ଭୁବନେଶ୍ବର: ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଘରୋଇ ବସ୍ ଅଫରୋଡ୍ କରାଯାଇଥିବା ନେଇ ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ। ଯାତ୍ରୀ ସଂଖ୍ୟା ଅହେତୁକ ହ୍ରାସ ପାଇବା ଯୋଗୁଁ ଗାଡ଼ି ଚଳାଇବା ଅଧିକାଂଶ ବସ୍ ମାଲିକଙ୍କ ପାଇଁ ସମ୍ଭବ ହୋଇ ନଥିବାରୁ ସେମାନେ ଅଫରୋଡ୍ କରିଦେଇଛନ୍ତି। ଏଭଳି ସ୍ଥିତିରେ ଘରୋଇ ବସ୍ ମାଲିକ, କର୍ମଚାରୀଙ୍କୁ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଋଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସଂଘ ଆବାହକ ଦେବାଶିଷ ନାଏକ। କରୋନା ଯୋଗୁଁ ଟ୍ରେନ୍ ପରେ ବସ୍ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ସଂଘ କହିଛି, ରାଜ୍ୟରେ ପ୍ରାୟ ୧୪ହଜାର ବସ୍ ଚଳାଚଳ କରିଥାଏ। ସୋମବାରଠାରୁ ମାତ୍ର ୨ହଜାର ବସ୍ ଚାଲିବ। ଆଗାମୀ ଦିନରେ ରାଜ୍ୟ ଭିତରେ ଚାଲୁଥିବା ବସ୍ ସଂଖ୍ୟା ଆହୁରି ହ୍ରାସ ପାଇବ। ରାଜଧାନୀର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ପ୍ରାୟ ୨ହଜାର ବସ୍ ଚଳାଚଳ କରିଥାଏ। ଅଧିକାଂଶ ବସ୍ ଅଫରୋଡ୍ ପରେ ମାତ୍ର ୨ଶହ ଚାଲିବ। ଜଗନ୍ନାଥ ଦର୍ଶନ ବନ୍ଦ ପରେ ପୁରୀକୁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ କେବଳ କେବଳ ୨ରୁ୩ଟି ଗାଡ଼ି ଯିବା ନେଇ ଅନୁମାନ କରାଯାଉଛି। କୋଣାର୍କ, କାକଟପୁର, ବାଲୁଗାଁ, କଣ୍ଟିଲୋକୁ ଗାଡ଼ି ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଛି। ରାତ୍ରିକାଳୀନ ବସ୍ ସେବା ମଧ୍ୟ ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାକୁ ଯାଉଥିବା ପ୍ରାୟତଃ ବନ୍ଦ କରାଯାଇଛି। ଦକ୍ଷିଣ ଓଡ଼ିଶାକୁ କିଛି ଗାଡ଼ି ଯାଉଛି।
ଭୁବନେଶ୍ବର ‘ସାରା’ ଟ୍ରାଭେଲ୍ସ ମାଲିକ ଉପେନ୍ଦ୍ର ପ୍ରଧାନ କହିଛନ୍ତି, ତାଙ୍କର ସମୁଦାୟ ୫୦ଟି ବସ୍ ରହିଛି। ନିକଟବର୍ତ୍ତୀ ପୁରୀ ସହିତ ଦୂରବର୍ତ୍ତୀ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାକୁ ତାଙ୍କ ଗାଡ଼ି ଚଳାଚଳ କରେ। ଏଥିମଧ୍ୟରୁ ୪୫ଟି ଗାଡ଼ି ସେ ଅଫରୋଡ୍ କରି ସାରିଛନ୍ତି। କେବଳ ୫ଟି ଗାଡ଼ି ଚଳାଇବେ। ସୂଚନା ଅନୁଯାୟୀ, ଗୋଟିଏ ଗାଡ଼ି ଚଳାଇ ରଖିବା ପାଇଁ ୧୨ ହଜାରରୁ ୧୩ ହଜାର ଟଙ୍କା ଖର୍ଚ୍ଚ ହୁଏ। ୫୦ସିଟ୍ କ୍ଷମତା ବିଶିଷ୍ଟ ରାତ୍ରିକାଳୀନ ଗାଡ଼ିରେ ୧୦ରୁ ୧୨, ୪୦ ସିଟ୍ କ୍ଷମତା ବିଶିଷ୍ଟ ସ୍ଥାନୀୟ ଗାଡ଼ିରେ ପ୍ରାୟ ୧୪ରୁ୧୫ ଯାତ୍ରୀ ହେଉଛନ୍ତି। ପ୍ରତିଦିନ ଏହି ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ତେଲ ଖର୍ଚ, ଟିକସ ଭାର ଥିବାରୁ ମାଲିକ ଗାଡ଼ି ଅଫରୋଡ୍ କରି ଦେଉଥିବା କୁହାଯାଉଛି। ପୂର୍ବରୁ ବାହାର ରାଜ୍ୟକୁ ଗାଡ଼ି ଚଳାଚଳ ବନ୍ଦ ଥିଲା। ବର୍ତ୍ତମାନ ରାଜ୍ୟ ଭିତରେ ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀଙ୍କ ସମସ୍ୟା ବୃଦ୍ଧି ପାଇବ। ଏହା ଉପରେ ନିର୍ଭରଶୀଳ ମାଲିକ, କର୍ମଚାରୀ ଏବଂ ଛୋଟ ବ୍ୟବସାୟୀ ପ୍ରଭାବିତ ହେବେ।
କଟକ: ଯାତ୍ରୀବାହୀ ବସ୍ଗୁଡ଼ିକ ଗତବର୍ଷ ମାର୍ଚ୍ଚରୁ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ ରହିଥିଲା ବେଳେ ଚଳିତବର୍ଷ ଜାନୁଆରିରୁ ଅବସ୍ଥା ସ୍ବାଭାବିକ ହୋଇଥିଲା। ଫଳରେ ୮୦ ପ୍ରତିଶତ ବସ୍ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାତ୍ରୀ ପରିବହନ କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ହଠାତ୍ କରୋନାର ଦ୍ବିତୀୟ ଲହର ଆସିବା ପରଠୁ ଗତ ୧୦ ତାରିଖରୁ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିଦିଆଗଲା। ତେବେ ଏହି ମାସ ପାଇଁ ବସ୍ ମାଲିକ ଉଭୟ ରାଜ୍ୟକୁ ବସ୍ ପିଛା ପାଖାପାଖି ୪୦ ହଜାର ଟଙ୍କା ରୋଡ୍ ଟ୍ୟାକ୍ସ ଦେଇସାରିଛନ୍ତି। ଏଥିସହ ବସ୍ ଅଚଳ ଥିବା ଅବସ୍ଥାରେ କର୍ମଚାରୀମାନଙ୍କୁ ଦରମା ଦିଆଯାଉଛି। ଏବେ ଗତ ୧୯ ତାରିଖରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାକୁ ଅନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ରଖାଗଲା। ଏହି ବସ୍ଗୁଡ଼ିକ ମଧ୍ୟ ଉଭୟ ରାଜ୍ୟମାନଙ୍କୁ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତିନିମାସର ରୋଡ୍ ଟ୍ୟାକ୍ସ ପୈଠ କରିସାରିଛନ୍ତି। ଏଥିସହ ୧୦ ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ୍ ଏବ˚ ୨୦ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବାରୁ ଯାତ୍ରୀ ପରିବହନ କରୁଥିବା ବସ୍ଗୁଡ଼ିକ ବହୁଳ ମାତ୍ରାରେ କ୍ଷତିରେ ପଡ଼ିଛି। ଏଭଳି ସ୍ଥିତି ଯୋଗୁଁ ବସ୍ ମାଲିକମାନେ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏପ୍ରିଲ ମାସରେ ପୈଠ ହୋଇଥିବା ଏମ୍ଭି ଟ୍ୟାକ୍ସକୁ ମେ’ ମାସରେ ଭରଣା କରାଯିବାକୁ ଓଡ଼ିଶା ବସ୍ ମାଲିକ ସ˚ଘ ପକ୍ଷରୁ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଏ ସ˚କ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପଠାଯାଇଛି। ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟମାନେ ରୋଡ୍ଟ୍ୟାକ୍ସ ଛାଡ଼ କରିବାକୁ ସରକାର ଆଲୋଚନା କରିବା ପାଇଁ ଅନୁରୋଧ କରାଯାଇଛି। କରୋନାର ପ୍ରଥମ ଲହର ବେଳେ ବସ୍ ମାଲିକମାନେ ବୀମା କମ୍ପାନି ଓ ବ୍ୟାଙ୍କମାନଙ୍କ ଦ୍ବାରା ନିର୍ଯାତିତ ହୋଇଥିଲେ। ଏବେ ଦ୍ବିତୀୟ ଲହର ସମୟରେ ଯଦି ବସ୍ ମାଲିକମାନଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ନଦେବେ, ତାହେଲେ ସେମାନଙ୍କର ତିଷ୍ଠି ରହିବା କଷ୍ଟକର ହୋଇଯିବ। ତେଣୁ ସରକାର ଖୁବ୍ଶୀଘ୍ର ବ୍ୟାଙ୍କ ଓ ବୀମା କମ୍ପାନିଙ୍କ ସହ ଏକ ଜରୁରି ବୈଠକ ଡକାଇ ବସ୍ ମାଲିକଙ୍କ ସପକ୍ଷରେ କିଛି ନିଷ୍ପତ୍ତି ଗ୍ରହଣ କରିବାକୁ ସ˚ଘ ଅନୁରୋଧ କରିଛି। ଏ ସ˚କ୍ରାନ୍ତରେ କେନ୍ଦ୍ର ଅର୍ଥ ବିଭାଗ, ଆର୍ବିଆଇ, ଆର୍ଆର୍ଡିଏ, ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ମଧ୍ୟ ସ˚ଘ ଅବଗତ କରିଛି। ବୀମା ପଲିସି ଅବଧି ୩ ମାସ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେବା ଓ ବ୍ୟାଙ୍କ ପକ୍ଷରୁ ୩ ମାସର ଇଏମ୍ଆଇ ନ ମାଗିବା ପାଇଁ ସରକାର ନିର୍ଦ୍ଦେଶ ଦେବାକୁ ସ˚ଘ ପକ୍ଷରୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।