ରାଜଧାନୀର ଘରୋଇ ଚକ୍ଷୁ ଚିକିତ୍ସାଳୟ ବୈଧତାକୁ ନେଇ ସନ୍ଦେହ

ଆବଶ୍ୟକ କାଗଜପତ୍ର ଦାଖଲରେ ବେପରୁଆ

ଭୁବନେଶ୍ବର : ରାଜଧାନୀର ଅଧିକାଂଶ ଘରୋଇ ଚକ୍ଷୁ ଚିକିତ୍ସାଳୟ ନିଜ ଲାଇସେନ୍‌ସର ନବୀକରଣ କରି ନାହାନ୍ତି। ହାତ ଗଣତି କିଛି ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ବାଦ୍ ଦେଲେ ଅନ୍ୟମାନଙ୍କର ଲାଇସେନ୍‌ସର ବର୍ଷ ବର୍ଷ ଧରି ନବୀକରଣ ‌ହୋଇନାହିଁ। କାହାର ଅଗ୍ନିସେବା ସାର୍ଟିଫିକେଟ୍ ନାହିଁ ତ ଆଉ କିଏ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନାହାନ୍ତି। ଏଭଳି ଭାବେ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି, ହେଲେ ଲାଇସେନ୍‌ସର ନବୀକରଣ ନ ଥାଇ ମଧ୍ୟ ଚିକିତ୍ସାଳୟଗୁଡ଼ିକ କାର୍ଯ୍ୟ କରୁଛନ୍ତି। ଲୋକମାନେ ଏସବୁ ଚିକିତ୍ସାଳୟ ଉପରେ ଭରସା କରି ନିଜର ଚିକିତ୍ସା କରାଉଛନ୍ତି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଖୋର୍ଧା ଜିଲ୍ଲାରେ ସମୁଦାୟ ୧୪ଟି ଘରୋଇ ଚକ୍ଷୁ ଚିକିତ୍ସାଳୟ ରହିଥିବା ବେଳେ ତହିଁରୁ ୧୨ଟି ଚକ୍ଷୁ ଚିକିତ୍ସାଳୟ କେବଳ ରାଜଧାନୀରେ ରହିଛି। ତହିଁରୁ ଗୋଟିଏ ଚିକିତ୍ସାଳୟ ୨୦୧୩ ମସିହାରୁ ବନ୍ଦ ହୋଇଯାଇଛି। କାର୍ଯ୍ୟକ୍ଷମ ଥିବା ସମସ୍ତ ଚିକିତ୍ସାଳୟ ମଧ୍ୟରୁ ମାତ୍ର ୪ଟି ଚିକିତ୍ସାଳୟର ଆବଶ୍ୟକ ପ୍ରମାଣପତ୍ର ରହିଛି। ଅନ୍ୟ ୮ଟି ଘରୋଇ ଚକ୍ଷୁ ଚିକିତ୍ସାଳୟ ଆବଶ୍ୟକ କାଗଜପତ୍ର ଦାଖଲ କରିବାରେ ବିଫଳ ହୋଇଛନ୍ତି। ରାଜଧାନୀରେ ଥିବା ଦୁଇଟି ଚିକିତ୍ସାଳୟର ବୈଧତା ୨୦୧୫ ମସିହାରୁ ଶେଷ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ଲାଇସେନ୍ସ ନବୀକରଣ କରିନାହାନ୍ତି। ରାଜଧାନୀରେ ଥିବା ଏକ ଚକ୍ଷୁ ଚିକିତ୍ସାଳୟର ୨୦୨୩ ମସିହା ପର୍ଯ୍ୟନ୍ତ ବୈଧତା ରହିଥିଲେ ହେଁ ସଂପୃକ୍ତ ଚିକିତ୍ସାଳୟ କର୍ତୃପକ୍ଷ ଆବଶ୍ୟକ ଅଗ୍ନିସେବା ସାର୍ଟିଫିକେଟ୍ ଏ ପର୍ଯ୍ୟନ୍ତ ଦାଖଲ କରିପାରି ନାହାନ୍ତି।

ରାଜଧାନୀ ବାହାରେ ଥିବା ଏକମାତ୍ର ଘରୋଇ ଚକ୍ଷୁ ଚିକିତ୍ସାଳୟର ମଧ୍ୟ ସମାନ ଅବସ୍ଥା। ସଂପୃକ୍ତ ଚିକିତ୍ସାଳୟର ବୈଧତା ୨୦୦୯ ମସିହାରୁ ଶେଷ ହୋଇଯାଇଛି। ପରବର୍ତୀ ସମୟରେ ଚିକିତ୍ସାଳୟ ୨୦୧୭ ମସିହା ପର୍ଯ୍ୟନ୍ତ ଏହାର ବୈଧତା ପ୍ରଦାନ କରିବା ପାଇଁ କର୍ତୃପକ୍ଷ ଆବେଦନ କରିଥିଲେ। ତେବେ ୨୦୧୯ ମସିହା ଶେଷ ହେବାକୁ ଆଉ କିଛିଦିନ ବାକି ରହିଥିବା ବେଳେ ସଂପୃକ୍ତ ଚିକିତ୍ସାଳୟ ପକ୍ଷରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଆବଶ୍ୟକ କାଗଜପତ୍ର ଦାଖଲ ହୋଇପାରି ନ ଥିବା ସୂଚନା ଅଧିକାର ଆଇନରୁ ଜଣାପଡ଼ିଛି। ସେହିପରି ରାଜଧାନୀର ଦୁଇଟି ଘରୋଇ ଚିକିତ୍ସାଳୟର ଅବଧି କିଛିବର୍ଷ ହେବ ଶେଷ ହୋଇଯାଇଥିଲେ ହେଁ, ସେମାନଙ୍କର ବର୍ତମାନର ସ୍ଥିତି ସଂପର୍କରେ ସୂଚନା ଅଧିକାର ଆଇନରେ କୌଣସି ତଥ୍ୟ ଦିଆଯାଇ ନାହିଁ। ମାତ୍ର ସଂପୃକ୍ତ ଚିକିତ୍ସାଳୟ ଏବେ ବି କାର୍ଯ୍ୟକ୍ଷମ ରହିଛି।

ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁସାରେ, ପୂର୍ବରୁ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦେଶାଳୟଙ୍କ ନିକଟରେ ଡାକ୍ତରଖାନାଗୁଡ଼ିକର ପଞ୍ଜୀକରଣ/ନବୀକରଣ ହେଉଥିଲା। ତେବେ ଏହି କାର୍ଯ୍ୟ ଯଥେଷ୍ଟ ବିଳମ୍ବ ହେବା ପରେ ଘରୋଇ ଚିକିତ୍ସାଳୟଗୁଡ଼ିକ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ଜିଲ୍ଲାସ୍ତରରେ ଚିକିତ୍ସାଳୟଗୁଡ଼ିକର ପଞ୍ଜୀକରଣ/ନବୀକରଣ କରାଯାଉଛି। ଏହାସତ୍ତ୍ବେ ମଧ୍ୟ ବର୍ଷ ବର୍ଷ ଧରି ଚିକିତ୍ସାଳୟଗୁଡ଼ିକର ଲାଇସେନ୍‌ସର ନବୀକରଣ ହୋଇ ନ ପାରିବା ପଛ‌ରେ କାରଣ କ’ଣ ରହିଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ରାଜଧାନୀ ନୁହେଁ, ଜିଲ୍ଲାସ୍ତରରେ ମଧ୍ୟ ସମାନ ଅବସ୍ଥା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର