ଜଟଣୀ: କାର୍ତ୍ତିକ ମାସ ଆରମ୍ଭରୁ ଜଟଣୀରେ ପରିବା ଦର ଆକାଶ ଛୁଆଁ ହୋଇଛି। ଜଟଣୀ ପୌରପାଳିକା ଓ ବ୍ଲକ ଅଞ୍ଚଳରେ ପରିବା ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଲୋକଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି। ବିଶେଷ କରି ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ପରିବାର ଲୋକ ଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ବେଳେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଅତ୍ୟାବଶ୍ୟକ ସାମଗ୍ରୀ ଖାଇବା ତେଲ ସହ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଦରଦାମ ବଢ଼ିଚାଲିଛି। ଏଥିସହିତ ପରିବା ଦର ବୃଦ୍ଧି ପାଇବା ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। ବ୍ୟବସାୟୀଙ୍କ ଠାରୁ ପରିବା ଦର ଶୁଣି ଲୋକମାନେ ଘରକୁ ଖାଲି ବ୍ୟାଗ ଧରି ଫେରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଆମଦାନୀ ସେହି ପରିମାଣରେ ହେଉନଥିବାରୁ ବଜାରକୁ କମ ପରିମାଣରେ ପରିବା ଆସୁଛି।
ଦୋକାନ ତୁଳନାରେ ପରିବା କମ ଆସୁଥିବାରୁ ଦର ସେହି ଅନୁସାରେ ବଢ଼ିଯାଇଛି ବୋଲି ବ୍ୟବସାୟୀମାନେ କୁହନ୍ତି। ଆଜି ଜଟଣୀ ବଜାରରେ ବିନ୍ସ କିଲୋପ୍ରତି ୧୨୦ଟଙ୍କା ଥିବା ବେଳେ କାଙ୍କଡ଼ ୧୧୦ ଟଙ୍କା, ଟମାଟୋ ୮୦ଟଙ୍କା, ଫୁଲକୋବି ଗୋଟା ୬୦ଟଙ୍କା, ପୋଟଳ ୮୦, କଲରା ୮୦, ଭେଣ୍ଡି ୫୦, ଅମୃତଭଣ୍ଡା ୩୦, ଗାଜର ୫୦, ବାଇଗଣ ୫୦ଟଙ୍କା, କ୍ୟାପସିକମ୍ ୧୧୦ଟଙ୍କା, କାକୁଡ଼ି ୫୦ଟଙ୍କା, ଝୁଡ଼ଙ୍ଗ ୬୦ ଟଙ୍କା ରହିଛି। ସେହିପରି ଧନିଆ ଗୋଟିଏ ବିଡ଼ାକୁ ୧୦ଟଙ୍କା, ମାଟି ଆଳୁ କିଲୋ ୭୦ ଟଙ୍କା ରହିଛି। ତେବେ ଗୋଟିଏ ବଡ଼ ପରିବାର ପାଇଁ ୫ଶହ ଟଙ୍କାରେ ବିଭିନ୍ନ ପରିବା କିଣିଲେ ସୁଦ୍ଧା ବ୍ୟାଗ ପୂରୁନାହିଁ। ପରିବା ଦରରେ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ସବୁବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଦରବୃଦ୍ଧିର ସୁଯୋଗ ନେଇ କିଛି ଲାଭଖୋର ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରି ମନଇଚ୍ଛା ଦର କଷୁଥିବା ସାଧାରଣରେ ଅଭିଯୋଗ ହୋଇଛି। କାର୍ତ୍ତିକ ମାସ ଚାଲିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଦରବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେବା ସହ ଲାଭଖୋର ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।