ ବଞ୍ଚିବା ମୁସ୍କିଲ ହୋଇପଡ଼ିଛି। ଏହାସହ ପରିବାପତ୍ର ଓ ଔଷଧର ଦରବୃଦ୍ଧି ମଧ୍ୟ ମହରଗରୁ ଯାଇ କାନ୍ତାରରେ ଠିଆ କଲାଣି। ସରକାର ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଓ ବିକାଶ ପ୍ରତି ଆଦୌ ସମ୍ବଦେନଶୀଳ ନୁହନ୍ତି।
ଡାକ୍ତର ଦୀନନାଥ ଦାଶ, ଲକ୍ଷ୍ମୀସାଗର

ଭାରତର ବାଣିଜ୍ୟନୀତି ତ୍ରୁଟିପୂର୍ଣ୍ଣ। ଭାରତରୁ ଖାଦ୍ୟଶସ୍ୟ ରପ୍ତାନି ବନ୍ଦ କରିବା ସହ କୃଷି ଉତ୍ପାଦନ ଓ ଶିଳ୍ପାୟନ ବୃଦ୍ଧି କରିବା ଦରକାର।
ଅଶୋକ କୁମାର ଆଢ଼୍ୟ, ପୁରୀ

ସବୁଦିନ ପେଟ୍ରୋଲ ଓ ଡିଜେଲ ଦାମ୍‌ ବୃଦ୍ଧି ପାଉଛି। ଅଗଷ୍ଟରୁ ଅକ୍ଟୋବର ଭିତରେ ବର୍ଷା, ବନ୍ୟା ଓ ବାତ୍ୟାରେ ଫସଲ ନଷ୍ଟ ହେଲା। ଏହାଛଡ଼ା କୋଭିଡ୍‌ ଯୋଗୁଁ ବହୁ ଲୋକ ଜୀବିକା ହରାଇ ଦୁର୍ଦ୍ଦିନରେ ଅଛନ୍ତି। ସରକାର ଏ ସବୁ ଅନୁଭବ କରିବା ଅବସ୍ଥାରେ ନାହାନ୍ତି।
ନୀଳମଣି ମିଶ୍ର, ସୁନ୍ଦରପଦା,
ଶେଖ ୟାକୁବ, ପୁରୀ, ଭରତ ସାହୁ, ଡମଣା

ସମ୍ବନ୍ଧିତ ଖବର