ଭୁବନେଶ୍ୱର(ସରୋଜ ରାଉତ) : ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ରାଜଧାନୀରେ ଆରମ୍ଭ ହୋଇଥିଲା ପ୍ରିପେଡ୍ ଅଟୋ ସେବା। ମାତ୍ର ଏବେ ଦେଖାଯାଇଛି, ଭୁବନେଶ୍ୱର ରେଳ ଷ୍ଟେସନ୍, ବରମୁଣ୍ଡା ବସଷ୍ଟାଣ୍ଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏପରି ସେବା ଉପଲବ୍ଧ ଥିବା କଥା ଅନେକ ଯାତ୍ରୀ ଜାଣନ୍ତି ନାହିଁ। କମିସନରେଟ୍ ପୁଲିସ ପ୍ରିପେଡ୍ ଅଟୋ ବ୍ୟବସ୍ଥାକୁ କାର୍ଯକାରୀ କରୁଥିଲେ ବି ପ୍ରଚାର ପ୍ରସାର ଏବଂ ସଚେତନତା ଅଭାବରୁ ଯାତ୍ରୀମାନେଙ୍କ ନିକଟରେ ଏହି ସେବା ଏବେବି ଅପହଞ୍ଚ ହୋଇ ରହିଛି। ବଢ଼ୁଥିବା ଲୁଟ୍ପାଟ୍ ଓ ଅପରାଧମୂଳକ କାର୍ଯ୍ୟକଳାପକୁ ନଜରରେ ରଖି ୨୫ ମାର୍ଚ୍ଚ ୨୦୧୫ରେ ରାଜ୍ୟ ସରକାର କମିସନରେଟ୍ ପୁଲିସ ସହାୟତାରେ ପ୍ରିପେଡ୍ ଅଟୋ ସେବାର ଶୁଭାରମ୍ଭ କରିଥିଲେ। ବରମୁଣ୍ଡା ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ ଭଳି ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ପ୍ରିପେଡ୍ ଅଟୋ ବ୍ୟବସ୍ଥା କରାଗଲା। ସେସବୁ ସ୍ଥାନରେ କାଉଣ୍ଟର୍ ଖୋଲାଯାଇ ଜଣେ ଟ୍ରାଫିକ କନ୍ଷ୍ଟେବଲ୍ଙ୍କୁ ନିୟୋଜିତ କରାଗଲା। କିଛିଦିନ ଏହି ସେବା ଠିକ୍ଠାକ୍ ଚାଲିଲା। ମାତ୍ର ଏବେ ସତେ ଯେପରି ପ୍ରିପେଡ୍ ଅଟୋ ସେବା ବାଟବଣା ହୋଇଯାଇଛି। ବାହାରୁ ଆସୁଥିବା ଯାତ୍ରୀମାନେ ପ୍ରିପେଡ୍ ଅଟୋର ସୁବିଧା ନେଇପାରୁ ନାହାନ୍ତି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ପ୍ରିପେଡ୍ ଅଟୋ ସେବା କାଉଣ୍ଟର୍ ରହିଛି। ମାତ୍ର କାଉଣ୍ଟର୍ଟି ଏମିତି ଏକ ସ୍ଥାନରେ ଅଛି ତାକୁ ଯାତ୍ରୀମାନେ ହଠାତ୍ ଦେଖିବା ସମ୍ଭବ ନୁହେଁ। ତେଣୁ ଅଧିକାଂଶ ଯାତ୍ରୀ ବାହାର ଅଟୋ ଷ୍ଟାଣ୍ଡ୍ରୁ ଅଟୋ ଭଡ଼ା କରୁଛନ୍ତି। ସେହିଭଳି ପ୍ରିପେଡ୍ ଅଟୋର ଭଡ଼ା ଅଧିକା ରହୁଥିବାରୁ କିଛି ଯାତ୍ରୀ ଅନ୍ୟ ଅଟୋରେ ଯିବା ପାଇଁ ପସନ୍ଦ କରୁଥିବା କହିଛନ୍ତି। ଏକ ଆକଳନରୁ ଜଣାଯାଇଛି ରାତ୍ରି ସମୟରେ ଭୁବନେଶ୍ୱର ଷ୍ଟେସନ୍ରେ ମାତ୍ର ୧୫ ରୁ ୨୦ ପ୍ରତିଶତ ଯାତ୍ରୀ ପ୍ରିପେଡ୍ ଅଟୋ ସେବା ପାଆନ୍ତି।
ବରମୁଣ୍ଡା ବସଷ୍ଟାଣ୍ଡସ୍ଥିତ ପ୍ରିପେଡ୍ ଅଟୋ ସେବା ଅବସ୍ଥା ମଧ୍ୟ ଅନୁରୂପ। ଏଠାରେ ଥିବା କାଉଣ୍ଟର୍ଟି କେତେବେଳେ ଖୋଲେ ତ କେତେବେଳେ ଖୋଲେନି। ତେଣୁ ଯାତ୍ରୀମାନେ ଏହି ସେବା ଉପରେ ଭରସା କରନ୍ତି ନାହିଁ। ଏଠାରେ ବାହାର ଅଟୋଚଳାକଙ୍କ ପ୍ରାଦୁର୍ଭାବ ଅଧିକ। ସେମାନଙ୍କ ଦାଦାଗିରି ଯୋଗୁଁ ପ୍ରିପେଡ୍ ଅଟୋ ସେବା ଥାଇ ନଥିବା ଭଳି। ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ କହିଛନ୍ତି ଯେ, ସରକାର ଯେଉଁ ଯୋଜନା କରିଛନ୍ତି ତାହାର ପ୍ରକୃତ ଲାଭ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଯାତ୍ରୀମାନେ ପ୍ରିପେଡ୍ ଅଟୋ ଦ୍ୱାରା ସୁରକ୍ଷିତ ଯାତ୍ରା କରିବା ସହିତ ଉଚିତ ଭଡ଼ା ମଧ୍ୟ ଦେଇଥାନ୍ତି। ମାତ୍ର ଦିନ କେଇଟା ପରେ ପ୍ରଶାସନିକସ୍ତରରେ ଅଦଳବଦଳ ଯୋଗୁଁ ଏହି ଯୋଜନା ଠିକ୍ ଭାବେ ଚାଲିପାରିଲା ନାହିଁ। ପ୍ରିପେଡ୍ ଅଟୋ କମିଟି ବୈଠକ ବସୁ ନଥିବାରୁ ଯାତ୍ରୀ ଭଡ଼ା ନିର୍ଧାରଣରେ ଅସୁବିଧା ହେଉଛି। ପ୍ରିପେଡ୍ ପରିଚାଳନାରେ ନିୟୋଜିତ ହେଉଥିବା ଟ୍ରାଫିକ କନ୍ଷ୍ଟେବଲଙ୍କୁ ଆଉ ନିୟୋଜିତ କରାଯାଉ ନାହିଁ। ଫଳରେ ଅନେକ ସମୟରେ ଏହା ବନ୍ଦ ରହୁଛି। ସଂଘ ତରଫରୁ ବିମାନବନ୍ଦର, କ୍ୟାପିଟାଲ୍ ହସ୍ପିଟାଲ ଓ ପ୍ରମୁଖ ସ୍ଥାନମାନଙ୍କରେ ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ସମୟରେ ଦାବି ଉଠୁଥିବା ବେଳେ ସରକାର ଏହାକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ସେବାରେ ନିୟୋଜିତ ଅଟୋ ଚାଳକଙ୍କ ସୁରକ୍ଷା ପାଇଁ କିଛି ଯୋଜନା ନଥିବାରୁ ଚାଳକମାନେ ବି ଏଥିରୁ ମୁହଁ ଫେରାଇ ନେଉଛନ୍ତି ବୋଲି ସେ କହିଛନ୍ତି।