ଭୁବନେଶ୍ବର: ବିକାଶ ମାର୍ଗରେ ଆଗକୁ ବଢ଼ୁଥିବା ପଛୁଆ ଦେଶଗୁଡ଼ିକୁ ବିକଶିତ ରାଷ୍ଟ୍ରମାନଙ୍କ ଅନୁଭବର ସୁବିଧା ମିଳିବା କଥା। ଏହାଦ୍ବାରା ବିକଶିତ ରାଷ୍ଟ୍ରଗୁଡ଼ିକ ଯେଉଁ ଉପଲବ୍ଧି ହାସଲ ପାଇଁ ୫୦ରୁ ୬୦ବର୍ଷ ସମୟ ନେଇଥିଲେ, ପଛୁଆ ରାଷ୍ଟ୍ରଗୁଡ଼ିକୁ ସେଥିପାଇଁ ମାତ୍ର ୫ରୁ ୭ ବର୍ଷ ଲାଗିଥା’ନ୍ତା। ହେଲେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ବର୍ତ୍ତମାନ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ବିକାଶର ଗତିକୁ ମନ୍ଥର କରୁଛି। ଏହି ପ୍ରସଙ୍ଗକୁ ନେଇ ବଡ଼ ଦ୍ବନ୍ଦ୍ବ ରହିଛି। କିନ୍ତୁ ସମସ୍ତ ପଛୁଆ, ବିକାଶଶୀଳ ଓ ବିକଶିତ ରାଷ୍ଟ୍ରଗୁଡ଼ିକ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଓ ପ୍ରାଧାନ୍ୟ ଦେବାକୁ ପଡ଼ିବ। ଅପରପକ୍ଷେ, ପରିବେଶକୁ ନଷ୍ଟ କରି ଓ କଞ୍ଚାମାଲ୍‌ର ବିନିଯୋଗ କରି ବିକଶିତ ହୋଇଥିବା ବଡ଼ ରାଷ୍ଟ୍ରଗୁଡ଼ିକ କ୍ଷତିପୂରଣ ଦେବା ସହ ପଛୁଆ ରାଷ୍ଟ୍ରକୁ ସହଯୋଗ କରିବା ଉଚିତ। ଆଜି ଓଡ଼ିଶା ଉତ୍ପାଦକତା ପରିଷଦ (ଓଏସପିସି) ଓ ଜାତୀୟ ଉତ୍ପାଦକତା ପରିଷଦ(ଏନ୍‌ପିସି) ପକ୍ଷରୁ ‘ଜାତୀୟ ଉତ୍ପାଦକତା ଦିବସ’ ପାଳନ ଅବସରରେ ହୋଟେଲ୍‌ ନ୍ୟୁ ମ୍ୟାରିୟନ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

Advertisment

କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ପଞ୍ଚାନନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗଗୁଡ଼ିକ ପରିବେଶକୁ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଓଏସ୍‌ପିସିର ରାଜ୍ୟ ସଭାପତି ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କହିଲେ, ଉତ୍ପାଦନରେ ନବୀକରଣ ହେଉଛି ସଫଳତାର ଚାବିକାଠି। ଏହା ହୋଇପାରିଲେ ଅର୍ଥନୈତିକ ପ୍ରଗତିର ସମସ୍ତ ଦ୍ୱାର ଉନ୍ମୁକ୍ତ ସମ୍ଭବ ହେବ। ନବୀକରଣ ଓ ଉତ୍ପାଦକତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି ପରସ୍ପର ସମ୍ପର୍କିତ ହୋଇଥିବା ଯୋଗୁଁ ସମ୍ପ୍ରତି ଏ ଦିଗରେ ଗୁରୁତ୍ୱ ଦେବା ନିହାତି ଜରୁରି ହୋଇପଡ଼ିଛି। ଆଞ୍ଚଳିକ ନିର୍ଦ୍ଦେଶକ ଅଭିଜିତ୍‌ ନାୟକ ସୂଚନା ଦେଇ କହିଲେ, ଫେବ୍ରୁଆରି ୧୨ରୁ ୧୮ତାରିଖ ଯାଏ ଆୟୋଜିତ ଉତ୍ପାଦକତା ସପ୍ତାହରେ ସମାଜର ସବୁବର୍ଗଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରାଯାଇ ପାରିଛି। ଚଳିତ ବର୍ଷ ‘ଉତ୍ପାଦକତା, ସବୁଜ ବିକାଶ ଓ ନିରନ୍ତରତା: ଜି-୨୦ ଭାରତ ଅଧ୍ୟକ୍ଷତା ଗୌରବ’ ବିଷୟବସ୍ତୁ ଆଧାରିତ କଲେଜସ୍ତରୀୟ ତର୍କ ପତ୍ରିଯୋଗିତା ଓ ବିଭିନ୍ନ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହୋଇଥିବା କହିଥିଲେ। ସଂପାଦକ ଦେବବ୍ରତ ପାଣିଗ୍ରାହୀ ଓ ଝୁମୁକାର ସମ୍ପାଦକ ମାନସ ରଂଜନ ସାମଲ ଉତ୍ସବ ପରିଚାଳନା କରିଥିଲେ। ଉପସଭାପତି ତ୍ରିଜୀବ ଚନ୍ଦ୍ର ହୋତା ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ପ୍ରଥମେ ଜାତୀୟ ଉତ୍ପାଦକତା ଦିବସ ଅବସରରେ ଏହାର ୪୮ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଚଳିତ ବର୍ଷ ସର୍ବାଧିକ ୧୮ଶିଳ୍ପ ପ୍ରତିଷ୍ଠାନକୁ ପଞ୍ଚମ, ଚତୁର୍ଥ ଓ ତୃତୀୟ ତାରକାବର୍ଗରେ ଉତ୍ପାଦକତା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ନାଲକୋ, ପିପିଏଲ୍‌, ଇଫ୍‌କୋ, ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌, ଏସେଲ୍‌ ମାଇନିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ, ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ, ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ, ସେଲ୍‌-ଆଇଏପି, ସେଲ୍ ପରିବେଶ ପରିଚାଳନା ବିଭାଗ, ଓଡ଼ିଶା ମାଇନିଂ କର୍ପୋରେସନ ଆଦି ଓଡ଼ିଶା, ଝାଡ଼ଖଣ୍ଡ, କୋଲକତା ଓ ଛତିଶଗଡ଼ର ପ୍ରତିଷ୍ଠିତ ଉଦ୍ୟୋଗଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ‘ସମ୍ବାଦ’ର ସାମ୍ବାଦିକ ସୋମନାଥ ପରିଡ଼ା, କନକ ନ୍ୟୁଜ୍‌ର ମନୀଷା ଦାସ ଓ ରେଡିଓ ଚକଲେଟ୍‌ର ଆର୍‌ଜେ ନିଲ୍‌ଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇଥିଲା।