ଭୁବନେଶ୍ବର: କାରାଗାର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୨୩ ମସିହାରେ ଆରମ୍ଭ କରିଥିଲେ ପ୍ରିଜନ୍‌ ମ୍ୟାନେଜ୍‌ମେଣ୍ଟ ସ୍କିମ୍‌(ପିଏମ୍‌ଏସ୍‌)। କାରାଗାର କମ୍ପ୍ୟୁଟରୀକରଣ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ  ୭ଟି ଜେଲ୍‌ ପାଇଁ ୧୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ମାତ୍ର ଏହି ପାଇଲଟ୍‌ ପ୍ରୋଜେକ୍ଟ ସରିବା ବିଳମ୍ବ ହେଉଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ କ୍ଷୋଭ ପ୍ରକାଶ କରିଛନ୍ତି। ଦେଢ଼ ବର୍ଷରୁ ଅଧିକ ସମୟ ବିତିବା ପରେ ବି ପ୍ରକଳ୍ପର ଅଧା ବି ସରିନାହିଁ। ତେଣୁ ଏହି ପ୍ରକଳ୍ପକୁ ବନ୍ଦ କରିଦିଆଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଚେତାବନୀ ଦେଇଥିବା ଜଣାପଡ଼ିଛି।   

Advertisment

ତତ୍‌କାଳୀନ ଜେଲ୍‌ ଡିଜି ମନୋଜ ଛାବ୍ରାଙ୍କ ସମୟରେ ଏହି ପ୍ରୋଜେକ୍ଟ ହାତକୁ ନିଆଯାଇଥିଲା। ୨୦୨୪ ମଧ୍ୟ ଭାଗ ସୁଦ୍ଧା ଏହି କାମ ସାରିବାକୁ ଯୋଜନା କରାଯାଇଥିଲା। ଝାରପଡ଼ା ସ୍ପେସାଲ୍‌ ଜେଲ୍‌, ଚୌଦ୍ବାର, ବ୍ରହ୍ମପୁର, ପୁରୀ, ବାରିପଦା, କୋରାପୁଟ, ଓ ସମ୍ବଲପୁର ଜେଲ୍‌ରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହା କାର୍ଯ୍ୟକାରୀ ହେବାର ଥିଲା। ଉଦ୍ଦେଶ୍ୟ ଥିଲା ଜେଲ୍‌ ପରିଚାଳନାକୁ ଡିଜିଟାଇଜେସନ୍‌ ବା କମ୍ପ୍ୟୁଟରୀକରଣ କରିବା। କେଉଁ ଵାର୍ଡରେ କେତେ ବନ୍ଦୀ ଅଛନ୍ତି, ତାର ରେକର୍ଡ କରିବା, ବିନା ଫିଙ୍ଗର୍‌ପ୍ରିଣ୍ଟ୍‌ରେ କେହି ଵାର୍ଡକୁ  ପ୍ରବେଶ କରିପାରିବେନି ଓ କୌଣସି ୱାର୍ଡର କଏଦୀ ଅନ୍ୟ ଵାର୍ଡକୁ ପ୍ରବେଶ କରିବା ଆଦିରେ କଟକଣା ରହିବା ଭଳି ବ୍ୟବସ୍ଥାକୁ ଅଟୋମେଟେଡ୍‌ କରିବା ଥିଲା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ସେହିଭଳି ବନ୍ଦୀଙ୍କ କ୍ୟାଣ୍ଟିନ୍‌ ବାବଦ ଖର୍ଚ୍ଚ ଫିଙ୍ଗର୍‌ପ୍ରିଣ୍ଟରୁ ଜଣାପଡ଼ିବ ଓ ତାଙ୍କ ଆକାଉଣ୍ଟରୁ ସ୍ବତଃ କଟିବା ବ୍ୟବସ୍ଥା ମଧ୍ୟ ରହିଛି।

କେଉଁ ବନ୍ଦୀ କେଉଁ ରୋଗରେ ପୀଡ଼ିତ, ଜେଲ୍‌ରେ ସେମାନଙ୍କର କି ପ୍ରକାର ଚିକିତ୍ସା ଚାଲିଛି, ସେସବୁର ତଥ୍ୟ ରେକର୍ଡ ହୋଇ ରହିବ। ସେହିପରି ଅଫିସରେ ବସି ଵାର୍ଡ ସହିତ ଯୋଗା‌ଯୋଗ କରିବ‌ା ବ୍ୟବସ୍ଥା ମଧ୍ୟ ଏହି ପ୍ରକଳ୍ପରେ ଥିଲା। ଇତିମଧ୍ୟରେ ପୂର୍ବତନ ଜେଲ୍‌ ଡିଜି ମନୋଜ ଛାବ୍ରା ଓ ଅମ୍ରିତ୍‌ ମୋହନ ପ୍ରସାଦ ଗଲେଣି। କିନ୍ତୁ ପ୍ରକଳ୍ପ ସରିପାରିଲା ନାହିଁ। ଏବେ ଜେଲ୍‌ ଡିଜି ଅରୁଣ ରାୟ ଉକ୍ତ ପ୍ରୋଜେକ୍ଟକୁ ସାରିବା ପାଇଁ ଗୁରୁତ୍ବ ଦେଇଛନ୍ତି। ଦେଖାଯାଇଛି ଯେ ଠିକା ନେଇଥିବା ଘରୋଇ ସଂସ୍ଥା  ୭ଟି ଜେଲ୍‌ରେ ଅଧିକାଂଶ କାମ ସାରିଛି। ମାତ୍ର ପ୍ରୋଜେକ୍ଟ ଠିକ୍‌ରେ କାମ କରୁନାହିଁ। ଠିକା ସଂସ୍ଥା ଓକାକ୍‌ଠାରୁ କୋଟି କୋଟି ଟଙ୍କା ନେଇ ସାରିଲାଣି। ମାତ୍ର ତାହା ପାଣିରେ ପଡ଼ିବା ସଦୃଶ ହୋଇଛି। ତେଣୁ ୭ଦିନ ଭିତରେ କାମ ଠିକ୍‌ରେ ନ ସରିଲେ, ଏହି ପ୍ରକଳ୍ପକୁ ବନ୍ଦ କରାଯିବ ବୋଲି ଜେଲ୍‌ ଡିଜି ଶ୍ରୀ ରାୟ ଠିକା ସଂସ୍ଥାକୁ ସତର୍କ କରାଇଛନ୍ତି।