ଖଣ୍ଡଗିରି : ରାଜଧାନୀର ଏକ ଘରୋଇ ହସ୍ପିଟାଲର ମହିଳା ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ଜଗନ୍ନାଥ ମହାନ୍ତିର ଆଜି ମେଡିକାଲ୍‌ ଯାଞ୍ଚ କରାଇଛି। ତେବେ ଅନ୍ୟାନ୍ୟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇପାରି ନଥିବାରୁ ତାକୁ କୋର୍ଟ ଚାଲାଣ କରାଯାଇନାହିଁ। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏଭଳି କାଣ୍ଡକୁ ପୁଲିସ୍‌ ଗୁରୁତ୍ବର ସହ ନେଇଥିବାରୁ ଜୋନ୍-୩ ଏସିପିଙ୍କୁ ତଦନ୍ତଭାର ଦିଆଯାଇଛି। ଏଥିସହ ଆଜି ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ତଦନ୍ତ ପ୍ରକ୍ରିୟା‌‌ରେ ସାମିଲ୍‌ କରାଯାଇଛି। ରାଜ୍ୟ ମହିଳା କମିସନ୍‌ ଅଧ୍ୟକ୍ଷା ମଧ୍ୟ ମାମଲାର ଗୁରୁତ୍ବ ଦୃଷ୍ଟିରୁ ଆଜି ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବା ସହ ଖଣ୍ଡଗିରି ଥାନାକୁ ଯାଇ ତଦନ୍ତ ବାବଦରେ ପଚାରି ବୁଝିଛନ୍ତି।

Advertisment

ସୂଚନାନୁସାରେ ଆଜି ସକାଳୁ ଏସିପି ପ୍ରାଣବନ୍ଧୁ ରାଉତ ସାଇଣ୍ଟିଫିକ୍‌ ଟିମ୍‌ ସହ ଦୁଷ୍କର୍ମସ୍ଥଳ ପଣ୍ଡାକୁଦିଆକୁ ଯାଇ ଯାଞ୍ଚ କରିଥିଲେ। ସେଠାରୁ କିଛି ପୋଷାକପତ୍ରର ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ସେହିଭଳି ଏବେ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବାରୁ ତାଙ୍କୁ ଘରକୁ ଛଡ଼ା ଯାଇଛି। ପୁଣି ଥରେ ଭୁବନେଶ୍ବର ଏମ୍‌ସରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ସେହିଭଳି ଅଭିଯୁକ୍ତ ଜଗନ୍ନାଥର ମେଡିକାଲ ଯାଞ୍ଚ ମଧ୍ୟ ଏମ୍‌ସରେ କରାଯାଇଛି। ଅନ୍ୟପକ୍ଷରେ ମହିଳା କମିସନ ଅଧ୍ୟକ୍ଷା‌ ଡ. ମିନତି ବେହେରା ଆଜି ପୀଡ଼ିତାଙ୍କୁ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ପୀଡ଼ିତାଙ୍କ ବାପା, ମା’ଙ୍କ ସହ କଥା ହୋଇଥିଲେ। ପରେ ସେ ଖଣ୍ଡଗିରି ଥାନାରେ ପହଞ୍ଚି ତଦନ୍ତ ଦାୟିତ୍ବ ନେଇଥିବା ଏସିପି ଶ୍ରୀ ରାଉତଙ୍କ ସହ କଥା ହୋଇଥିଲେ।

ସୂଚନାଯୋଗ୍ୟ ‌ଯେ ଅଭିଯୁକ୍ତ ଜଗନ୍ନାଥ ଓ ପୀଡ଼ିତା ଉଭୟ ଏକ ଘରୋଇ ହସ୍ପିଟାଲରେ ସଫେଇ କର୍ମଚାରୀ ଭାବେ କାମ କରନ୍ତି। ସେମାନଙ୍କ ମଧ୍ୟରେ ସୁସମ୍ପର୍କ ଥିଲା। ଗତ ମଙ୍ଗଳବାର ସନ୍ଧ୍ୟାରେ ବୁଲାଇନେବା ବାହାନାରେ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।