ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାମରେ ଘୋଟାଲା!

ନିମ୍ନମାନର କାମକୁ ନେଇ ଅନ୍ଧାରୁଆରେ ଅସନ୍ତୋଷ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଛି। ଖୋଦ୍ ସରପଞ୍ଚ ଏଭଳି ଅଭିଯୋଗ ଆଣି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରିବା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଆପତ୍ତି ଉଠାଇଛନ୍ତି। କାମ ବାବଦରେ ଲୋକଙ୍କୁ ଅନ୍ଧାରରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ଠିକାଦାର ପ୍ରୀତି ପ୍ରଦର୍ଶନ କରୁଛନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ଗ୍ରାମବାସୀ ଓ ସରପଞ୍ଚ ଦିଲ୍ଲୀପ ତରାଇଙ୍କ ଅଭିଯୋଗ ଅନୁସାରେ ଗତ ଚାରିମାସ ହେଲାଣି ଏହି ସଡ଼କ କାମ ଚାଲିଛି। ଅନ୍ଧାରୁଆ ବସ୍‌ଷ୍ଟାଣ୍ଡରୁ ଯାତ୍ରା ପଡ଼ିଆ ଓ ଯୋଗମାୟା ମନ୍ଦିର ଦେଇ ଖଡ଼ିଖଣି ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଲମ୍ବର ଏହି ରାସ୍ତା କାମ ଚାଲିଛି। ନିୟମାନୁସାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ ହେବା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାରେ ସୂଚନା ଫଳକ ଲଗାଯିବା କଥା। ଏହି ସୂଚନା ଫଳକରେ ଠିକାଦାରଙ୍କ ନାମ ସହ ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ ପ୍ରକଳ୍ପରେ କି କି କାମ କରାଯିବ ସବୁ ଉଲ୍ଲେଖ ରହିବା ବିଧି ରହିଛି। ମାତ୍ର ଚାରି ମାସ କାମ ଆରମ୍ଭ ହେବା ପରେ ବି ସୂଚନା ଫଳକ ଲଗା ଯାଇନାହିଁ। ‌ତେଣୁ ଲୋକଙ୍କୁ ଅନ୍ଧାରରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ଠିକାଦାରଙ୍କ ନିମ୍ନ ମାନର କାମକୁ ସମର୍ଥନ କରୁଛନ୍ତି ।

ସରପଞ୍ଚ ଶ୍ରୀ ତରାଇଙ୍କ କହିବା କଥା ଏ ନେଇ ସେ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ, ମାତ୍ର ତାଙ୍କ ଆପତ୍ତିକୁ ଅଣଦେଖା କରି କାମ ଜାରି ରହିଛି। ପୁରୁଣା ପିଚୁକୁ ତଡ଼ା ଯାଉଛି ଅଥଚ ସେଗୁଡ଼ିକୁ ବାହାର ନକରି ତାହା ଉପରେ ନୂଆ ମାଟି ମୋରମ୍‌ ପକାଯାଉଛି। ଡବ୍ଲୁଏମ୍‌ଏମ୍ର ମୋଟେଇ ଠିକ୍ ରହୁନାହିଁ। ସେହିଭଳି ସଡ଼କରେ ଥିବା ବ୍ରିଜ୍‌ କାମରେ ବ୍ୟବହାର ହେଉଥିବା ରଡ୍‌ରେ ମୋଟେଇ ଓ ମାନ ମଧ୍ୟ ଠିକ ନାହିଁ। ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ବି ତାଙ୍କ କଥାକୁ କର୍ଣପାତ କରାନଯିବାରୁ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। କିନ୍ତୁ ଫଳ ଶୂନ୍‌ ବୋଲି ସେ କହିଛନ୍ତି। ଏ ନେଇ ଭୁବନେଶ୍ବର ଉପଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ ସୂଚନା ଫଳକ ଲଗାଯାଇନଥିବା କଥା ସ୍ବୀକାର କରିଥିଲେ ଓ ଖୁବ୍ ଶୀଘ୍ର ସୂଚନା ଫଳକ ଲଗାଯିବ ବୋଲି ସେ କହିଛନ୍ତି। ଏହି ସଡ଼କ ପାଇଁ ଏକ କୋଟି ୫୦ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ କାମରେ କୌଣସି ଖିଲାପ କରାଯାଇଛି ବୋଲି ସେ ସ୍ବୀକାର କରିନଥିଲେ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ବାରମ୍ବାର କେନ୍ଦ୍ରୀୟ ଟିମ୍‌ ଦ୍ବାରା ଯାଞ୍ଚ କରାଯାଉଥିବାରୁ ଏଥିରେ ନିମ୍ନମାନର କାମ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ। ସବୁ ସ୍ଥାନରୁ ପୁରୁଣା ପିଚୁ ତାଡ଼ି ବାହାର କରାଯିବା ନିୟମ ନାହିଁ ବୋଲି ସେ ସଫେଇ ଦେଇଛନ୍ତି। ତେବେ ସରପଞ୍ଚଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି କନିଷ୍ଠ ଯନ୍ତ୍ରୀଙ୍କ ସହ ସେ ନିଜେ କାମ ତଦାରଖ କରୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର