ଝାରପଡ଼ା ଜେଲରେ ଲାଗିଲା ପ୍ରୋଜେକ୍ଟର : ରବିବାରଠାରୁ ଫିଲ୍ମ ଦେଖିବେ କଏଦୀ

ଦେଶରେ ପ୍ରଥମ, ଆଗକୁ ଅନ୍ୟ ଜେଲରେ ଲାଗିବ

ଭୁବନେଶ୍ୱର : ଝାରପଡ଼ା ଜେଲରେ ଆସନ୍ତା ରବିବାରଠାରୁ କଏଦୀ ଫିଲ୍ମ ଦେଖିବାର ସୁଯୋଗ ପାଇବେ। ଜେଲର ଏକ ରୁମ୍‌କୁ ଥିଏଟର୍‌ କରାଯାଇଛି। ସେହି ଥିଏଟର୍‌ରେ ଆଜି ପ୍ରୋଜେକ୍ଟର୍‌ର ଉଦ୍‌ଘାଟନ କରାଯାଇଛି। ଏହାସହ ସାଉଣ୍ଡ ସିଷ୍ଟମ୍‌ର ସଂଯୋଗ କରାଯାଇଛି। କଏଦୀଙ୍କୁ ଚାପମୁକ୍ତ ଓ ମାନସିକ ଶାନ୍ତି ପାଇଁ ଏହି ପ୍ରୋଜେକ୍ଟର୍‌ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ରବିବାର କଏଦୀମାନେ ଫିଲ୍ମ ଦେଖିବାର ସୁଯୋଗ ପାଇବେ। ଦେଶାତ୍ମବୋଧ, ପୌରାଣିକ, ଐତିହାସିକ ସହ କିଛି ଶିକ୍ଷଣୀୟ ଫିଲ୍ମ ପ୍ରଦର୍ଶିତ କରାଯିବ ବୋଲି ଜେଲ୍ ଅଧୀକ୍ଷକ ଡି.ଏନ ବାରିକ କହିଛନ୍ତି। ଏହି ବ୍ୟବସ୍ଥା ଦେଶର ପ୍ରଥମ ବୋଲି କହିଛନ୍ତି ଶ୍ରୀ ବାରିକ।

ଏହାସହ ଵାସିଂ ମେସିନ୍‌ ମଧ୍ୟ ଚାଲୁ ହୋଇଛି। କଏଦୀମାନେ ହାତରେ ସଫା ନ କରି ଵାସିଂ ମେସିନ୍‌ରେ ପୋଷାକ ସଫା କରିବେ। ସ୍ବଚ୍ଛ ପାଣି ପାଇଁ ଆକ୍ବାଗାର୍ଡ ଲଗାଯାଇଛି। ଏହି ଆକ୍ବାଗାର୍ଡରେ ଗରମ ପାଣିର ବ୍ୟବସ୍ଥା ମଧ୍ୟ ରହିଛି। ସାଉଣ୍ଡ ସିଷ୍ଟମ୍ ମଧ୍ୟ ଚାଲୁ ହୋଇଛି। ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ସାଉଣ୍ଡ ସିଷ୍ଟମ ଜରିଆରେ ଆଧ୍ୟାତ୍ମିକ ସଂଗୀତ ପରିବେଷଣ ହେବ। କଏଦୀମାନଙ୍କୁ ଡାକିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯିବ। ମାମଲାର ସ୍ଥିତି ଜାଣିବା ପାଇଁ ୨୪ ଘଣ୍ଟିଆ ଇଣ୍ଟରନେଟ୍ ସୁବିଧା ରହିଥିବା କିଓସ୍କ ଚାଲୁ ହୋଇଛି। ହଳଦୀ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ହୋଇ ସାରିଥିବା ବେଳେ ଏହାର ଉଦ୍‌ଘାଟନ ପାଇଁ ଆଉ ଏକ ଦିନ ଧାର୍ଯ୍ୟ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର