ଭୁବନେଶ୍ବର : ଛପା ଓଡ଼ିଆ ପୁସ୍ତକର ବୟସ ବେଶି ନୁହେଁ। ତଥାପି ଏହା ଆମର ଦୁଇ ଶହ ବର୍ଷର ବନ୍ଧୁ। ଛପା ପୁସ୍ତକ ସହ ଆମର ଦୀର୍ଘ ଦିନର ନିବିଡ଼ତା ରହିଛି। ଆଜିର ସମୟରେ ବିଜ୍ଞାନ, କାରିଗରୀ କୌଶଳ, ଲୋକଙ୍କ ଜୀବନଶୈଳୀ, ଅର୍ଥନୀତି ଏବଂ ସାମାଜିକ ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ଆସିଛି। ଏସବୁ ଦୃଷ୍ଟିରୁ ପୁସ୍ତକ ପ୍ରକାଶନ ସଂକଟ ଦେଇ ଗତିକରୁଛି। କିନ୍ତୁ ଛପା ପୁସ୍ତକକୁ ଛାଡ଼ିହେବ ନାହିଁ। ବରଂ ବିଜ୍ଞାନ ଓ କାରିଗରୀ କୌଶଳକୁ ବିନିଯୋଗ କରି ଡିଜିଟାଲ୍‌ ଭାବେ ପୁସ୍ତକକୁ ସଂରକ୍ଷଣ କରିବା ଉଚିତ। ବୁଧବାର ଦିନ ବିଶିଷ୍ଟ କବି, ଗାଳ୍ପିକ ତଥା ସୁସାହିତ୍ୟିକ ବୈକୁଣ୍ଠନାଥ ପତିଙ୍କ ଗୀତି କବିତା ସଂକଳନ ‘ଗୀତି ବିଥିକା, ଡାଳେ ଡାଳେ ଫୁଲ ପେନ୍ଥି ପେନ୍ଥିକା’ର ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ବୁଧବାର ଦିନ ‘ସମ୍ବାଦ ଭବନ’ ପରିସରରେ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବର୍ତ୍ତମାନ ପ୍ରକାଶନ ଶିଳ୍ପ, ବିଶେଷକରି ସାହିତ୍ୟ ପୁସ୍ତକ ପ୍ରକାଶନ ସଂସ୍ଥା ଭିନ୍ନ ଏକ ସଂକଟ ଦେଇ ଗତିକରୁଛି। ତେବେ ଏହାର ମୁକାବିଲା କରିବା ପାଇଁ ‘ସମ୍ବାଦ’ ମଧ୍ୟ ଶତତ ଚେଷ୍ଟା ଜାରି ରଖିଛି। କାରଣ ଏଭଳି ସଂକଳନଗୁଡ଼ିକ ପ୍ରକାଶ ପାଇଲେ ହିଁ ଭାଷାର ସହଜ ମୃତ୍ୟୁ ହୁଏ ନାହିଁ। ପୁସ୍ତକ ହିଁ ଭାଷାକୁ ବଞ୍ଚାଇ ରଖେ ବୋଲି ସେ କହିଥିଲେ। ଭବିଷ୍ୟତ ପିଢି ପାଇଁ ଏସବୁ ଗବେଷଣାର ବିଷୟ ବସ୍ତୁ ହୋଇ ରହିବ। ଏହି ଗୀତି କବିତା ସଂକଳନରେ ଥିବା ୯ଟି ସ୍ତବକ ମଧ୍ୟରୁ ତୃତୀୟ ସ୍ତବକଟିକୁ ବର୍ତ୍ତମାନର ପିଢ଼ି ପଢ଼ିବା ନିହାତି ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାରଣ ସେଥିରେ ‘ଢେଙ୍କାନାଳରୁ ଢିଙ୍କିଶାଳ’ ଭଳି ଢଗଢମାଳି ମାଧ୍ୟମରେ ଅନେକ କଥା ଲେଖାଯାଇଛି। ଏଥିରୁ ଯୁବବର୍ଗଙ୍କୁ ବହୁ କଥା ଶିଖିବାକୁ ମିଳିବ।

କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା ବିଶିଷ୍ଟ କଥାକାର ଗୌରହରି ଦାସ କହିଥିଲେ ଯେ ଓଡ଼ିଶା ଏକ ଏମିତି ରାଜ୍ୟ ଯେଉଁଠି ପଥର ଖଣ୍ଡେ ଓଲଟାଇ ଦେଲେ, ତା’ ତଳୁ ବଳିଷ୍ଠ କାହାଣୀ ଓ କିଂବଦନ୍ତୀ ବାହାରିଆସେ। ସେ ପୁଣି କହିଲେ ଯେ ସତ୍ୟ ସହିତ ମଣିଷର ଜିଜ୍ଞାସାର ସଂପର୍କ ଗଢ଼ି ହେଲେ ତାହା ଦର୍ଶନ, ସତ୍ୟ ସହିତ ପ୍ରୟୋଜନବୋଧର ସମ୍ପର୍କ ପ୍ରତିଷ୍ଠା ହେଲେ ତାହା ବିଜ୍ଞାନ, ସେହିଭଳି ସତ୍ୟ ସହିତ ବିଭୋର ଆନନ୍ଦର ସମ୍ପର୍କ ସୃଷ୍ଟି ହେଲେ, ତାହା ସାହିତ୍ୟ ହୋଇଥାଏ ବୋଲି ଶ୍ରୀ ଦାସ କହିଥିଲେ। ଅନ୍ୟତମ ଅତିଥି ତଥା ଗୋଦାବରୀ ସାହିତ୍ୟ ସଂସଦର ସମ୍ପାଦକ ରାମଚନ୍ଦ୍ର ମେକାପ ପୁସ୍ତକ ତଥା ଲେଖକଙ୍କ ଅନ୍ୟାନ୍ୟ କୃତି ସମ୍ପର୍କରେ ସୂଚନା ଦେଇଥିଲେ। କବି ବୈକୁଣ୍ଠନାଥ ପତି ନିଜର ଲେଖକୀୟ ବକ୍ତବ୍ୟ ରଖିଥିଲେ। ସାହିତ୍ୟିକ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ମୁଖ୍ୟ ବିତ୍ତ ଅଧିକାରୀ ପ୍ରହଲ୍ଲାଦ ଦାସ ଓ ବିଶିଷ୍ଟ ସାହିତ୍ୟିକମାନେ ଉପସ୍ଥିତ ଥିଲେ। ଯୁବ ସାହିତ୍ୟିକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଦେଇଥିଲେ।