ସରକାରୀ@ ୧୦ ଟଙ୍କା, ଘରୋଇଙ୍କ ମନଇଚ୍ଛା

ଆମ୍ବୁଲାନ୍‌ସରେ ମୃତଦେହ ନେବା ସମସ୍ୟା, ଲୋକାଲ ଭଡ଼ା ନାଁରେ ଲୁଟୁଛନ୍ତି

ଭୁବନେଶ୍ବର: ରାଜଧାନୀକୁ ଚିକିତ୍ସା ପାଇଁ ଆସିଥିବା ରୋଗୀର ମୃତ୍ୟୁ ହେଲେ ମୃତଦେହ ଘରକୁ ନେବା ଲୁଟ୍‌ର ଶିକାର ହେବା ସମାନ। ରାଜଧାନୀରେ ଥିବା ଘରୋଇ ଆମ୍ବୁଲାନ୍‌ସମାନଙ୍କ ଦୌରାତ୍ମ୍ୟ ଏତେ ଯେ ଯାହା ପାଟିରୁ ବାହାରିଲା ସେଇଟା ହିଁ ଭଡ଼ା। ମୂଲଚାଲ କଲେ ବି ବିଶେଷ ଫାଇଦା ନାହିଁ। ବିଶେଷକରି ଲୋକାଲ ଭଡ଼ା ନାଁରେ ଏକପ୍ରକାର ଲୁଟ୍ ଚାଲିଛି। ଏମାନଙ୍କ ପାଇଁ ଧାର୍ଯ୍ୟ ଦର ନାହିଁ କି ରାଜ୍ୟ ସରକାରଙ୍କ ମଧ୍ୟ କୌଣସି ନିୟନ୍ତ୍ରଣ ନାହିଁ। ପ୍ରତିଦିନ ରାଜଧାନୀକୁ ଚିକିତ୍ସା ପାଇଁ ଆସୁଥିବା ଅନେକ ରୋଗୀ ଏଭଳି ଆଖିବୁଜା ଲୁଟ୍‌ର ଶିକାର ହେଉଛନ୍ତି।

ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲକୁ ବାଦ୍ ଦେଲେ ଅନେକ ବଡ଼ ଘରୋଇ ଡାକ୍ତରଖାନା ଖୋଲିଛି। ଚିକିତ୍ସା ପାଇଁ ରାଜ୍ୟର ସବୁ ଜିଲ୍ଲାରୁ ଲୋକମାନେ ଏଠାକୁ ଆସୁଛନ୍ତି। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯଦି କୌଣସି ରୋଗୀର ମୃତ୍ୟୁ ହୋଇଯାଏ, ଆମ୍ବୁଲାନ୍‌ସରେ ଘରକୁ ନେବାକୁ ଚାହିଁଲେ, ଆରମ୍ଭ ହୋଇଯାଏ ଘରୋଇ ଆମ୍ବୁଲାନ୍‌ସଙ୍କ ଦାଦାଗିରି। ଅଧିକାଂଶ ଘରୋଇ ହସ୍ପିଟାଲରେ ସ୍ଥାନୀୟ ଘରୋଇ ଆମ୍ବୁଲାନ୍‌ସ ରହିଥିବା ବେଳେ ସେମାନେ ହିଁ ମନଇଚ୍ଛା ଦର ଧାର୍ଯ୍ୟ କରିଥାନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲରେ ଘରୋଇ ଆମ୍ବୁଲାନ୍‌ସର ୨ଟି ସଂଘ ରହିଛି। ଏଠାରେ ପ୍ରାୟ ୪୦ଟି ଆମ୍ବୁଲାନ୍‌ସ ରହିଥିବା ବେଳେ ମନଇଚ୍ଛା ଦର ରୋଗୀ ସଂପର୍କୀୟଙ୍କ ଖର୍ଚ ଚିକିତ୍ସା ବ୍ୟଥାଠାରୁ ମଧ୍ୟ ବଳି ଯାଉଛି। ଯଦି କୌଣସି ବ୍ୟକ୍ତିର ଅନ୍ୟତ୍ର କମ୍ ଦାମ୍‌ରେ ଆମ୍ବୁଲାନ୍‌ସ ଉପଲବ୍ଧ ହେଉଛି, ସେ ଚାହିଁଲେ ମଧ୍ୟ ସଂଘର ବି‌ରୋଧ ଯୋଗୁଁ ଅନ୍ୟ ଆମ୍ବୁଲାନ୍‌ସ ହସ୍ପିଟାଲ ପରିସରକୁ ପଶି ପାରୁନାହାନ୍ତି। ତେଣୁ କେବଳ ହସ୍ପିଟାଲ ପରିସରରେ ରହିଥିବା ଘରୋଇ ଆମ୍ବୁଲାନ୍‌ସକୁ ନେବାକୁ ବାଧ୍ୟ କରାଯାଉଛି। ରାଜଧାନୀରୁ ପିପିଲି ଘରୋଇ ଆମ୍ବୁଲାନ୍‌ସ ଜରିଆରେ ମୃତଦେହ ୨ହଜାର ଟଙ୍କା, ପୁରୀ ସାଢ଼େ ୪ହଜାରରୁ ୫ହଜାର ଟଙ୍କା ଦାବି କରିଥାନ୍ତି ଆମ୍ବୁଲାନ୍‌ସ ଚାଳକ। ଯାହାକି ଅନ୍ୟ ଯେକୌଣସି ଭଡ଼ାଠାରୁ ଯଥେଷ୍ଟ ଅଧିକ। ଘରୋଇ ଆମ୍ବୁଲାନ୍‌ସ ମାଲିକଙ୍କ କହିବା କଥା, ଲୋକାଲ ଭଡ଼ାରେ ବିଶେଷ ଲାଭ ମିଳୁନି। ଡ୍ରାଇଭର ଅଧିକ ଟଙ୍କା ନେଇଯାଏ। ଦୂରକୁ ଗଲେ କିଲୋମିଟର ହିସାବରେ ନେଉଛୁ। ବୋଲେ‌‌ରୋ ୧୫/କି.ମି, ଓମ୍‌ନି ୧୨/କି.ମି, ଇକୋ ୧୪/କି.ମି ଓ ୱିଙ୍ଗର ୧୮/କି.ମି ହିସାବରେ ଘରୋଇ ଆମ୍ବୁଲାନ୍‌ସ ଦର ରହିଛି। ଏହାସହ ଏସି ଓ ସାଧାରଣ ଗାଡ଼ି ପାଇଁ ମଧ୍ୟ ଅଲଗା ଦର ରହିଥିବା ଜଣାପଡ଼ିଛି। ତେବେ ଘରୋଇ ଆମ୍ବୁଲାନ୍‌ସ ମାଲିକମାନେ କେଉଁ ଆଧାରରେ ଏହି ଦର ଧାର୍ଯ୍ୟ କରିଛନ୍ତି ତାହା ବୁଝା ପଡ଼ୁନାହିଁ। ଏହି ଦରରେ ଜଣେ ବ୍ୟକ୍ତି ନିଜ ଘରକୁ ମୃତଦେହ ନେବା କଷ୍ଟକର ହୋଇପଡ଼ୁଛି। ଘରୋଇ ଆମ୍ବୁଲାନ୍‌ସ ପାଇଁ ଦର ଧାର୍ଯ୍ୟ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ଅପରପକ୍ଷରେ ମୃତଦେହ ନେବା ପାଇଁ ରାଜ୍ୟ ସରକାର ‘ମହାପ୍ରୟାଣ’ ବ୍ୟବସ୍ଥା କରିଛନ୍ତି। ୨ବର୍ଷ ତଳେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିରେ ସରକାରୀ ଡାକ୍ତରଖାନା ସହିତ ଯେଉଁ ଘରୋଇ ଡାକ୍ତରଖାନା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସହ ଏମ୍‌ପ୍ୟାନେଲ୍ ହୋଇଛନ୍ତି ସେସବୁ ଡାକ୍ତରଖାନାରୁ ‘ମହାପ୍ରୟାଣ’ ଗାଡ଼ି ମୃତଦେହ ଉଠାଇପାରିବ। ମାତ୍ର ଏହା କୌଣସି ମୃତଦେହକୁ ଶ୍ମଶାନକୁ ନେଇପାରିବ ନାହିଁ। ଏଥିପାଇଁ ସରକାରଙ୍କ ପକ୍ଷରୁ କି.ମି ପିଛା ୧୦ଟଙ୍କା ଧାର୍ଯ୍ୟ କରାଯାଇଛି। ଲୋକାଲ ଭଡ଼ାରେ ଗଲେ ଏଥିପାଇଁ କୌଣସି ଅନୁମତିର ଆବଶ୍ୟକତା ନ ଥିବା ବେଳେ ଜିଲ୍ଲା ବାହାରକୁ ଯିବା ପାଇଁ ଜିଲ୍ଲାପାଳଙ୍କ ଅନୁମତିର ଆବଶ୍ୟକତା ପଡ଼ିଥାଏ। ତେବେ ଖୋର୍ଧା ଜିଲ୍ଲା ପାଇଁ ଗୋଟିଏ ଗାଡ଼ି ରହିଥିବା ବେଳେ ଏହା ସବୁ‌ ସମୟରେ ଭଡ଼ାରେ ବ୍ୟସ୍ତ ରହୁଛି। ଫଳରେ ଅନେକ ସମୟରେ ରୋଗୀଙ୍କୁ ଏହି ଗାଡ଼ି ମିଳିପାରୁନାହିଁ। ତେଣୁ ବାଧ୍ୟ ହୋଇ ଲୋକମାନେ ଘରୋଇ ଆମ୍ବୁଲାନ୍‌ସ ଉପରେ ନିର୍ଭର କରୁଛନ୍ତି। ଏହାର ସୁଯୋଗ ନେଇ ଘରୋଇ ଆମ୍ବୁଲାନ୍‌ସ ଏକପ୍ରକାର ଲୁଟ୍‌ ଚଳାଇଛନ୍ତି।

ସମ୍ବନ୍ଧିତ ଖବର