ପୂଜକ ବେଶରେ ଚୋର : ହୁଣ୍ଡିରୁ ଚୋରି ଉଦ୍ୟମ ବେଳେ ଧରିଲା ପୁଲିସ

ଭୁବନେଶ୍ବର : ପୂର୍ବରୁ ଏମିତି ଲୁଟ୍‌ କରି ସଫଳ ହୋଇଥିଲା। କିନ୍ତୁ ଏଥର ଧରା ପଡ଼ିଗଲା। ପୂଜକ ବେଶରେ ଆସି ମନ୍ଦିର ହୁଣ୍ଡି ଲୁଟିବାକୁ ଚେଷ୍ଟା ଚଳାଇଥିବା ଜଣେ ଯୁବକକୁ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଗୁମୁରୁଡୁଲା ଅଞ୍ଚଳର ରାଜୀବ ଲୋଚନ ସାହୁ। ତା’ ନିକଟରୁ ଗ୍ରିଲ ଭାଙ୍ଗିବାରେ ବ୍ୟବହୃତ ଏକ ଲୁହାରଡ୍ ଜବତ କରାଯାଇଛି। ପୁରୁଣାଷ୍ଟେସନ୍‌ ବଜାର ନିକଟରେ ଥିବା ସାଇ ମନ୍ଦିରରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ଗିରଫ ହୋଇଥିବା ମୋବାଇଲ ଲୁଟେରାଙ୍କ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ଲକ୍ଷ୍ମୀସାଗର ଥାନା ଆଇଆଇସି ଭରତ ଚନ୍ଦ୍ର ସାହୁ ଓ ତାଙ୍କ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲେ। ସାଇମନ୍ଦିର ନିକଟରେ ବିଳମ୍ବିତ ରାତିରେ ପୂଜକ ବେଶରେ ରାଜୀବଲୋଚନ ଏକ ଲୁହାରଡ୍ ଧରି ହୁଣ୍ଡି ପାଖରେ ବୁଲୁଥିବା ଦେଖି ପୁଲିସ୍‌ର ସନ୍ଦେହ ହୋଇଥିଲା। ତେଣୁ ପୁଲିସ ଦୂରରେ ରହି ତା’ ଗତିବିଧି ଉପରେ ନଜର ରଖିଥିଲା। ସେ ଲୁହାରଡ୍ ଧରି ହୁଣ୍ଡି ଖୋଲିବାକୁ ଚେଷ୍ଟା କରିବା ବେଳେ ପୁଲିସ ତାକୁ ମାଡ଼ି ବସିବା ସହ ଥାନାକୁ ଆଣି ପଚରାଉଚରା କରିଥିଲା। ସେ ଚୋରି କରିବାକୁ ଆସିଥିବା ମାନି ଯାଇଥିଲା। ଗତ କିଛି ଦିନ ତଳେ ସାଇ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ଘଟଣାରେ ରାଜୀବ ଲୋଚନର ସମ୍ପୃକ୍ତି ଥିବା ଜଣାପଡ଼ିଛି।

୬୦ ହଜାର ଟଙ୍କାର ତାର ଚୋରି, ଯୁବକ ଗିରଫ
ଚନ୍ଦ୍ରଶେଖରପୁର : ଦୋକାନରୁ ବିଦ୍ୟୁତ୍‌ ତାର ଚୋରି କରି ଜଣେ ଯୁବକ ଧରାପଡ଼ିଛି। ଯୁବକ ଜଣକ ହେଲା ସାଲିଆସାହିର ତପନ ନାୟକ। ସେ ଶୈଳଶ୍ରୀବିହାରରେ ଥିବା ଏକ ଦୋକାନରୁ ତାର ଚୋରି କରି ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖି ତାକୁ କାବୁ କରିଥିଲେ। ପିସିଆର ଡାକି ପୁଲିସ ଜିମା ଦିଆଯିବା ପରେ ପୁଲିସ ତାକୁ ଗିରଫ କରିଛି। ତା’ଠାରୁ ପୁଲିସ ପାଖାପାଖି ୬୦ ହଜାର ଟଙ୍କାର ବିଦ୍ୟୁତ୍‌ ତାର ଜବତ କରିଛି। ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର